ସ୍କୁଲ ବନ୍ଦ: ଅନଲାଇନ ଶିକ୍ଷା ଅପହଞ୍ଚ, ଦୁର୍ଗମ ଅଞ୍ଚଳରେ ଜଂଗଲରୁ କାଠ ସଂଗ୍ରହ କରୁଛନ୍ତି ପିଲା

ମାଲକାନଗିରି: କରୋନା ଯୋଗୁଁ ଏବେ ସାରା ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ସମସ୍ତ ସ୍କୁଲ ବନ୍ଦ ହୋଇ ପଡିଛି। ପିଲାମାନେ ଏବେ ଅନଲାଇନରେ ଶିକ୍ଷା ଗ୍ରହଣ କରୁଛନ୍ତି। କିନ୍ତୁ ଜିଲ୍ଲାର ୮୦ ପ୍ରତିଶତ ପିଲା ଅନଲାଇନ ଶିକ୍ଷାର ଫାଇଦା ଉଠାଇ ପାରୁନଥିବା ଲକ୍ଷ୍ୟ କରାଯାଇଛି। ମାଲକାନଗିରି ଜିଲ୍ଲା ଏକ ଅନୁନ୍ନତ ଏବଂ ଗରିବ ଜିଲ୍ଲା ହୋଇଥିବାରୁ ଏଠାକାର ଅଧିବାସୀ ଆଦିବାସୀ ସଂପ୍ରଦାୟର ଅଟନ୍ତି। ଏମାନଙ୍କ ପାଖରେ ପିଲାଙ୍କୁ ପାଠ ପଢାଇବା ପାଇଁ ବଡ ବଡ ମୋବାଇଲ ନାହିଁ। ଫଳରେ ପିଲାମାନେ ପାଠ ପଢିବା ବଦଳରେ ପରିବାରକୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ଦୃଶ୍ୟ ଆମେ ମାଥିଲି ବ୍ଲକର ଦୁର୍ଗମ ନକ୍ସଲ ପ୍ରବଣ ଟେମରୁପାଲୀ ଗାଁରେ ଦେଖିବାକୁ ପାଇଥିଲୁ।

ଟେମରୁପାଲ୍ଲୀ ନିକଟରେ ରହିଥିବା ଜଂଗଲରୁ ପିଲାମାନେ କାଠ ସଂଗ୍ରହ କରି ନିଜ କାନ୍ଧରେ ବୋହି ଆଣୁଥିଲେ। ସମସ୍ତେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପଢୁଛନ୍ତି। ସ୍କୁଲ ନଥିବାରୁ ଜଂଗଲରେ ଖେଳି ବୁଲିବା ସହ ଘରକୁ ଫେରିବା ବେଳେ କାଠ ଗଣ୍ଡିମାନ ଉଠାଇ ଘରକୁ ଆଣୁଥିବା ଦେକିବାକୁ ମିଳିଥିଲା। ତେବେ ସେମାନଙ୍କୁ ସେମାନଙ୍କର ଶ୍ରେଣୀ ସଂପର୍କରେ ପଚାରିବାରୁ ସେମାନେ ଠିକ ଉତ୍ତର ଦେଇପାରିନଥିଲେ। କାରଣ ଗତ ଦୁଇ ବର୍ଷ ହେଲା ସ୍କୁଲ ଖୋଲିନଥିବାରୁ ସେମାନେ କେଉଁ ଶ୍ରେଣୀରେ ପାଠ ପଢୁଛନ୍ତି କହିପାରିନଥିଲେ। ଏଭଳି ଦୃଶ୍ୟ କେବଳ ମାଥିଲି ବ୍ଲକରେ ହିଁ ନୁହେଁ ଜିଲ୍ଲାର ସମସ୍ତ ସାତୋଟି ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ସେହିପରି ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ପିଲାମାନେ ଘୋଡା ବା ଖଚର ପିଠିରେ ବସି ଏହାର ମଜା ଉଠାଉଛନ୍ତି। ସେହିଭଳି ଅନ୍ୟ ବ୍ଲକର ଦୁର୍ଗମ ଗ୍ରାମର ପିଲାମନେ ଦିନସାରା ଖେଳି ବୁଲିବା ସହ ଦରକାର ପଡିଲେ ବାହାର ଜିଲ୍ଲାକୁ କୁଲି କାମ କରିବାକୁ ଚାଲିଯାଉଥିବା ନଜିର ରହିଛି।

ଜିଲ୍ଲାର କେବଳ କୋଡିଏ ପ୍ରତିଶତ ପିଲା ହିଁ ଅନଲାଇନ ଶିକ୍ଷା ଗ୍ରହଣ କରିପାରୁଛନ୍ତି। କେବଳ ବ୍ଲକ ସଦର ମହକୁମାରେ ହିଁ ନେଟଵର୍କର ବ୍ୟବସ୍ଥା ରହିଥିବା ବେଳେ ବ୍ଲକର ଅନ୍ୟ ପଞ୍ଚାୟତଗୁଡିକରେ ପ୍ରାୟତଃ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍କୁଲ ବନ୍ଦ ଯୋଗୁଁ ପିଲାମାନେ ଏକ ପ୍ରକାର ପାଠ ଭୁଲିଯାଉଥିବା ଦେଖିବାକୁ ମିଳିଛି। ପିଲାମାନେ ଆଗାମୀ ଆର୍ଥିକ ବର୍ଷରେ କେଉଁ ଶ୍ରେଣୀକୁ ଯିବେ ତାହା ମଧ୍ୟ ଜାଣିପାରୁନାହାନ୍ତି। ଏପରିସ୍ଥଳେ କିପରି ଶିକ୍ଷା ବ୍ୟବସ୍ଥା ଚାଲିବ ତାହାକୁ ନେଇ ସଂଦେହ ଉଠୁଛି। କୋରନା ଯୋଗୁଁ ଜିଲ୍ଲାର ଶହ ଶହ ପିଲା ଏବଂ ନିରକ୍ଷର ହେବାକୁ ବସିଲେଣି। ସ୍କୁଲ ଖୋଲୁନଥିବାରୁ ପିଲାମାନେ ଡ୍ରପଆଉଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ପ୍ରଶାସନ ଏବଂ ସରକାର ଏଦିଗରେ ଦୃଷ୍ଟି ନଦେଲେ ଜିଲ୍ଲାରେ ଶିକ୍ଷା ସଂପୂର୍ଣ୍ଣ ତଳକୁ ଖସିଯିବ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର