କୋଭିଡ ନିୟମାବଳିରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଚଳିତବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ।

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କିପରି ସୂଚାରୁ ରୂପେ ପାଳନ ହେବ ସେନେଇ ସୋମବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଷ୍ପତ୍ତି ହୋଇଛି ଯେ, କୋଭିଡ୍ ମାର୍ଗଦର୍ଶିକାର ଠିକ୍ ଅନୁପାଳନ କରାଯାଇ ସ୍ବଳ୍ପ ସଂଖ୍ୟକ ଅତିଥି, କୋଭିଡ୍‌ ଯୋଦ୍ଧା, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ବାଧୀନତା ଦିବସ ଆୟୋଜନ ହେବ। ଗୃହ ବିଭାଗ ଦ୍ବାରା ଚିହ୍ନଟ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଡାକବାଜି ଯନ୍ତ୍ର ଦ୍ବାରା ରାମଧୁନ୍ ପରିବେଷଣ, ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଓ କୋଭିଡ ଯୋଦ୍ଧାଙ୍କ ଉପବେଶନ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏଥିରେ ନିଷ୍ପତ୍ତି ହୋଇଛି ଯେ, ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ ହେବ। ବିଏମ୍‌ସି ପକ୍ଷରୁ ଉତ୍ସବ ସ୍ଥଳରେ ବିଶୋଧନ କରାଯିବ ଏବଂ ପିଇବା ପାଣି ଯୋଗାଯିବ। ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣକୁ ଡିସିପି, ଭୁବନେଶ୍ବର ପରିଚାଳନା କରିବେ। ପୂର୍ବ ବର୍ଷ ପରି ଏଥର ବି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ବାଧୀନତା ଦିବସ ପାଳନ ହେବ। ସେହିପରି ଆର୍‌ଡିସି ଜୋନ୍, ଜିଲ୍ଲା ଏବଂ ଉପଖଣ୍ଡସ୍ତରରେ କୋଭିଡ୍ ନିୟମାବଳି ମଧ୍ୟରେ ସ୍ବାଧୀନତା ଦିବସ ପାଳନ କରାଯିବ।

ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍ ମହାନ୍ତି, ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର