ଶେଷ ହେଲା ଶୀତଳଷଷ୍ଠୀ, ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର : ଶ୍ରଦ୍ଧା ଓ ଭକ୍ତିର ବାତାବରଣ ମଧ୍ୟରେ ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ‌ଶେଷ ହୋଇଛି। ଗୁରୁବାର ଅପରାହ୍‌ଣରେ ନବବିବାହିତ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ଆୟୋଜିତ ସପ୍ତାହବ୍ୟାପୀ ଶୀତଳଷଷ୍ଠୀ ଯାତ୍ରାର ପରିସମାପ୍ତି ହୋଇଛି। ବିଶ୍ବର ସର୍ବବୃହତ କାର୍ନିବାଲ କହା ଯାଉଥିବା ଶୀତଳଷଷ୍ଠୀ ଶୋଭାଯାତ୍ରା ଲଗାତାର ଦ୍ବିତୀୟ ବର୍ଷ ପାଇଁ ଅନୁଷ୍ଠିତ ହୋଇ ନଥିଲାବେଳେ ଦେବଦମ୍ପତି ମନ୍ଦିର ପ୍ରାଙ୍ଗଣରେ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଥିଲେ। ଶୁକ୍ରବାର ସକାଳୁ ଅପରାହ୍‌ଣ ୪ଟା ଯାଏ ଯୁଗଳ ଦର୍ଶନ ଚାଲିଥିଲା। ପ୍ରବଳ ଖରା ଓ ଗରମକୁ ଖାତିର ନକରି ଶିଶୁ, ମହିଳା, ବୟସ୍କଙ୍କ ସମେତ ହଜାର ହଜାର ଭକ୍ତ ମାତା ପାର୍ବତୀଙ୍କ ସହ ନନ୍ଦପଡ଼ାର ବଂ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ଯୁଗଳ ଦର୍ଶନ କରିଥିଲେ। ଏହି ଯୁଗଳ ଦର୍ଶନ ପାଇଁ ବିଭିନ୍ନ ଯାତ୍ରା କମିଟି ଗୁଡ଼ିକ ପକ୍ଷରୁ ବିଶେଷ ବ୍ୟବସ୍ଥା କରା ଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ ପୂର୍ବରୁ ସମସ୍ତ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ, ହାତ ବିଶୋଧନ, ସାମାଜିକ ଦୂରତା ରକ୍ଷା କରି ଧାଡ଼ିରେ ଦର୍ଶନ ବନ୍ଦୋବସ୍ତ ହୋଇଥିଲା। ଦେବଦମ୍ପତିଙ୍କ ଯୁଗଳ ଦର୍ଶନରେ ଭାବବିହ୍ବଳ କିଛି ଭକ୍ତଙ୍କ ଆଖିରୁ ଶ୍ରଦ୍ଧା ଓ ଭକ୍ତିର ଅଶ୍ରୁ ଗଡ଼ି ଆସିଥିଲା।

ସର୍ବପୁରାତନ ଯାତ୍ରା କମିଟି ନନ୍ଦପଡ଼ାର ବାଲୁଙ୍କେଶ୍ବର ବାବା ଏବଂ ମାତା ପାର୍ବତୀଙ୍କ ଯୁଗଳ ଦର୍ଶନ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୩ଟା ୩୦ ଯାଏ ଚାଲିଥିଲା। ସାଥୀରେ ନୃସିଂହ ଭଗବାନ, ସାକ୍ଷୀ ଗୋପୀନାଥ ଏବଂ ପଞ୍ଚବକ୍ତ୍ର ମଣ୍ଡପରେ ବିରାଜମାନ ରହି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଦିନ ୩ଟାରେ ଭୋଗ ଲାଗି ପରେ ମଙ୍ଗଳ ଆଳତି ହୋଇଥିଲା। ଏହାପରେ ଭୁବନ ମୋହନ ମିଶ୍ର ଏବଂ ତାଙ୍କ ପତ୍ନୀ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ କରାଇଥିଲେ। ଯୁଗଳ ଦର୍ଶନ ପାଇଁ ଭକ୍ତଙ୍କ ଥର୍ମାଲ୍ ସ୍କ୍ରିନିଂ, ସାନିଟାଇଜର ଫ୍ୟାନ୍‌, ହାତ ବିଶୋଧନ ବ୍ୟବସ୍ଥା କରା ଯାଇଥିଲା। ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରା ଯାଇଥିଲା। ଭକ୍ତମାନେ ନିୟମ ମାନି ଶୃଂଖଳାର ସହ ଦର୍ଶନ କରିଥିବାରୁ କମିଟି ପକ୍ଷରୁ ଅମୂଲ୍ୟ ମିଶ୍ର, ପ୍ରଫୁଲ୍ଲ ହୋତା, ସଂଯୋଜକ ଫଣୀଭୂଷଣ ମିଶ୍ର, ସଭାପତି ସମୀର ରଂଜନ ବାବୁ, ସଂପାଦକ ସୁଶ୍ରିତ ମିଶ୍ର, ପ୍ରଶାନ୍ତ ବରେଇ, ଶିବ ମିଶ୍ର, ମାନସ ରଥ, ସନତ ନନ୍ଦ, ପ୍ରଭୁଦତ୍ତ ପଣ୍ଡା, ବାଳଗୋପାଳ ନନ୍ଦ, ଅବିନାଶ ମିଶ୍ର, ଧବଳେଶ୍ବର ହୋତା, ମନୋଜ ମହାପାତ୍ର ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି।
ଝାଡ଼ୁଆପଡ଼ାର ଲୋକନାଥ ବାବା ଏବଂ ମାତା ପାର୍ବତୀ ମଧ୍ୟ ସକାଳ ୮ଟାରୁ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଥିଲେ। ସୁଦୃଶ୍ୟ ଚାନ୍ଦି ମେଢ଼ରେ ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାର ଖଚିତ ଦେବଦମ୍ପତିଙ୍କ ଦର୍ଶନ କରି ଭକ୍ତ ଅଭିଭୂତ ହୋଇଥିଲେ। ବୀର ହନୁମାନ ଏବଂ ରାଧାକୃଷ୍ଣ ପାର୍ଶ୍ବ ଦେବାଦେବୀ ଭାବେ ମଣ୍ଡପରେ ବିରାଜମାନ ଥିଲେ। ଦିନ ଗୋଟାଏ ଯାଏ ଯୁଗଳ ଦର୍ଶନ ପରେ ୧ଟା ୩୦ରେ ମହାଆଳତି ହୋଇଥିଲା। ୩ଟା ୩୦ରେ ଦେବଦମ୍ପତିଙ୍କୁ ନେଇ ଆରଣ୍ୟକ ମଣ୍ଡପରୁ ଏକ ନିରାଡ଼ମ୍ବର ଶୋଭାଯାତ୍ରା ବାହାରିଥିଲା। ତାହା କୁଂଜେଲପଡ଼ା, ପଟ୍ଟନାୟକପଡ଼ା, ଗୁରୁପଡ଼ା, ଗୌରମଠ ଗଳି ଦେଇ ଝାଡ଼ୁଆପଡ଼ାରେ ପହଞ୍ଚିବା ପରେ ମନ୍ଦିର ବାହାରେ ଦେବଦମ୍ପତିଙ୍କ ଆଳତି କରା ଯାଇଥିଲା। ସଂଧ୍ୟା ୫ଟାରେ ନବ ବିବାହିତ ଲୋକନାଥ ବାବା ଓ ମାତା ପାର୍ବତୀ ମନ୍ଦିର ପ୍ରବେଶ କରିଥିଲେ। ଶୃଂଖଳିତ ଭାବେ ଯୁଗଳ ଦର୍ଶନ ଶେଷ ହୋଇଥିବାରୁ ଯାତ୍ରା କମିଟି ପକ୍ଷରୁ ସଭାପତି ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ସଂଜୟ ମିଶ୍ର, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ, ଅଭିଷେକ ମିଶ୍ର ପ୍ରମୁଖ ଭକ୍ତଗଣଙ୍କୁ ଧନ୍ୟବାଦ ଦେଇଥିଲେ।

ମୁଦିପଡ଼ାର ଜାଗେଶ୍ବର ବାବା ଏବଂ ମାତା ପାର୍ବତୀଙ୍କ ଯୁଗଳ ଦର୍ଶନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ୪ଟା ଯାଏ ଚାଲିଥିଲା। ନବବିବାହିତ ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କରି ପୂଣ୍ୟ ଲଭିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଯାତ୍ରା କମିଟି ପକ୍ଷରୁ କରା ଯାଇଥିବା ନିୟମ ଓ ଶୃଂଖଳା ମାନି ପୁରୁଷ ଓ ମହିଳା ମାନେ ସ୍ବତନ୍ତ୍ର ଧାଡ଼ିରେ ସାମାଜିକ ଦୂରତା ରଖି ଦର୍ଶନ କରିଥିଲେ। ଅପରାହ୍‌ଣରେ ମଙ୍ଗଳ ଆଳତି ପରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ହୋଇଥିଲା। ସଭାପତି ସୁନୀଲ ଦାଶ, ସଂପାଦକ ଗତିକୃଷ୍ଣ ଷଡ଼ଙ୍ଗୀ, ବିନୋଦ ପଣ୍ଡା, ଖଡ଼ିରତ୍ନ ବେହେରାଙ୍କ ସମେତ ସମସ୍ତ କମିଟି ସଦସ୍ୟ ଦର୍ଶନକୁ ଶୃଂଖଳିତ କରିବାରେ ସହଯୋଗ କରିଥିଲେ ଓ ସୁରୁଖୁରରେ ଏହି ମହାପର୍ବ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ବଡ଼ବଜାରର ଶୀତଳେଶ୍ବର ବାବା ଏବଂ ଠାକୁରପଡ଼ାର ଗୁପ୍ତେଶ୍ବର ବାବା ମଧ୍ୟ ମାତା ପାର୍ବତୀଙ୍କ ସହ ଶୁକ୍ରବାର ସକାଳୁ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଥିଲେ। ସଂଧ୍ୟା ଯାଏ ଯୁଗଳ ଦର୍ଶନ ଚାଲିଥିଲା। ଦର୍ଶନ ପରେ ଦେବଦମ୍ପତିଙ୍କ ମହାଆଳତି କରା ଯାଇଥିଲା। ଏହାପରେ ଶୀତଳେଶ୍ବର ବାବା ଏବଂ ‌ଗୁପ୍ତେଶ୍ବର ବାବା ନିଜନିଜ ମନ୍ଦିର ପ୍ରବେଶ କରିଥିଲେ। ବଡ଼ବଜାର କମିଟି ପକ୍ଷରୁ ସଭାପତି ସୁରେନ୍ଦ୍ର ମହାନ୍ତି, ସଂପାଦକ ସରୋଜ ସାହୁ, କୋଷାଧ୍ୟକ୍ଷ ପଞ୍ଚାନନ ତ୍ରିପାଠୀ, ତ୍ରିଲୋଚନ ସରାଫ, ହିମାଂଶୁ ରାଏ, ଧୀରେନ୍ଦ୍ର ମହାନ୍ତି, ଠାକୁରପଡ଼ା କମିଟିର ସଭାପତି ଶିବ ପ୍ରଧାନ, ଲିଂଗରାଜ ପରିଡ଼ା, ଆନନ୍ଦ ଜାଲ, କାଳିଆ ଦୋରା, ସନ୍ତୋଷ ବାଗ ପ୍ରମୁଖ ଯାତ୍ରାର ସଫଳତା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର