ସାଟେଲାଇଟ୍‌ରେ ଚିହ୍ନଟ ହେଉଛି ଜଙ୍ଗଲ ନିଆଁ

୨୦୧୯ ପାଇଁ ୬ କୋଟିର ବଜେଟ୍‌, ପ୍ରତି ୪ ଘଣ୍ଟାରେ ତଥ୍ୟ ସଂଗ୍ରହ କରୁଛି ଜଙ୍ଗଲ ବିଭାଗ

ଭୁବନେଶ୍ବର : ସାଟେଲାଇଟ୍‌ ମାଧ୍ୟମରେ ଚିହ୍ନଟ ହେଉଛି ଜଙ୍ଗଲ ନିଆଁ। ଏଥିରୁ କେଉଁ ଅଞ୍ଚଳରେ ନିଆଁ ଲାଗିଛି ଜଣାପଡ଼ିବ। ସାଟେଲାଇଟ୍‌ ଚିତ୍ର ଆସିବାର ୪ ଘଣ୍ଟା ମଧ୍ୟରେ ବନ କର୍ମଚାରୀ ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହେବେ। କେତେ ଅଞ୍ଚଳରେ ନିଆଁ ଲାଗିଲା? କେ‌ତେ ଜଙ୍ଗଲ କ୍ଷତିଗ୍ରସ୍ତ ହେଲା? ନିଆଁର ସ୍ଥିତି କ’ଣ? ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଅଳ୍ପ ସମୟରେ ଏଭଳି ସବୁ ତଥ୍ୟ ହାସଲ କରିହେଉଛି। ତଥ୍ୟ ମିଳିବା ପରେ ରାଜ୍ୟ ମୁଖ୍ୟାଳୟରେ ତାହାକୁ ତର୍ଜମା କରାଯିବ। ଦିନକୁ ଅତି କମ୍‌ରେ ତିନି ଥର ଫିଲ୍ଡ ଅଫିସରଙ୍କ ସହ ଆଲୋଚନା ହେଉଛି। କାମ୍ପା ଓ ସେଣ୍ଟ୍ରାଲ ସ୍ପନସରଡ୍‌ ପ୍ଲାନ୍‌ ସ୍କିମ୍‌ (ସିଏସ୍‌ପିଏସ୍‌) ମାଧ୍ୟମରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଦିଗରେ ପଦକ୍ଷେପ ନିଆଯାଉଛି।

ପ୍ରତିବର୍ଷ ଫେବ୍ରୁଆରିରୁ ଜୁନ୍‌ ମାସ ମଧ୍ୟରେ ଓଡ଼ିଶାର ଜଙ୍ଗଲରେ ନିଆଁ ଲାଗିଥାଏ। ଗ୍ରୀଷ୍ମ ସମୟରେ ଗଛ ପତ୍ରଝଡ଼ା ଦେଇଥିବାରୁ ନିଆଁ ଲାଗିବାର ସମ୍ଭାବନା ଅଧିକ। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତଥ୍ୟ କହୁଛି, ୨୦୧୭-୧୮ ଆର୍ଥିକ ବର୍ଷ(ନିଆଁ ଲାଗିବା ସମୟରେ)ରେ ମୋଟ ୩୧ ହଜାର ୬୮୦ଟି ଘଟଣା ରେକର୍ଡ ହୋଇଥିଲା। ସେଥିମଧ୍ୟରୁ ୨୩ ହଜାର ୧୧୦ଟି ଘଟଣାର ତଳସ୍ତରରେ ଅନୁଧ୍ୟାନ ହୋଇଛି। ତାହାକୁ ଦୃଷ୍ଟିରେ ରଖି ୨୦୧୯ରେ ନିଆଁକୁ ଆୟତ୍ତ କରିବା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ୪ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିସହ ଟ୍ରାଇବାଲ୍‌ ସବ୍‌-ପ୍ଲାନ୍‌ରୁ ୮୩ ଲକ୍ଷ ୯୯ ହଜାର ଓ ସିଏସ୍‌ପିଏସ୍‌ରୁ ସ୍ବତନ୍ତ୍ର ଭାବେ ୧ କୋଟି ୨୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ଜଙ୍ଗଲ ବିଭାଗ ପିସିସିଏଫ୍‌ ସନ୍ଦୀପ୍‌ ତ୍ରିପାଠୀଙ୍କ କହିବାନୁଯାୟୀ, ସ‌ାଟେଲାଇଟ୍‌ ମାଧ୍ୟମରେ ପ୍ରତି ୪ ଘଣ୍ଟାରେ ରିପୋର୍ଟ ଆସୁଛି। ଦୁଇଟି ଜାତୀୟସ୍ତରୀୟ ସଂସ୍ଥା ଦ୍ବାରା ତଦାରଖ ହେଉଛି। ସମସ୍ତ ଡିଏଫ୍‌ଓ, ଆରସିସିଏଫ୍‌, ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଏହି ବ୍ୟବସ୍ଥାରେ ରହିଛନ୍ତି। ସାଟେଲାଇଟ୍‌ ମାଧ୍ୟମରେ ସୂଚନା ମିଳିବା ପରେ ବିଭିନ୍ନସ୍ତର ଦେଇ ଫରେଷ୍ଟ ଗାର୍ଡ ନିକଟରେ ପହଞ୍ଚିବ। ନିଆଁ ଲିଭିଗଲା, ଲିଭିବା ଅବସ୍ଥାରେ ରହିଛି ଓ ଜୋରରେ ଜଳୁଛି। ଏଭଳି ୩ଟି ସ୍ତରରେ ନିଆଁକୁ ଚିହ୍ନଟ କରାଯିବ। ଯଦି ଜୋରରେ ଜଳୁଥିବା ଫରେଷ୍ଟ ଗାର୍ଡ ସେଠାରେ ପହଞ୍ଚି ନିଆଁର ଫଟୋ ନେବେ। ତାହାକୁ ଅପ୍‌ଲୋଡ୍‌ କରିବେ। ସେଥିରୁ ଜଣାପଡ଼ିଯିବ କେତେ ଅଞ୍ଚଳରେ ନିଆଁ ଲାଗିଥିଲା। ସମସ୍ତ କର୍ମଚାରୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍‌ ଦିଆଯାଇଛି। ଯେଉଁମାନେ କରିନାହାନ୍ତି ସେମାନେ ତୁରନ୍ତ କରିବାକୁ କୁହାଯାଇଛି। ଅଧିକ ସଂଖ୍ୟାରେ ଏୟାର ବ୍ଲୋଅର ଅଣାଯାଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର