ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଶବକୁ ଅସମ୍ମାନ

୫ ଘଣ୍ଟା ପଡି ରହିଲା ଶବ, କାମରେ ଲାଗୁନି ସ୍ବର୍ଗରଥ, କୋରାପୁଟରୁ ଆସୁନି ମହାପ୍ରୟାଣ ଗାଡ଼ି

ଜୟପୁର : ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଶବକୁ ଅସମ୍ମାନ। ଏକ ବିଷଧର ସାପ କାମୁଡାରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ବର୍ଗ ଶବକୁ ନେଇ ସଂସ୍କାର କରିବାକୁ ଚାହୁଁଥିଲେ ବି ଦାୟିତ୍ବରେ ଥିବା ଡାକ୍ତର ଛାଡୁ ନଥିଲେ। ପୁଲିସ ଯାଞ୍ଚ ପରେ ଶବ ଛଡାଯିବ ବୋଲି କହୁଥିଲେ। କିନ୍ତୁ ପୁଲିସକୁ ସୂଚନା ଦିଆଯାଉନଥିଲା। ଫଳରେ ଦୀର୍ଘ ୫ଘଣ୍ଟା ଧରି ମେଡିକାଲରେ ପଡି ରହିଥିଲା ଶବ। ଗଣମାଧ୍ୟମର ହସ୍ତକ୍ଷେପ ପରେ ୫ଘଣ୍ଟା ପରେ ଉଠିଛି ଶବ।

ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଟାଙ୍ଗିଣିଗୁଡା ନିକଟବର୍ତ୍ତୀ ରାମପୁର ଗାଁର ବୁଡୁ ଖରା(୬୦)ଙ୍କୁ ଗତକାଲି ରାତିରେ ଏକ ବଷଧର ସାପ କାମୁଡି ଦେଇଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ପ୍ରଥମେ ବୈପାରୀଗୁଡା ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଆଜି ଭୋର ସକାଳେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ସେ ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ପରେ ଆପାତକାଳୀନ ୱାର୍ଡ ସମ୍ମୁଖରେ ଥିବା ଏକ ଷ୍ଟ୍ରେଚରରେ ସକାଳ ୧୦ଟା ଯାଏ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଥିଲା। ଶବକୁ ପରିବାରବର୍ଗ ଜଗି ରହିଥିବାବେଳେ ଦାୟିତ୍ବରେ ଥିବା ଡାକ୍ତର ଦେବଦତ୍ତ ସ୍ବାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଦେଖିବାକୁ ମିଳିଥିଲା। ପରିବାରବର୍ଗ ଶବକୁ ନେଇ ସଂସ୍କାର କରିବାକୁ ଚାହୁଁଥିଲେ ବି ଦାୟିତ୍ବରେ ଥିବା ଡାକ୍ତର ଛାଡୁ ନ ଥିଲେ। ବିନା ପୁଲିସ ଯାଞ୍ଚରେ ଶବ ଯାଇପାରିବ ନାହିଁ ବୋଲି କହୁଥିଲେ। ନିୟମ ଅନୁସାରେ ଯଦି ଡାକ୍ତରଖାନାରେ କୌଣସି ରୋଗୀଙ୍କର ମୃତ୍ୟୁ ହୁଏ ତେବେ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ସୂଚନା ଦେବେ। କିନ୍ତୁ ସମ୍ପୃକ୍ତ ଡାକ୍ତର ଜଣକ ଏହା ନ କରି ନିରୀହ ପରିବାରବର୍ଗଙ୍କୁ ଅପ‌େକ୍ଷା କରିବାକୁ କହିଥିଲେ। ସେମାନେ ଜାଣି ନ ଥିବାରୁ ଦୀର୍ଘ ସମୟ ଧରି ଶବ ଏହିଠାରେ ପଡି ରହିଥିଲା। ନୂଆ ମେଡିକାଲରେ ଫ୍ରିଜର କିମ୍ବା ଶବ ରଖିବାକୁ ସ୍ଥାନ ନ ଥିବାରୁ ବାରଣ୍ଡାରେ ପ୍ରାୟ ୫ ଘଣ୍ଟା ଧରି ଶବ ପଡି ରହିଥିଲା। ଗଣମାଧ୍ୟମର ହସ୍ତକ୍ଷେପ ପରେ ସଦର ଥାନା ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛ‌େଦ ପାଇଁ ପୁରୁଣା ମେଡିକାଲକୁ ପଠାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାରବର୍ଗକୁ ଶବ ହସ୍ତାନ୍ତର କରାଯାଇଥିଲା।

ଜୟପୁରସ୍ଥିତ ଜିଲ୍ଲା ମେଡିକାଲରେ ବାରମ୍ବାର ଦେଖିବାକୁ ମିଳିଛି ଶବକୁ ଏମିତି ଅସମ୍ମାନ। ଜୟପୁର ଉପଖଣ୍ଡ ଚିକିତ୍ସାଳୟ ଜିଲ୍ଲା ଚିକିତ୍ସାଳୟ ମାନ୍ୟତା ପାଇ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ମହାପରାୟଣ ଗାଡି ପରି ଅତି ଜରୁରୀକାଳୀନ ସେବାକୁ ଜୟପୁରକୁ ପଠାଯାଇ ନାହିଁ। ଅନ୍ୟପକ୍ଷରେ ଜୟପୁର ପୌରପାଳିକା ପକ୍ଷରୁ ସ୍ବେଚ୍ଛାସେବୀ ସ˚ସ୍ଥାକୁ ଜୟପୁର ମେଡିକାଲରେ ଏକ ଶବବାହକ ଗାଡି ଓ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା। ଅଯଥା ରାଜନୀତି କରାଯାଇ ଏହି ଦୁଇ ଗାଡିକୁ ବନ୍ଦ କରିଦିଆଯିବା ପର ଠାରୁ ଏପରି ଅପ୍ରୀତିକର ପରିସ୍ଥିତି ଉପୁଜୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ବିଧାୟକଙ୍କ ପାଣ୍ଠିରୁ ଏହି ମେଡିକାଲରେ ଏକ ସ୍ବର୍ଗରଥ ରହିଥିଲାବେଳେ ତାହା କେବେ କାର୍ଯ୍ୟରେ ଲାଗିବ ତାହା ଏବେ ସୁଧା ଜଣାପଡି ନାହିଁ। ଏନେଇ ମେଡିକାଲ ସୁପରିଟେଣ୍ଡେ କାଳି ପ୍ରସାଦ ବେହେରା କହିଛନ୍ତି ଯେ ଶବକୁ ମେଡିକାଲ ପକ୍ଷରୁ ଅସମ୍ମାନ କରାଯାଇ ନାହିଁ। ଉକ୍ତ ବ୍ୟକ୍ତି ଜଣକର ମୃତ୍ୟୁ ହୋଇଥିବା ଜାଣିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ସେଠାରେ ଏକ ଶବ ବାହକ ଗାଡି ମଧ୍ୟ ରଖାଯାଇଥିଲା। କିନ୍ତୁ ପୁଲିସ ଆସି ନ ଥିବାରୁ ଶବକୁ ଛଡାଯାଇ ନ ଥିଲା। ସ୍ବର୍ଗରଥ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ମୃତ ବୁଡୁ ଖରା କୁଲି ମଜୁରି କରି ପରିବାର ଚଳାଉଥିଲେ। ଘର କହିଲେ ଝାଟିମାଟି କୁଡ଼ିଆ। ଘରେ ବିଦ୍ୟୁତ ନ ଥିବାରୁ ଅସହ୍ୟ ଗରମ କାରଣରୁ ଗତକାଲି ରାତିରେ ବାରଣ୍ଡାରେ ‌ଶୋଇଥିଲେ। ଫଳରେ ଏକ ବିଷଧର ସାପ କାମୁଡି ଦେଇଥିଲା। ତାଙ୍କୁ ସରକାରଙ୍କ ତରଫରୁ କ୍ଷତିପୂରଣ ଦେବାକୁ ପରିବାରବର୍ଗ ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର