ମୟୂରଭଞ୍ଜରେ ପଶିଲା ସୁବର୍ଣ୍ଣରେଖା ବନ୍ୟାପାଣି, ମୁଖ୍ୟରାସ୍ତାରେ ୮ ଫୁଟ୍‌ର ବନ୍ୟାଜଳ

ବାରିପଦା/ସାରସକଣା/ରାସଗୋବିନ୍ଦପୁର : ମୟୂରଭଞ୍ଜ ଜିଲ୍ଲାରେ ପଶିଲା ସୁବର୍ଣ୍ଣରେଖା ପାଣି। ଫଳରେ, ଜିଲ୍ଲାର କିଛି ଅଞ୍ଚଳ ପ୍ରଭାବିତ ହୋଇଛି।

ହସ୍ତଗତ ସୂଚନା ଅନୁସାରେ, ସାରସକଣା ବ୍ଲକ୍‌ ଶୀର୍ଷା ପଞ୍ଚାୟତର ନେଦା ଗାଁରେ ସୁବର୍ଣ୍ଣରେଖା ବନ୍ୟାଜଳ ପ୍ରବେଶ କରିଛି। ଗତରାତିରେ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବା ବେଳେ ହଠାତ୍‌ ବନ୍ୟାପାଣି ମାଡ଼ି ଆସିଥିଲା। ଫଳରେ, ଉଦ୍ଧାର ପାଇଁ ଯାଇଥିବା ସାରସକଣା ଅଗ୍ନିଶମ ଟିମ୍‌ ଦୀର୍ଘ ସମୟ ଧରି ସେଠାରେ ଫସି ରହିଥିଲେ। ଆଜି ବନ୍ୟାଜଳ ଅଧିକ ଅଞ୍ଚଳକୁ ମାଡ଼ିଯାଇଛି। ନେଦା ଗାଁକୁ ଯାଇଥିବା ମୁଖ୍ୟରାସ୍ତା ବୁଡ଼ିଯିବା ସହ ଏହା ଉପରେ ୮ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି। ଗାଁରେ ବସବାସ କରୁଥିବା ୧୨୦ ପରିବାର ପାଣି ଘେରରେ ରହିଛନ୍ତି। ଓଡ୍ରାଫ୍‌ ଟିମ୍‌ ଗ୍ରାମବାସୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଛି। ଗ୍ରାମର ଦୁଇଜଣ ଗର୍ଭବତୀଙ୍କୁ ଓଡ୍ରାଫ୍‌ ଟିମ୍‌ ସହଯୋଗରେ ଉଦ୍ଧାର କରାଯିବା ସହ ଶୀର୍ଷା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ରତିଲା ଗ୍ରାମର ୮ଟି ଘରେ ବନ୍ୟାଜଳ ପଶିଛି।

ସାରସକଣା ବ୍ଲକ୍‌ର ୧୨୮ ପରିବାର ଜଳବନ୍ଦି
ବିପଦରେ ରାସଗୋବିନ୍ଦପୁର ବ୍ଲକର ୨ ପଞ୍ଚାୟତ
କାନ୍ଥ ଭୁଶୁଡ଼ି ନାବାଳିକା ଓ ମହିଳାଙ୍କ ମୃତ୍ୟୁ 

ବିଧାୟକ ଡା.ବୁଢ଼ାନ ମୁର୍ମୁ, ବ୍ଲକ୍‌ ଉପାଧ୍ୟକ୍ଷ ମିହିର ଘୋଷ, ସାରସକଣା ତହସିଲଦାର ସାଇକୃଷ୍ଣ ଜେନା, ବିଡିଓ କରୁଣାକର ଦିଣ୍ଡା, ବ୍ଲକ୍‌ ଯୋଗାଣ ନିରୀକ୍ଷକ ବଳରାମ ଜେନା, ଶୀର୍ଷା ସରପଞ୍ଚ ଭାନୁଚରଣ ମୁଣ୍ଡା, ଜିପିଇଓ ବିନୋଦ ବିହାରୀ ଜେନା, ଶୀର୍ଷା ସମିତିସଭ୍ୟ ଲକ୍ଷ୍ମୀକାନ୍ତ ସିଂ ପ୍ରମୁଖ ସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଆଜି ରାତିରେ ସୁବର୍ଣ୍ଣରେଖା ନଦୀରେ ଅଧିକ ବନ୍ୟାଜଳ ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସଜାଗ ରହିଛି। ବନ୍ୟା ଆଶଙ୍କାରେ ଶୀର୍ଷା ପଞ୍ଚାୟତର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ରାସଗୋବିନ୍ଦପୁର ବ୍ଲକ୍‌ ପ୍ରତି ମଧ୍ୟ ସୁବର୍ଣ୍ଣରେଖା ବନ୍ୟାଭୟ ଘନେଇଛି। ଗଡ଼ିଘାଟି ପଞ୍ଚାୟତର ଟିକାୟତପୁର, କୀର୍ତ୍ତନିଆପାଳ, ବରହମପୁରା, ଝାଡ଼ିଅଡ଼ା ପଞ୍ଚାୟତର ଗାଁଗୁଡ଼ିକରେ ଆଜି ରାତି ସୁଦ୍ଧା ବନ୍ୟାପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏସ୍‌ପି ରିଷିକେଶ ଦ୍ୟାନଦେଓ ଖିଲାରୀ, ବିଡିଓ ଲଲାଟେନ୍ଦୁ ସିଂ, ତହସିଲଦାର ନିର୍ଲିପ୍ତା ମହ‌ାନ୍ତି ପ୍ରମୁଖ ରାସଗୋବିନ୍ଦପୁର ବ୍ଲକର ବନ୍ୟାପ୍ରବଣ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ମୋରଡ଼ା ବିଧାୟକ ରାଜକିଶୋର ଦାସ, ବିଜେପି ନେତା କୃଷ୍ଣଚନ୍ଦ୍ର ମହାନ୍ତି, କଂଗ୍ରେସ ଜିଲ୍ଲା ସଂପାଦକ ପ୍ରଦୀପ ଦାସଙ୍କ ସହ ଦଳୀୟ ନେତା ଓ କର୍ମୀମାନେ ପହଞ୍ଚି ଲୋକଙ୍କୁ ସତର୍କ କରିବା ସହ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଅନୁରୋଧ କରିଛନ୍ତି।

କାନ୍ଥ ଭୁଶୁଡ଼ି ୨ ମୃତ
ଶୁକ୍ରବାର ରାତି ଲଗାଣ ବର୍ଷାରେ ମାଟିକାନ୍ଥ ଭୁଶୁଡ଼ି ବିଶୋଇ ଥାନା ଭୋଳବେଡ଼ା ଗ୍ରାମର ଅନୀଲ କୁମାର ଗିରିଙ୍କ ଦୁଇ ନାବାଳିକା ଝିଅ ସ୍ବିଟି ଓ ନିହାରିକାଙ୍କ ମୃତ୍ୟୁ ହୋଇଥିଲା। ରବିବାର ଦିନ ବାରିପଦା ସହରରେ ମାଟିକାନ୍ଥ ଭୁଶୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଉଛନ୍ତି ୨୨ ନମ୍ବର ୱାର୍ଡ ରଘୁନାଥପୁରର ସଂଜୟ ବେହେରାଙ୍କ ୧୦ ବର୍ଷର ଝିଅ ମୋନି ବେହେରା। ସେହିପରି କପ୍ତିପଦା ବ୍ଲକ୍‌ ମଝିଗଡ଼ିଆ ପଞ୍ଚାୟତ ଭେଜିଡ଼ିହା ଗାଁରେ ଘରକାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର