ସାବାଡ଼ ହେବେ ମଦୁଆ ମାଷ୍ଟର! ସ୍କୁଲରେ ଧରାପଡ଼ିଲେ ବିଦା ହେବେ
ଭୁବନେଶ୍ବର : ଯଦି ଶିକ୍ଷକ କିମ୍ବା କର୍ମଚାରୀ ମଦ୍ୟପାନ ବା ନିଶାଦ୍ରବ୍ୟ ସେବନ କରି ବିଦ୍ୟାଳୟ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍(ସିସିଏ ରୁଲ୍ସ) ୧୯୬୨ର ରୁଲ୍-୧୬ ଅନୁଯାୟୀ ସେମାନଙ୍କୁ ବହିଷ୍କାର କରାଯାଇପାରେ। କୌଣସି ବି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଭବିଷ୍ୟତ ସହ ଖେଳୁଥିବା ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସବୁବେଳେ ଗୁରୁତ୍ବ ଦିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବୋ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଶା ସେବନ କରି ସ୍କୁଲ୍କୁ ଆସିବା ସହ ପିଲାମାନଙ୍କୁ ଧାଡ଼ି କରି ଅଣ୍ଠେଇ ଦେଇଥିଲେ। ଏପରିକି ନିଶାସକ୍ତ ଅବସ୍ଥାରେ ପିଲାଙ୍କ ସହିତ ଫଟୋ ଉଠାଉଥିବା ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିଛି। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଘଟଣାର ତଦନ୍ତ କରି ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏଥିସହ ଆଗକୁ ଯଦି କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କ ଅଧିକାର ଓ ସୁରକ୍ଷା ବାଧାପ୍ରାପ୍ତ ହେଉଥିବା ଦୃଷ୍ଟିକୁ ଆସେ, ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି।
ନିୟମ ଅନୁଯାୟୀ କ୍ଲାସରୁମ୍ଠାରୁ କ୍ୟାମ୍ପସ, ମଧ୍ୟାହ୍ନଭୋଜନ, ବିଲଡି˚ରେ ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ ରହିବେ, ସେଥିପ୍ରତି ଗୁରୁତ୍ବ ଦେବା, କ୍ୟାମ୍ପସ୍ର ଶହେ ମିଟର ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ଉପରେ କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। କ୍ୟାମ୍ପସ୍ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ସ୍କୁଲ କର୍ତୃପକ୍ଷ ପଦକ୍ଷେପ ନେଇପାରିବେ। ଏଥିସହ କ୍ୟାମ୍ପସ୍ର ପ୍ରମୁଖ ସ୍ଥାନରେ ନିଶାଦ୍ରବ୍ୟ ସେବନ ବାରଣ ନେଇ ସଚେତନତା ପୋଷ୍ଟର ଲଗାଇବାକୁ କୁହାଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ନିୟମିତ ଭାବେ କ୍ୟାମ୍ପସକୁ ଗସ୍ତ କରି ପିଲାଙ୍କ ସାଙ୍ଗରେ ଶିକ୍ଷକଙ୍କ ବିଷୟରେ ଆଲୋଚନା କରିବେ। ହେଲପ୍ ଡେକ୍ସ ଖୋଲିବା, ଟୋଲ ଫି’ ନମ୍ବର, କିଶୋର ମଞ୍ଚ, ବାଲସଭା ପରି କାର୍ଯ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ଅବହେଳା ହେଉଥିବା ନଜରକୁ ଆସିଲେ ଆଇପିସିର ବିଭିନ୍ନ ଧାରା, ଅନୁସୂଚିତ ଜାତି ଓ ଜନଜାତି ଆଇନ, ମୌଳିକ ଅଧିକାର ଆଇନ ଓ ଶିଶୁଙ୍କ ଯୌନଶୋଷଣ ଆଇନ ୨୦୧୨, ଶିକ୍ଷା ଅଧିକାର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।
ସୂଚନା ଅନୁଯାୟୀ ଗତ ତିନି ବର୍ଷ ହେଲା ଓଡ଼ିଶାରେ ଛାତ୍ରୀ ନିର୍ଯାତନା ଅଭିଯୋଗ ବଢ଼ି ଚାଲିଛି। କେଉଁଠି ଶିକ୍ଷକମାନେ କ୍ୟାମ୍ପସ୍କୁ ମଦ୍ୟପାନ କରି ଆସୁଛନ୍ତି ତ ଆଉ କେଉଁଠି ଶିକ୍ଷକଙ୍କ ଗାଡ଼ି ଡିକିରୁ ମଦ ବାହାରୁଛି। ୨୦୧୮-୧୯ ଶିକ୍ଷାବର୍ଷରେ ଏନେଇ ବାରମ୍ବାର ଅଭିଯୋଗ ଆସିଥିବାରୁ ଗତ ଜୁଲାଇ ମାସରେ ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଥିଲା। ଏବେ ଯାଜପୁର ଜିଲ୍ଲାରେ ମଦ୍ୟପ ଶିକ୍ଷକଙ୍କ ଏଭଳି କାଣ୍ଡ ପରେ ବିଭାଗ ଆହୁରି କଠୋର ହୋଇଛି। ମନ୍ତ୍ରୀ ଶ୍ରୀ ଦାଶ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଭିଯୋଗ ଆସିବାର ୪ ଘଣ୍ଟା ଭିତରେ ଘଟଣାର ସତ୍ୟାସତ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହୋଇଛି। ଆଗକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।