ପଦାକୁ ଆସିଲା ଜେଲ କେଳେଙ୍କାରୀର ଆଉ ଏକ ଅଧ୍ୟାୟ : ୬ ଜେଲର କଏଦୀ ଖାଇଛନ୍ତି ୧୮ ଲକ୍ଷ ଟଙ୍କାର ଜଳଖିଆ

ଭୁବନେଶ୍ବର : ବାଲେଶ୍ବରର ନୀଳଗିରି, କଟକ ଚୌଦ୍ବାର ଓ ଫୁଲବାଣୀ ଜେଲ୍‌ କେଳେଙ୍କାରୀ ପଦାକୁ ଆସିବା ପରେ ଏବେ ରାଜ୍ୟର ଆଉ ୬ଟି ଜେଲ୍‌ରେ ହୋଇଥିବା ବଡ଼ ଦୁର୍ନୀତି ସାମନାକୁ ଆସିଛି। ଜେଲ କର୍ତୃପକ୍ଷ ଓ କର୍ମଚାରୀଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏହି ୬ଟି ଜେଲରେ ଥିବା କଏଦୀମାନେ ଚଳିତ ବର୍ଷ ପାଖାପାଖି ୧୮ଲକ୍ଷ ଟଙ୍କାର ଜଳଖିଆ ଜେଲ କ୍ୟାଣ୍ଟିନରୁ କିଣି ଖାଇଛନ୍ତି। କେଉଁ ପରିସ୍ଥିତିରେ କଏଦୀମାନେ ଏତେ ଟଙ୍କାର ଜଳଖିଆ ଖାଇଲେ, ତାକୁ ନେଇ ଏବେ ସନ୍ଦେହ ଉପୁଜିଲାଣି। ଜେଲ୍‌ ଚାରିକାନ୍ଥ ଭିତରକୁ କେମିତି ଏତେଗୁଡ଼ିଏ ଟଙ୍କା ଆସିଲା, ତାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ଜେଲ କର୍ମଚାରୀ ଓ କଏଦୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ଏହି ତାଲିକାରେ ଝାରପଡ଼ା ଜେଲ ପ୍ରଥମ ସ୍ଥାନରେ ରହିଛି। ଏହି ସ୍ପେସାଲ ଜେଲର କ୍ୟାଣ୍ଟିନରୁ କଏଦୀମାନେ ପ୍ରାୟ ସାଢ଼େ ୭ଲକ୍ଷ ଟଙ୍କାର ଜଳଖିଆ ଖାଇଛନ୍ତି। ସେହିପରି ଚୌଦ୍ବାର ଜେଲର କଏଦୀମାନେ ସାଢ଼େ ୬ ଲକ୍ଷ, ବ୍ରହ୍ମପୁର ଜେଲର କଏଦୀ ୩ ଲକ୍ଷ, ବା‌ଲେଶ୍ୱର ଜେଲର କଏଦୀ ୫୦ ହଜାର ଓ ବାରିପଦା ଜେଲ କଏଦୀ ୫୮ହଜାର ଟଙ୍କାର ଜଳଖିଆ ଖାଇଛନ୍ତି।

ଜେଲ ବିଭାଗର ନିୟମ ଅନୁଯାୟୀ, ଜେଲ୍‌ ଭିତରକୁ ରନ୍ଧା ଖାଦ୍ୟ ନେବାରେ ବାରଣ ରହିଛି। କଏଦୀମାନେ ଜେଲ ଭିତରେ ବିଭିନ୍ନ କାର୍ଯ୍ୟ କରିବା ବାବଦରେ ପ୍ରତ୍ୟେକ ଦିନ ୪୦ଟଙ୍କା ପାଇଥାନ୍ତି। ଏହାଛଡ଼ା ପରିବାର ଲୋକ ଓ ସମ୍ପର୍କୀୟ ମାସକୁ ସର୍ବାଧିକ ୫ଶହ ଟଙ୍କା ଦେଇପାରିବେ। ତେବେ ୬ଟି ଜେଲର ଯେତେ ସଂଖ୍ୟାରେ କଏଦୀ ରହୁଛନ୍ତି, ସେମାନଙ୍କ ଜଳଖିଆ ଖର୍ଚ ହିସାବକୁ ନେଲେ ଏହା ବହୁ ଗୁଣ ଅଧିକ ଖର୍ଚ ହୋଇଯାଉଛି।

ଏଭଳି ପରିସ୍ଥିତି‌ରେ ଅଭିଯୋଗ ହେଉଛି କି, ପରିବାର ଲୋକ ଓ ସମ୍ପର୍କୀୟ ଜେଲ ଭିତରେ ଥିବା କଏଦୀମାନଙ୍କୁ ଭେଟିବାକୁ ଆସି ଟଙ୍କା ପ୍ରଦାନ କରୁଛନ୍ତି। ଏଥିରେ କେତେକ ସଜ୍ଜା କାଟୁଥିବା ପୁରୁଣା କଏଦୀମାନେ ମଧ୍ୟ ସଂପୃକ୍ତ ରହୁଛନ୍ତି। କେବଳ ଟଙ୍କା କାହିଁକି, ଜେଲ କର୍ମଚାରୀ ଓ କଏଦୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା କାରଣରୁ ଅନେକ ବେଆଇନ ସାମଗ୍ରୀ ମଧ୍ୟ ପ୍ରବେଶ ହେଉଛି।

ତେବେ ଏ ସମ୍ପର୍କରେ ଜେଲ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଜଳିଖିଆ ଖାଇବାରେ କୌଣସି ଦୁର୍ନୀତି ହୋଇନାହିଁ। କଏଦୀମାନେ ପାଉଥିବା ଟଙ୍କା ଓ ସେମାନଙ୍କ ପରିବାର ଲୋକ ଦେଉଥିବା ଟଙ୍କାରେ ଜେଲ କ୍ୟାଣ୍ଟିନରୁ ଜଳଖିଆ ଖାଉଛନ୍ତି। ଜେଲ ସଂସ୍କାର ନିୟମରେ କଏଦୀମାନଙ୍କୁ ଏଭଳି ସୁଯୋଗ ମିଳୁଛି। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ।

ସମ୍ବନ୍ଧିତ ଖବର