ମୋବାଇଲ୍ରେ ଗପି ଗାଡ଼ି ଚଳାଇଲେ ଲାଇସେନ୍ସ ବାତିଲ୍
ଭୁବନେଶ୍ୱର : ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଏଣିକି କେବଳ ଜରିମାନା ନୁହେଁ। ବରଂ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ। ସଡ଼କ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏଭଳି ନିର୍ଦ୍ଦେଶ ଦେଇଛି। ଯାହାକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିସନର ଆଜି ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି। ମୋବାଇଲ ଗପିବା ସହ ନାଲିବତୀ ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ମଦ୍ୟପ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ତା’ ସହ ଗିରଫ କରିବା ପାଇଁ ମଧ୍ୟ ଆଦେଶ ହୋଇଥିଲା। କିନ୍ତୁ ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ ବାତିଲ ହେଉ ନାହିଁ। ସୁପ୍ରିମକୋର୍ଟ କମିଟି ତ୍ରୈମାସିକ ସମୀକ୍ଷା କଲା ବେଳେ ଏହି ପ୍ରମାଣ ପାଇବା ସହ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି। ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ କିଭଳି ବାତିଲ ହେବ ସେଦିଗରେ କଡ଼ା ପଦକ୍ଷେପ ନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ମୁତାବକ, ସେପ୍ଟେମ୍ବର ମାସରେ ଏହାର ସମୀକ୍ଷା ବେଳେ ଜଣାପଡ଼ିଛି ଯେ ଆରଟିଓମାନଙ୍କ ଦ୍ବାରା ୩୩୪ ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ଇ-ଚାଲାଣ ଜାରି ହୋଇଥିଲା। କ୍ରାଇମ୍ବ୍ରାଞ୍ଚ ତଥ୍ୟ ଅନୁଯାୟୀ ବିଭିନ୍ନ ପୁଲିସ ଜିଲ୍ଲାରୁ ୪୯୬ ମଦ୍ୟପ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ପଠାଯାଇଛି। କିନ୍ତୁ ସାରଥୀ ଡାଟାବେସ୍ ଅନୁଯାୟୀ ମାତ୍ର ୧୨୬ଟି ଲାଇସେନ୍ସ ବାତିଲ କରାଯାଇଛି। ଏହା ଅତ୍ୟନ୍ତ ନଗଣ୍ୟ ହୋଇଥିବାରୁ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।