ତାତିଲେ ଓକିଲ, ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସମ୍ବଲପୁର : ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ବାର ଚିଠି ପରେ ଆଶା କରାଯାଉଥିଲା କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆଇନ ତିଆରି କରିବେ। ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ସହିତ ବୈଠକ କରି ହାଇକୋର୍ଟ ବେଞ୍ଚ ପାଇଁ ପଥ ପ୍ରସ୍ତୁତ କରିବେ। ମାତ୍ର କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଏକ ଚିଠି ଦେଇଛନ୍ତି। ଚିଠିରେ ଯେଉଁଭଳି ଉତ୍ତର ଦିଆଯାଇଛି ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ। ଏଥିରେ ତଥ୍ୟଗତ ବିଭ୍ରାଟ ରହିଥିବା କହିଛନ୍ତି ସିଏସି ଆବାହକ ସୁରେଶ୍ୱର ମିଶ୍ର। ଆଇନ ମନ୍ତ୍ରୀଙ୍କୁ ଆଇନ ଜଣାନଥିବା ଏହି ଚିଠିରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ। ହାଇକୋର୍ଟ ବେଞ୍ଚ ନେଇ ଆଇନ ମନ୍ତ୍ରୀଙ୍କ ଚିଠି ଏବଂ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଥିବା ପତ୍ରରେ କୌଣସି ତାଳମେଳ ନାହିଁ। ତେଣୁ ଆଇନ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଅଣାଯାଇ ପାରିବ। ହାଇକୋର୍ଟ ବେଞ୍ଚ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ପତ୍ର ନେଇ ଏହି ପ୍ରତିକ୍ରିୟା ଦେଇଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। କେବଳ ସେତିକି ନୁହେଁ ଓକିଲ ସଂଘ ପକ୍ଷରୁ ଗୋଲବଜାର ଛକରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଛି। ଏହି ଅବସରରେ ଓକିଲ ସଂଘ କହିଛି, ମୁଖ୍ୟମନ୍ତ୍ରୀ ଦୁଇ ଥର ଚିଠି ଲେଖିଛନ୍ତି। ଅତୀତରେ ବିଜେପି ରାଜ୍ୟ ଶାଖା ପକ୍ଷରୁ କୁହାଯାଇଥିଲା, ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ଯଥେଷ୍ଟ। ଅଧ୍ୟାଦେଶ ଜାରି କରି କେନ୍ଦ୍ର ସରକାର ଏହା କାର୍ଯ୍ୟକାରୀ କରିପାରିବେ। ବର୍ତ୍ତମାନ କେନ୍ଦ୍ର ବିଜେପି ଭିନ୍ନ ଆଭିମୁଖ୍ୟ ପୋଷଣ କରୁଛି।

ସମ୍ବନ୍ଧିତ ଖବର