ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା: ସିସିଟିଭି ପାଇଁ ଅବଢ଼ା ଯୋଜନାରେ ଖର୍ଚ୍ଚ ହେବ ଦେଢ଼ କୋଟି

ପୁଣି ପୁଲିସ ହାଉସିଂ କର୍ପୋରୋସନ୍‌କୁ ଦେବାକୁ ଯୋଜନା, ୮୦ ଲକ୍ଷ ଟଙ୍କାର ଭରଣା କରିବ କିଏ?

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ପରେ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥାରେ କେଉଁଠି ଘଳିଆ ରହିଛି, ତାର ଅନୁସନ୍ଧାନ କରାଯାଉଛି। ଯେଉଁଠି ବି ଘଳିଆ ରହିଛି, ତାର ଅନୁଧ୍ୟାନପୂର୍ବକ ଆଶୁ ପଦକ୍ଷେପ ନେବାକୁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି। ବିଶେଷକରି, ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖିବା ପାଇଁ ଅବଢ଼ା ଯୋଜନାରେ ରାଜ୍ୟ ସରକାର ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ପୁଣିଥରେ ପୁଲିସ ହାଉସିଂ କର୍ପୋରେସନ୍‌କୁ ଏହି ଦାୟିତ୍ବ ଦେବାକୁ ଯୋଜନା କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଯାହାକୁ ବିରୋଧ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ପରେ ମନ୍ଦିର ସୁରକ୍ଷା ପାଇଁ ନୂଆ ଏସ୍‌ଓପି ପ୍ରସ୍ତୁତ ହୋଇଛି। ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ରଖିବାକୁ ଯୋଜନା କରାଯାଇଛି। ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସୁରକ୍ଷା ସ୍ଥିତି ଅନୁଧ୍ୟାନ ପରେ ଶ୍ରୀମନ୍ଦିରରେ ଉଚ୍ଚକ୍ଷମତାସମ୍ପନ୍ନ ସିସିଟିଭି ଲଗାଇବାକୁ ଯୋଜନା କରାଯାଇଛି। ଏଥିପାଇଁ ଗତକାଲି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସିସିଟିଭି ବ୍ୟବସ୍ଥା, ଶୋଧ ବ୍ୟବସ୍ଥା, ପରିଚୟପତ୍ର ବ୍ୟବସ୍ଥା ଆଦିକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ପ୍ରଶ୍ନ ଉଠାଇଥିଲେ। ବିସ୍ତୃତ ଆଲୋଚନା ପରେ ଶ୍ରୀମନ୍ଦିରରେ ନୂଆ କରି ୧୩୫ଟି ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି ଲଗାଇବାକୁ ଯୋଜନା କରାଯାଇଛି। ଏହାର ରିଜଲ୍ୟୁସନ୍‌ ଅଧିକ ଓ ପ୍ରାୟ ମାସେରୁ ୨ ମାସ ପର୍ଯ୍ୟନ୍ତ ଷ୍ଟୋରେଜ୍‌ କ୍ଷମତା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପୁଣି ପୁଲିସ ହାଉସିଂ କର୍ପୋରୋସନ୍‌କୁ ଦେବାକୁ ଯୋଜନା

୮୦ ଲକ୍ଷ ଟଙ୍କାର ଭରଣା କରିବ କିଏ?

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଆଇଜି

ମିଳିଥିବା ସୂଚନା ମୁତାବକ, ଏହି ୧୩୫ଟି କ୍ୟାମେରା ଖର୍ଚ୍ଚ ଅବଢ଼ା ଯୋଜନାରେ କରାଯିବ। ଶ୍ରୀମନ୍ଦିର ଭିତରେ ଓ ବାହାରେ ଏହି କ୍ୟାମେରା ଲାଗିବ। ଏଥିରେ ଚତୁଃପାର୍ଶ୍ବ ଉପରେ ନଜର ରଖାଯିବ। ଶ୍ରୀମନ୍ଦିର ଭିତରେ ରୋଷଶାଳା ସହ ମହାଲକ୍ଷ୍ମୀ ମନ୍ଦିର, ମା’ ବିମଳା ମନ୍ଦିର, ବାଇଶି ପାହାଚ ଆଦି ସମ୍ବେଦନଶୀଳ ସ୍ଥାନରେ ଏହି କ୍ୟାମେରା ଲଗାଯିବ। କେବଳ ସିସି କ୍ୟାମେରା ଏଠାରେ ଲାଗିବନି, ଜେଟିପିଙ୍କ ସହ ଗତକାଲିଠାରୁ ଏଠାରେ ଓଡ଼ିଶା ପୁଲିସଙ୍କୁ ବି ନିୟୋଜିତ କରାଯାଇଛି। ଏମାନେ ବି ସୁରକ୍ଷା ସହ ରାତ୍ରପହୁଡ଼ ପୂର୍ବରୁ ଶୋଧ ବ୍ୟବସ୍ଥା ଯାଞ୍ଚ କରିବେ। କିନ୍ତୁ ଦୁର୍ଭାଗ୍ୟର କଥା ଗତବର୍ଷ ପ୍ରାୟ ୮୦ ଲକ୍ଷ ଟଙ୍କାରେ ୧୯୧ଟି ସିସି କ୍ୟାମେରା ଲଗାଇଥିବା ପୁଲିସ ହାଉସିଂ କର୍ପୋରେସନ୍‌ ଆଜି ପର୍ଯ୍ୟନ୍ତ ଏହି ସିସି କ୍ୟାମେରାର ମରାମତି କରିନି। ୧୯୧ରୁ ମାତ୍ର ୬ଟି କାର୍ଯ୍ୟକ୍ଷମ ଅଛି। ବାର୍ଷିକ ଯେଉଁ ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟ କରିବା କଥା ସେ ଦିଗରେ କୌଣସି ଦୃଷ୍ଟି ଦେଉନି। ଏଭଳି ସ୍ଥିତିରେ ପୁଣିଥରେ ପୁଲିସ ହାଉସିଂ କର୍ପୋରେସନ୍‌କୁ ଏହି ଦାୟିତ୍ବ ଦେବାକୁ ଯୋଜନା କରାଯିବା, ପୁଣିଥରେ ସୁରକ୍ଷା ବ୍ୟବସ୍ଥାରେ ଘଳିଆ ସୃଷ୍ଟି କରିବ ‌ବୋଲି ସେବାୟତ, ଭକ୍ତ ମତ ଦେଇଛନ୍ତି।

ଏ ସମ୍ପର୍କରେରେ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ପୁଲିସ ହାଉସିଂ କର୍ପୋରେସନ୍‌କୁ ୧୩୫ଟି ସିସି କ୍ୟାମେରା ଲଗାଇବା କାମ ଦେଲେ କୌଣସି ଆପତ୍ତି ନାହିଁ। କିନ୍ତୁ ଏହି ସଂସ୍ଥା ନିୟମିତ ବ୍ୟବଧାନରେ ସିସିଟିଭି ଚାଲୁଛି କି ନାହିଁ, ତାର ଯାଞ୍ଚ କରିବା ଦରକାର। ପ୍ରତି ସପ୍ତାହରେ ଏହାର ଅନୁଧ୍ୟାନ କରିବା ଦରକାର। ଯେଉଁ ସିସିଟିଭି ଖରାପ ହେଉଛି, ତାର ମରାମତି କରିବା ଦରକାର ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ଅନ୍ୟପଟେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଜ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିର ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପଣ୍ଡା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର