ମାର୍ଚ ୨୯ରୁ ନିୟମିତ ପ୍ରକାଶ ପାଇବ ‘ଶିକ୍ଷା ସମ୍ବାଦ’

ପ୍ରତି ଦିନ ପ୍ରକାଶ ପାଇବ ଗୋଟିଏ ବିଷୟର ଅତି ଅବିକଳ ଅନୁରୂପ ପ୍ରଶ୍ନପତ୍ର

କଟକ : ମାଟ୍ରିକ୍ ପରୀକ୍ଷା(ଏସ୍‌ଏ-୨) ଆସନ୍ତା ଏପ୍ରିଲ୍ ୨୯ରୁ ଆରମ୍ଭ ହେବାକୁ ଯାଉଛି। ହାତରେ ଅଛି ପାଖାପାଖି ମାସେ ସମୟ। ଏ ବର୍ଷ ପରୀକ୍ଷା ନୂଆ ଢ଼ାଞ୍ଚାରେ ହେବାକୁ ଯାଇଛି। ପ୍ରତି ବିଷୟରେ ମୋଟ ୮୦ ନମ୍ବର ପରୀକ୍ଷା ହେବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍‌ସିକ୍ୟୁ) ପ୍ରଶ୍ନ ଆସିବ ଓ ଅବଶି‌ଷ୍ଟ ୩୦ ନମ୍ବର ଦୀର୍ଘଉତ୍ତରମୂଳକ ପ୍ରଶ୍ନ ଆସିବ। ଏମ୍‌ସିକ୍ୟୁ ଉତ୍ତରକୁ ଛାତ୍ରଛାତ୍ରୀ ଓଏମ୍‌ଆର୍‌ ଫର୍ଦ୍ଦରେ ପୂରଣ କରିବେ ଓ ଦୀର୍ଘଉତ୍ତରମୂଳକ ପ୍ରଶ୍ନର ଉତ୍ତରକୁ ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବେ। ଏହି ନୂଆ ଶୈଳୀର ପ୍ରଶ୍ନପତ୍ର ଓ ଉତ୍ତର ସହ ପରୀକ୍ଷାର୍ଥୀଙ୍କୁ ପରିଚିତ ତଥା ଅଭ୍ୟସ୍ତ କରାଇବା ପାଇଁ ପ୍ରତିବର୍ଷ ଭଳି ଏବ‌ର୍ଷ ‘ସମ୍ବାଦ ଦ୍ବାରା ଏକ ଅଭିନବ ପଦକ୍ଷେପର ପରିକଳ୍ପନା କରାଯାଇଛି। ମାର୍ଚ ୨୯ତାରିଖରୁ ଏପ୍ରିଲ୍ ୨୭ତାରିଖ ପର୍ଯ୍ୟନ୍ତ ‘ସମ୍ବାଦରେ ନିୟମିତ ‘ଶିକ୍ଷା ସମ୍ବାଦ ପ୍ରକାଶ ପାଇବ।

ଇତିମଧ୍ୟରେ ୨୦୨୨ ମାଟ୍ରିକ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ସେମାନଙ୍କ ପ୍ରସ୍ତୁତି ପ୍ରକ୍ରିୟା ବିଭିନ୍ନ ସୂତ୍ରରୁ ପ୍ରାୟ କରିସାରିଲେଣି। କିନ୍ତୁ ଏହି ଏକ ମାସ ସମୟ ବହୁ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ଏହି ମାସେ ସମୟର ପ୍ରସ୍ତୁତି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଉପଯୋଗୀ କରିବା ଲକ୍ଷ୍ୟରେ ‘ଶିକ୍ଷା ସମ୍ବାଦ ପକ୍ଷରୁ ପ୍ରତି ଦିନ ପ୍ରତି ବିଷୟରୁ ଗୋଟିଏ ଲେଖାଏ ମାଟ୍ରିକ୍ ପରୀକ୍ଷା ଢ଼ାଞ୍ଚାରେ ଅତି ଅବିକଳ ଅନୁରୂପ ପ୍ରଶ୍ନପତ୍ର (୮୦ ନମ୍ବର=୫୦+୩୦ ନମ୍ବର ସମ୍ବଳିତ) ସହ ଯଥାସମ୍ଭବ ଉତ୍ତର ପ୍ରକାଶ ପାଇବ। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଯେ ‘ଶିକ୍ଷା ସମ୍ବାଦ ପ୍ରଶ୍ନପତ୍ର ଆଧାରରେ ସେମାନେ ଘରକୁ ପରୀକ୍ଷା କେନ୍ଦ୍ର ଭାବେ ମନେ କରି ସଚ୍ଚୋଟତାର ସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପରୀକ୍ଷା ଦିଅନ୍ତୁ। ପରୀକ୍ଷା ଦେବା ସମୟରେ ‘ଶିକ୍ଷା ସମ୍ବାଦ ପ୍ରଶ୍ନତଳକୁ ରହିଥିବା ଉତ୍ତରକୁ ପିଲାମାନେ ଆବୃତ୍ତ କରି ରଖନ୍ତୁ। ନିର୍ଦ୍ଧାରିତ ସମୟ ଶେଷରେ ଦିଆଯାଇଥିବା ଉତ୍ତର ସହ ପିଲାମାନେ ଉତ୍ତରକୁ ମେଳ କରି ବା ଅନ୍ୟ କୌଣସି ସହାୟକଙ୍କ ସହ‌ଯୋଗରେ ଏହାର ମୂଲ୍ୟାୟନ କରନ୍ତୁ। ଏହି ପରି ଭାବେ ଏକ ମାସ ମଧ୍ୟରେ ଜଣେ ପରୀକ୍ଷାର୍ଥୀ ପ୍ରତି ବିଷୟରେ ୪ଟି ଅବିକଳ ପରୀକ୍ଷାପୂର୍ବକ ଆତ୍ମମୂଲ୍ୟାୟନ କରିପାରିବେ। ଏହା ଫଳରେ ପିଲାମାନେ ନିଜ ନିଜ ଦୁର୍ବଳତା ଜାଣିପାରିବେ ଓ ତାହାକୁ ସଂଶୋଧନ କରିବାର ଅବକାଶ ପାଇବେ। ପରୀକ୍ଷା ପ୍ରସ୍ତୁତି ପ୍ରକ୍ରିୟାରେ ପଢ଼ିବା ଓ ଲେଖିବା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ପରୀକ୍ଷା ଢ଼ାଞ୍ଚାରେ ଅତି ଅବିକଳ ଅନୁରୂପ ପ୍ରଶ୍ନପତ୍ର(ଭିଏସ୍‌ଟି) ପରୀକ୍ଷା ଦେବା ଓ ଏହାର ମୂଲ୍ୟାୟନ କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏ ଦିଗରେ ‘ଶିକ୍ଷା ସମ୍ବାଦ ପକ୍ଷରୁ ପ୍ରକାଶ ପାଇବାକୁ ଥିବା ପ୍ରଶ୍ନପତ୍ର ପିଲାଙ୍କ ପାଇଁ ଚମତ୍କାର ଭାବେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର