ପଥର ମାଫିଆ-ଗ୍ରାମବାସୀ ମୁହାଁମୁହିଁ

ଜାଳି ଦେଲେ ୨ ପାୱାର ଟିଲର୍‌, ଖାଦାନରେ ପହରା ଦେଲେ

ଯାଜପୁର/ସୁକିନ୍ଦା : ସୁକିନ୍ଦାରେ ପଥର ମାଫିଆ-ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଉତ୍ତ୍ୟକ୍ତ ଗ୍ରାମବାସୀ ମାଫିଆଙ୍କ ଦୁଇଟି ପାଓ୍ଵାର ଟିଲରକୁ ତହସିଲଦାରଙ୍କ ସାମ୍ନାରେ ଜାଳି ଦେଇଛନ୍ତି। କେବଳ ସେତିକି ନୁହେଁ ରାତି ଉଜାଗର ରହି ପଥର ମାଫିଆଙ୍କ ସହ କମର କଷି ଖାଦାନ ବନ୍ଦ କରିଛନ୍ତି। ପ୍ରଶାସନ ଯାହା କରିବା କଥା ତାହା ଗ୍ରାମବାସୀ କରି ଦେଖାଇଥିବା ବେଳେ ପ୍ରଶାସନ ଅଡ଼ୁଆରେ ପଡ଼ିଛି। ସେପଟେ ଏହି ଘଟଣା ସମଗ୍ର ସୁକିନ୍ଦା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଦର୍ପଣ ତହସିଲ ପରେ ସୁକିନ୍ଦା ତହସିଲ ଅଞ୍ଚଳରେ ମାଫିଆ ଶହ ଶହ ଏକ ଜଙ୍ଗଲ ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି। ଦିନରାତି ମାଙ୍କଡା ପଥର କାଟି ଚାଲାଣ କରୁଛନ୍ତି। ସରକାର ଶହ ଶହ କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ମାଫିଆମାନେ ବେଶ୍‌ ମୁନାଫା କମାଉଛନ୍ତି। ମାତ୍ର ଏହାକୁ ରୋକିବା ଲାଗି ବାରମ୍ବାର ଦାବି ସତ୍ତ୍ୱେ ବି ପ୍ରଶାସନ କର୍ଣ୍ଣପାତ କରୁନାହିଁ। ମାଫିଆଙ୍କୁ ଜବତ କରିବାକୁ ହାତୀବାରୀ ପଞ୍ଚାୟତର ନାଳିଆଝର ଜଙ୍ଗଲ ଭିତରେ ଚାଲିଥିବା ଚୋରା ମାଙ୍କଡ଼ା ପଥର ଖାଦାନ ଉପରେ ଗ୍ରାମବାସୀ ସଂଘବଦ୍ଧ ଚଢଉ କରିଛନ୍ତି। ପ୍ରତିଦିନ ପରି ଗତ ୧୨ ତାରିଖ ରାତିରେ ପଥର କଟା ଚାଲିଥିବା ବେଳେ କରଡାପାଳ ଓ ନାଳିଆଝର ଗ୍ରାମର ଶତାଧିକ ଗ୍ରାମବାସୀ ପଥର ଖାଦାନରେ ଚଢ଼ଉ କରିଥିଲେ। ତହସିଲରଦାର ଓ ତାଙ୍କ ଅନ୍ୟ ସହଯୋଗୀ ସେଠାରେ ପହଞ୍ଚି ଗ୍ରାମବାସୀ ଜବତ ପାୱାର ଟିଲର୍‌ ନେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ଚଢଉରେ ସୁକିନ୍ଦା ତହସିଲଦାର ନବକୃଷ୍ଣ ଜେନା ସହିତ ଅତିରିକ୍ତ ତହସିଲଦାର ମଧୁସୂଦନ ନାୟକ, ସୁକିନ୍ଦା ଓ ହରିପୁର ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ଉତ୍ୟକ୍ତ ଗ୍ରାମବାସୀ ଏପରି କାଣ୍ଡ ଭିଆଇଥିବା ଦେଖିବାକୁ ମିଳିଥିଲା।

ନିକଟରେ ଆମ୍ବସାର ଠାରେ ପଥର ମାଫିଆ ମାନେ ୩୦ ରୁ ୪୦ ଫୁଟ ଗଭୀର ଖୋଳିଥିବା ଖାଦାନକୁ ତହସିଲଦାର ଓ ଅନ୍ୟ ଅଧିକାରୀମାନଙ୍କୁ ଗ୍ରାମବାସୀ ଡ଼ାକି ନେଇଥିଲେ। ସେଠାରୁ ପାୱାର ଟିଲର୍‌ ,କଟର ପ୍ଲେଟ୍‌ ଓ ୨ ଟି ଡିଜେଲ୍‌ ଭର୍ତ୍ତି ଜାର ଜବତ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ଗ୍ରାମବାସୀ ଓ ପଥର ମାଫିଆ ମୁହାଁମୁହିଁ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି।

ସୂଚନା ଯୋଗ୍ୟ ସୁକିନ୍ଦା ତହସିଲର ବନ୍ଧଗାଁ ପଞ୍ଚାୟତର ବେଉଳପାଳ, ବନ୍ଧଗାଁ, ଗୁହାଲଢିହ,ପିମ୍ପୁଡିଆ ପଞ୍ଚାୟତର ବାଲିଆଞ୍ଜରି, ଦୁଧୁଯୋରୀ ପଞ୍ଚାୟତର ପୁବଳ, ହରିଡାବାହାଳି, ଖରଡି ପଞ୍ଚାୟତର ଆମ୍ବାସାର ଓ ହାତିବାରୀ ପଞ୍ଚାୟତର ନାଳିଆଝର ଗ୍ରାମରେ ଗତ କିଛି ମାସ ହେବ ପଥର ମାଫିଆ ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି। ଏହା ବାଦ ଖରଡି ଏବଂ ପିଙ୍ଗଲ ପଞ୍ଚାୟତରେ ମଧ୍ୟ କଳା ମୁଗୁନି ପଥରର ଚୋରାଚାଲାଣ ଚାଲିଛି ।

ସମ୍ବନ୍ଧିତ ଖବର