ମାଓ ମୁକାବିଲା ପାଇଁ ଗୁଇନ୍ଦା ଭୂମିକା ଗୁରୁତ୍ବପୂର୍ଣ୍ଣ: ଗୁଇନ୍ଦା ଡିଜି

ଭୁବନେଶ୍ୱର : ଅନ୍ତରୀଣ ଡିଜି ସହିତ ଆଜି ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି ଭାବରେ ଦାୟିତ୍ବ ନେଇଛନ୍ତି ଡ. ସତ୍ୟଜିତ ମହାନ୍ତି। ଆଜି ପୂର୍ବାହ୍ନରେ ସେ ଏସ୍‌ଆଇଡବ୍ଲୁ(ସ୍ପେଶାଲ ଇଣ୍ଟିଲିଜେନ୍ସ ଉଇଙ୍ଗ୍‌) ଯାଇ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ମାଓ ମୁକାବିଲା ପାଇଁ ଗୁଇନ୍ଦାର ପ୍ରମୁଖ ଭୂମିକା ରହିଛି। ଏହି ମୁକାବିଲାରେ ଓଡ଼ିଶା ଆଗରେ ରହିଛି। ଏହି ଧାରା କିଭଳି ଜାରି ରହିବ ତାହା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ବିଗତ ଦୁଇ ତିନିବର୍ଷ ଧରି ମାଓ ହିଂସାର ଅନୁପାତ କମିବାରେ ଲାଗିଛି। ମାଓ ମୁକାବିଲାରେ ପଡ଼ୋଶୀ ରାଜ୍ୟ ସହ ସୁସମ୍ପର୍କ ରହିଛି। ଗୋଟିଏ ପଟେ ଗୁଇନ୍ଦା ତଥ୍ୟ ସଂଗ୍ରହ ଓ ଅନ୍ୟପଟେ ପଡ଼ୋଶୀ ରାଜ୍ୟ ସହ ସୁସମ୍ପର୍କ ଉଭୟ ଏହି ମୁକାବିଲାର ସଫଳତା ପାଇଁ ସହାୟକ ହୋଇଥାନ୍ତି। ଏଣୁ ଏହା ଉପରେ ପ୍ରାଥମିକତା ରହିବ।

ଏହା ବ୍ୟତୀତ ଭିଆଇପି ସୁରକ୍ଷା ଓ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଯୋଜନା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ପ୍ରମୁଖ ଦାୟିତ୍ବ ରହିବ। ସୂଚନା କିଭଳି ଠିକ୍‌ ଜାଗାରେ ପହଞ୍ଚିବ ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ ହେବ। କାରଣ ପୁଲିସ ଏହି ସୂଚନାକୁ ଆଧାର କରି ଆଗକୁ ବଢ଼ିବ। ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସକ୍ଷମ ହେବ। ଏଣୁ ଏହା ଉପରେ କଡ଼ା ନଜର ରହିବ। ସେହିଭଳି କାରାଗାର ଡିଜି ଥିବାବେଳେ ସେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଥିଲେ। ବର୍ଷ ବର୍ଷ ଧରି ପଡ଼ି ରହିଥିବା ଇ-ପ୍ରିଜନ୍‌ ପ୍ରକଳ୍ପକୁ ଆରମ୍ଭ କରିଥିଲେ। ‌କାରାଗାରରେ ପରୀକ୍ଷାମୂଳକ ଭାବରେ ରେଡିଓ ଷ୍ଟେସନ ଓ ‘ଅଟୋମେଟିକ୍‌ ରେଷ୍ଟ୍ରିକ୍‌ଟେଡ୍‌ ଟେଲିଫୋନିକ୍‌ ସିଷ୍ଟମ୍‌’ (ଏଆର୍‌ଟିଏସ୍‌) ବ୍ୟବସ୍ଥା ପ୍ରଚଳନ ପାଇଁ ଯୋଜନା କରିଥିଲେ। ନିକଟ ଅତୀତ‌ରେଏଆରଟିଏସ୍‌ ବ୍ୟବସ୍ଥାର ଡେମେନ୍‌ଷ୍ଟ୍ରେସନ ମଧ୍ୟ କରାଯାଇଥିଲା। ସେସବୁ ଅଧପନ୍ତରିଆ ରହିଛି। ଏ ନେଇ ସେ କହିଛନ୍ତି, ବନ୍ଦୀମାନେ ମାନସିକ ଓ ଶାରୀରିକ ଦୃଷ୍ଟିକୋଣରୁ ସୁସ୍ଥ ରହିବା ଜରୁରୀ। ଜେଲ୍‌ରୁ ବାହାରିବା ପରେ ସେମାନେ ମୁଖ୍ୟ ସ୍ରୋତରେ କିଭଳି ସାମିଲ ହେବେ ତାହା ଉଦ୍ଦେଶ୍ୟ। ଉପରୋକ୍ତ ପ୍ରକଳ୍ପ ସେଥିପାଇଁ ପରିକଳ୍ପନା କରାଯାଇଥିଲା। ୩୧ ମାର୍ଚ୍ଚ ସୁଦ୍ଧା ଇ-ପ୍ରିଜନ ପ୍ରକଳ୍ପର ସମୟସୀମା ରହିଛି। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ। ଏହାକୁ ଏହି ସମୟ ଅବଧି ମଧ୍ୟରେ ସାରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର