୫୦୦ ଟିପର୍‌‌ରେ ଦୁଇକୋଟି ଟଙ୍କାର ବାଲି ଚୋରି, ୪୮ ଘଣ୍ଟା ପରେ ବି ଏତଲା ଦେବାକୁ ତହସିଲଦାର କୁନ୍ଥକୁନ୍ଥ

ଗଞ୍ଜାମ : ଗଞ୍ଜାମ ସହର ନିକଟ ଋଷିକୁଲ୍ୟା ପୁରୁଣା ସେତୁ ପାର୍ଶ୍ବରୁ ଗତ ୧୪ ତାରିଖ ରାତିରେ ୫୦୦ରୁ ଅଧିକ ଟିପର୍‌ରେ ୨ରୁ ଅଢ଼େଇ କୋଟି ଟଙ୍କାର ବାଲି ଚାଲାଣ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଘଟଣାକୁ ୪୮ ଘଣ୍ଟା ବିତିସାରିଥିଲେ ହେଁ, ଏଯାଏ ତହସିଲଦାର ଥାନାରେ ଏତଲା ଦେବାକୁ କାହିଁକି ପଛଘୁଞ୍ଚା ଦେଉଉଛନ୍ତି, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଲି ଚୋରାଚାଲାଣକୁ ନେଇ ସ୍ଥାନୀୟ ଦାମୋଦରପୁରବାସିନ୍ଦା, ବିଭିନ୍ନ ସାମାଜିକ ଅନୁଷ୍ଠାନ, ଟ୍ରାକ୍ଟର୍ ମାଲିକ ସଂଘ ଓ ଜନସାଧାରଣ ତମ୍ବିତୋଫାନ୍ କରିବା ପରେ ତହସିଲଦାର ଅରୁଣ କୁମାର ନାୟକ ଚୋରାଚାଲାଣସ୍ଥଳକୁ ପରିଦର୍ଶନ କରି ଫେରିଛନ୍ତି। ତେବେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି।
ଅନ୍ୟପକ୍ଷରେ ଗତକାଲି ସକାଳୁ ବାଲି ଚୋରି ଘଟଣା ସାମ୍ନାକୁ ଆସିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ରାଜସ୍ବ ବିଭାଗର ଏକ ଟିମ୍ ନଦୀଘାଟକୁ ଯାଇ ସମସ୍ତ ଫଟୋଗ୍ରାଫି କରିଥିଲେ। ଏପରିକି ଚୋରା ବ୍ୟବସାୟୀଙ୍କ ଘର ବାରିପଟେ ଓ ଭାରତୀୟ ଖାଦ୍ୟ ନିଗମ ପଛପଟ ନିଛାଟିଆ ଜାଗାରେ ଥିବା ଗଦା ହୋଇଥିବା ଏକାଧିକ ଟ୍ରକ୍ ବାଲିର ଫଟୋ ଉଠାଇଥିଲେ। କେବଳ ଏତିକି ନୁହେଁ, କିଛି ସନ୍ଦିଗ୍ଧ ବେପାରୀଙ୍କ ନାମ ତହସିଲଦାରଙ୍କୁ ଲିଖିତ ଭାବେ ଦିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ରିପୋର୍ଟ ପ୍ରଦାନ ସତ୍ତ୍ବେ ତହସିଲଦାର ୪୮ ଘଣ୍ଟା ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଆଉ ମାଫିଆ ଓ ବେପାରୀଙ୍କୁ ପରୋକ୍ଷ ଭାବେ ପ୍ରୋତ୍ସାହିତ କରାଯାଉଥିବା ଏଥିରୁ ଜଳ ଜଳ ହୋଇ ଦିଶୁଛି। ଅନ୍ୟପକ୍ଷରେ ତହସିଲଦାର ଏଯାଏ ଥାନାରେ କୌଣସି ଏତଲା ଦାୟର୍ କରି ନଥିବା ସହ ଚୋର ବ୍ୟବସାୟୀଙ୍କଠୁ ଜରିମାନା ଆଦାୟ କରିନାହାନ୍ତି। ଫଳରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଭିଜିଲାନ୍ସ୍ ତଦନ୍ତ ପାଇଁ ଦାବି ହୋଇଛି।
ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗର ଆଇନ ଅନୁଯାୟୀ କୌଣସି ସେତୁ ଠାରୁ ୫୦୦ ମିଟର ଦୂରତ୍ୱରେ ବାଲି ଉତ୍ତୋଳନ ହୋଇପାରିବନି। ଏଭଳି ପରିସ୍ଥିତିରେ ପୁରୁଣା ସେତୁରୁ ବାଲି ଉତ୍ତୋଳନ ପାଇଁ ହାଇକୋର୍ଟ ରୋକ୍ ଲଗାଇଥିବା ବେଳେ ମାମଲା ବିଚାରାଧୀନ ରହିଛି। ତଥାପି କାହାର ଇଙ୍ଗିତରେ ଓ ପ୍ରୋତ୍ସାହନରେ କୋଟି କୋଟି ଟଙ୍କାର ବାଲି ରାତାରାତି ଚାଲାଣ ହେଲା ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଇଁ ଏକ ଖୋଲାଖୋଲି ଆହ୍ବାନ୍ ବୋଲି କହିଲେ ଅତ୍ୟୁକ୍ତି ହେବନି। ବଡ଼ବଡ଼ିଆ ଅଧିକାରୀମାନେ କାଳେ ଲୋକଲୋଚନକୁ ଆସିଯିବେ, ଏଥିପାଇଁ ତହସିଲଦାର କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଥିବା ଅନୁମାନ କରାଯାଉଛି।
ସମ୍ବନ୍ଧିତ ଖବର