ବଂଶାନୁକ୍ରମିକ ସେବା ଚାଲୁ, ସେବକ ସଂଖ୍ୟା କମୁ

ଶ୍ରୀମନ୍ଦିର ସଂସ୍କାର ସବ୍‌କମିଟି ବୈଠକ

ପୁରୀ: ଶ୍ରୀମନ୍ଦିର ସଂସ୍କାର ଉପରେ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ୧୨ଟି ଅନ୍ତରୀଣ ଆଦେଶରୁ ୯ଟିରେ ପରିଚାଳନା କମିଟି, ଛତିଶା ନିଯୋଗ, ଶ୍ରୀମନ୍ଦିର ନୀତି ସହ ସଂପୃକ୍ତ କମିଟି ସହମତ ଥିବାବେଳେ ବାକି ୩ଟି ଆଦେଶକୁ ନେଇ ବିବାଦ ଛିଡ଼ା ହୋଇଛି। ଏହି ତିନି ଆଦେଶ ମଧ୍ୟରୁ ବଂଶାନୁକ୍ରମିକ ସେବା ଉଚ୍ଛେଦ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏହାର ସମାଧାନ ପାଇଁ ମାସକ ତଳେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିଥିବା ସବ୍‌କମିଟି ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କମିଟି ନିଜର ପ୍ରସ୍ତାବ ରଖିଛି। ଶ୍ରୀମନ୍ଦିରରୁ ସେବକ ସଂଖ୍ୟା କମାଇଦେଲେ ଚଳିବ, କିନ୍ତୁ ବଂଶାନୁକ୍ରମିକ ସେବା ଉଚ୍ଛେଦ ନହେଉ ବୋଲି କମିଟି ମତ ରଖିଛନ୍ତି। ବୈଠକରେ ଉପସ୍ଥିତ ଅନ୍ୟ ସେବାୟତମାନେ ବି ଏଥିରେ ସହମତି ପ୍ରକାଶ କରିଛନ୍ତି। ବିଶେଷ କରି ଶ୍ରୀମନ୍ଦିର ପରିଚାଳନାରେ ଉନ୍ନତି ଆଣିବା ପାଇଁ ଗଠିତ ତିନିଜଣିଆ କମିଟି ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ସମସ୍ତେ ରାଜି ବୋଲି କହିଛନ୍ତି। ପାଖାପାଖି ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ବିସ୍ତତ ଆଲୋଚନା ପରେ ଆମିକସ୍‌କ୍ୟୁରୀଙ୍କ ନିକଟରେ ଏ ସଂପର୍କିତ ପ୍ରସ୍ତାବ ରଖାଯିବ ବୋଲି ବୋଲି କମିଟି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର