ଏସ୍‌ସିବିରେ ଇଏ କି ପ୍ରକାର ପ୍ରସ୍ତୁତି? ରୋଗୀ ହାଉଯାଉ ଅଞ୍ଚଳରେ କରୋନା ୱାର୍ଡ, ୱାର୍ଡ ସଂପର୍କରେ କେଉଁଠି ବି ନାହିଁ ସୂଚନା ଫଳକ କି ସତର୍କତା ପରାମର୍ଶ

କଟକ : କଟକ ବଡ ଡାକ୍ତରଖାନାରେ ଯେଉଁଠି ସବୁଠୁ ଅଧିକ ରୋଗୀ ହାଉଯାଉ ହୁଅନ୍ତି, ସେଇଠି ଖୋଲାଯାଇଛି କରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ। ଯେଉଁଠି କରୋନା ସନ୍ଦିଗ୍ଧଙ୍କୁ ସଂପୂର୍ଣ୍ଣ ଭାବେ ଏକୁଟିଆ ରଖିବା କଥା କୁହାଯାଉଛି, ସେଭଳି ସ୍ଥିତିରେ କଟକ ବଡ଼ ଡାକ୍ତରଖାନାରେ ଖୋଲାଯାଇଥିବା କରୋନା ସ୍ବତନ୍ତ୍ର ୱାର୍ଡ କିଏ ସେହି ସ୍ଥାନରେ ଖୋଲିବାକୁ ନିଷ୍ପତ୍ତି ନେଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ବଡ ଡାକ୍ତରଖାନାର ଯେଉଁଠି ଚକ୍ଷୁ, ମେଡିସିନ୍‌, ରୁମାଟିଜିମ୍‌, ଇଏନ୍‌ଟି ବିଭାଗର ଓପିଡି ସହ ଚକ୍ଷୁ ବିଭାଗର ଓଟି ରହିଛି ସେହି କୋଠାର ଚାରି ମହଲା ଉପରେ ରହିଛି କରୋନା ସ୍ବତନ୍ତ୍ର ୱାର୍ଡ। ଏହା ସମ୍ମୁଖରେ ରଂଜନ ରଶ୍ମୀବିଭାଗ, ପାଖରେ ଏସ୍‌ସିବି ରକ୍ତଭଣ୍ଡାର ବି ରହିଛି। ଜଣେ କରୋନା ସନ୍ଦିଗ୍ଧଙ୍କୁ ସ୍ବତନ୍ତ୍ର ୱାର୍ଡକୁ ନେବା ଭିତରେ ସନ୍ଦିଗ୍ଧ ପାଖାପାଖି ହଜାରେ ରୋଗୀ, ତାଙ୍କ ସଂପର୍କୀୟ, ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କ ସ˚ସ୍ପର୍ଶରେ ଆସିବେ। ଅନ୍ୟପଟେ ଯେଉଁଠି କରୋନା ୱାର୍ଡ ରହିଛି, ସେହି ମହଲାରେ ହିଁ ରହିଛି ସ୍ବାଇନ୍‌ ଫ୍ଲୁ ୱାର୍ଡ। ସେହି ସ୍ଥାନରେ ସ୍ବତନ୍ତ୍ର କରୋନା ୱାର୍ଡ ଖୋଲିବାକୁ କେନ୍ଦ୍ରୀୟ ଟିମ୍‌ ବି କୁଆଡେ ସ୍ବୀକୃତ ଦେଇଥିବା କୁହାଯାଉଛି। କରୋନା ଭୟ ବଢି ଚାଲିଥିବାବେଳେ ଏବେ ଏଭଳି ନିଷ୍ପତ୍ତିର ଯଥାର୍ଥତା ଆଉ ଉଦ୍ଦେଶ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହେଲାଣି।

କଟକ ବଡ଼ ଡାକ୍ତରଖାନାରେ ଜାନୁଆରି ଶେଷ ସପ୍ତାହରୁ ଖୋଲାଯାଇଛି ଏହି ସ୍ବତନ୍ତ୍ର କରୋନା ୱାର୍ଡ। ଉକ୍ତ ସ୍ବତନ୍ତ୍ର କରୋନା ୱାର୍ଡରେ ୪୬ଟି ବେଡ୍‌ ଓ ୮ଟି ଆଇସିୟୁ ରହିଛି। ଏହି ୱାର୍ଡର ଭିତ୍ତିଭୂମି ଯାଞ୍ଚ ପାଇଁ କେନ୍ଦ୍ରୀୟ ଟିମ୍‌ ଦୁଇ ଥର ଏସ୍‌ସିବି ଗସ୍ତରେ ଆସିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବ ମଧ୍ୟ ଏସ୍‌ସିବିରେ ପହଞ୍ଚି ସ୍ବତନ୍ତ୍ର ୱାର୍ଡର ଭିତ୍ତିଭୂମି ପରିଖି ଥିଲେ। ଉକ୍ତ ଟିମ୍‌ ମଧ୍ୟ କରୋନା ୱାର୍ଡର ଭିତ୍ତିଭୂମି ଠିକ୍‌ ଥିବା ମଧ୍ୟ ରିପୋର୍ଟ ଦେଇଥିଲେ। ହେଲେ ଏଭଳି ଭିତ୍ତିଭୂମିକୁ ଯାଞ୍ଚ କରି କେନ୍ଦ୍ରୀୟ ଟିମ୍‌ ସେଥିରେ ମୋହର ଦେଲା କେମିତି? ଜଣେ କରୋନା ସନ୍ଦିଗ୍ଧ ରୋଗୀ ଏସ୍‌ସିବିକୁ ଆସିଲେ ଚକ୍ଷୁ ବିଭାଗ, ମେଡିସିନ୍‌ ବିଭାଗ, ଇଏନ୍‌ଟି ଆଉଟ୍‌ ଡୋର,ଟିକେଟ୍‌ କାଉଣ୍ଟର ଓଟି ତଥା ବିଭିନ୍ନ ଓପିଡି ଦେଇ ଖୋଲା ଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି ହେବେ। ଏସ୍‌ସିବିରେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ସନ୍ଦିଗ୍ଧ ଭର୍ତ୍ତି ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ହେଲେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ବଡ ଡାକ୍ତରଖାନା ଭଳି ସମ୍ବେଦନଶୀଳ ଅଞ୍ଚଳରେ ଏଭଳି ବେପରୱା ନିଷ୍ପତ୍ତି ସାଧାରଣରେ ପ୍ରତିକ୍ରିୟାର କାରଣ ହୋଇଛି।

ଅନ୍ୟପଟେ କରୋନା ୱାର୍ଡ ସଂପର୍କିତ ସୂଚନା ବି କଟକ ବଡ ଡାକ୍ତରଖାନାରେ କେଉଁଠି ନାହିଁ। କେବଳ ୪ର୍ଥ ମହଲ‌ାରେ ଥିବା ୱାର୍ଡ ସାମନାରେ କରୋନା ୱାର୍ଡ ବୋଲି ଉଲ୍ଲେଖ ରହିଛି। ୱାର୍ଡର ସ୍ଥିତି ଏମିତି ଯେ, ଯେକେହି ଚାହିଁଲେ ବି ସେଠାକୁ ଯାଇପାରିବ। ଏଥିପାଇଁ କୌଣସି ସତର୍କତାମୂଳକ ପୋଷ୍ଟର ମରାଯାଇନି କି ସୂଚନା ଲେଖା ହୋଇନି। ଯେତେବେଳେ କୌଣସି ଭାଇରାଲ ବା ସଂକ୍ରମଣ ଜନିତ ରୋଗ ଦେଖାଯାଏ ବା ଚିହ୍ନଟ ହୁଏ ରାଜ୍ୟରେ ଏସ୍‌ସିବିରେ ପ୍ରଥମେ ସ୍ବତନ୍ତ୍ର ୱାର୍ଡ ଖୋଲାଯାଏ। କିନ୍ତୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ବା ସ୍ବତନ୍ତ୍ର ସଂକ୍ରମଣ ୱାର୍ଡ ଆଜି ପର୍ଯ୍ୟନ୍ତ ଏସ୍‌ସିବିରେ ପ୍ରସ୍ତୁତ ହୋଇପାରିନି। ସେହି ଚିରାଚରିତ ଢଙ୍ଗରେ ଡେଙ୍ଗୁ, ସ୍ବାଇନ୍‌ ଫ୍ଲୁ ୱାର୍ଡ ଯେଉଁଠି ଖୋଲାଯାଏ ସେହି ମହଲାରେ ହିଁ ପୁଣି ଖୋଲି ଦିଆଯାଇଛି କରୋନା ୱାର୍ଡ।

ଏସ୍‌ସିବିରେ ସ୍ବତନ୍ତ୍ର ସଂକ୍ରମଣ ୱାର୍ଡ ପାଇଁ କେବଳ ଯୋଜନା ହୋଇଛି। ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି। କିନ୍ତୁ କରୋନାକୁ ସରକାର ଜାତୀୟ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ ଡବ୍ଲୁଏଚ୍‌ଓ ଏହାକୁ ମହାମାରୀ ଘୋଷଣା କରିଛି। ଏଭଳି ସ୍ଥି୍ତିରେ ଏସ୍‌ସିବି ଭଳି ‌ରାଜ୍ୟର ବଡ ଡାକ୍ତରଖାନାରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡ କିଭଳି ସେଠି ଖୋଲା ଯାଇଛି, ତାହା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି। ଅନ୍ୟପଟେ ଏ ସଂପର୍କରେ ସ୍ବେଚ୍ଛାସେବୀ ଅଚ୍ୟୁତ ସାହୁ କହିଛନ୍ତି ଯେ ଯେଉଁ ସ୍ଥାନରେ ସ୍ବତନ୍ତ୍ର ୱାର୍ଡ ଖୋଲାଯାଇଛି, ତାହା ଆଦୌ ଠିକ୍‌ ସ୍ଥାନ ନୁହେଁ। ଏସ୍‌ସିବିର ସବୁଠାରୁ ଗହଳିପୂର୍ଣ୍ଣ ଓପିଡିରେ ଏଭଳି ୱାର୍ଡକୁ ତୁରନ୍ତ ବନ୍ଦ କରାଯାଇ ଅନ୍ୟ ସ୍ଥାନରେ ଥିବା ସ୍ବତନ୍ତ୍ର କୋଠାରେ ହିଁ କେବଳ କରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କୁ ରଖାଯାଉ। ଏଭଳି ବ୍ୟବସ୍ଥାରେ ପରିବର୍ତ୍ତନ କରା ନଗଲେ ଆଗକୁ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ‌ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର