ବ୍ୟାପିଲା ଠିକା ପ୍ରଥା ଉଚ୍ଛେଦ ନିଆଁ

ଆନ୍ଦୋଳନକୁ ଓଷ୍ଟାର ସମର୍ଥନ, ୭ରେ ଓହ୍ଲାଇବେ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକମାନେ ବିଧାନସଭା ସମ୍ମୁଖରେ ରବିବାର ଦିନ ଶକ୍ତି ପ୍ରଦର୍ଶନ କରିଛନ୍ତି। କିଛି ଦିନ ତଳେ ସମାନ ଦାବିରେ ଚୁକ୍ତିଭିତ୍ତିକ ଶିକ୍ଷକମାନେ ମଧ୍ୟ ଭୁବନେଶ୍ୱରରେ ଏକ ବିଶାଳ ପଟୁଆର ସହ ପ୍ରତିବାଦ ସଭା କରିଥିଲେ। ଡିସେମ୍ବରରେ ରାଜ୍ୟର ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ କନିଷ୍ଠ କିରାଣୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି। ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ମଧ୍ୟ ଡିସେମ୍ବର ୭ରେ ଆନ୍ଦୋଳନକୁ ଓହ୍ଲାଇବାକୁ ଡାକରା ଦେଇସାରିଛି। ତେଣୁ ରାଜ୍ୟରୁ ଠିକା ତଥା ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଠିବା ନେଇ ପ୍ରକାଶିତ ବିଜ୍ଞପ୍ତିରେ ଦେଖା ଦେଇଥିବା ପାତରଅନ୍ତରକୁ ନେଇ ଏବେ ବିସ୍ଫୋରକ ପରିସ୍ଥିତି ଉପୁଜିବାକୁ ଯାଉଛି। ଗୋଟିଏ ପରେ ଗୋଟିଏ ସଙ୍ଗଠନ ଶିକ୍ଷକ ଓ କିରାଣୀମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

ଚୁକ୍ତିଭିତ୍ତିକ, ଶିକ୍ଷା ସହାୟକ ଓ କନିଷ୍ଠ କିରାଣୀମାନଙ୍କ ଦାବିକୁ ଯଥାର୍ଥ ଦର୍ଶାଇ ରାଜ୍ୟର ସର୍ବବୃହତ୍‌ ଶିକ୍ଷକ ସଙ୍ଗଠନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଅକ୍ଟୋବର ୧୫ରେ ରାଜ୍ୟରୁ ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ କରାଗଲା। ରାଜ୍ୟର ହଜାର ହଜାର କର୍ମଚାରୀ ଏଥିରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ଶିକ୍ଷକ ଓ କର୍ମଚାରୀ ବାଜା ବଜାଇ ବାଣ ଫୁଟାଇ ସରକାରଙ୍କୁ ଧନ୍ୟବାଦ ଜଣାଇଲେ। ଓଷ୍ଟା ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସଠିକ୍ ଭାବେ ନିଯୁକ୍ତି ପାଇଥିବା ସମସ୍ତ ପ୍ରକାରର ଠିକା ଶିକ୍ଷକ ଓ କର୍ମଚାରୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରଦାନ କରାଯାଇଥିଲା। ଏହା ପରଦିନ ପ୍ରକାଶିତ ବିଜ୍ଞପ୍ତିରେ ଅସଙ୍ଗତି ଦେଖିବାକୁ ମିଳିଥିଲା।

ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ମଧ୍ୟରେ ପ୍ରାୟ ୨ଲକ୍ଷ ୮୦ ହଜାର ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ମାତ୍ର ୫୭ ହଜାର ଏଥିରେ ଉପକୃତ ହୋଇଛନ୍ତି। ଅନ୍ୟମାନେ କୌଣସି ପ୍ରକାରେ ଉପକୃତ ହୋଇ ନଥିବାରୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଶିକ୍ଷକଙ୍କ ମଧ୍ୟରେ ପ୍ରତିବାଦର ବହ୍ନି ଦେଖିବାକୁ ମିଳିଛି। ଶିକ୍ଷକଙ୍କ ମଧ୍ୟରେ ପାତରଅନ୍ତର ସୃଷ୍ଟି କରିବାକୁ ଓଷ୍ଟା ଘୋର ନିନ୍ଦା କରିବା ସହ ସେମାନଙ୍କ ଦାବିକୁ ସମର୍ଥନ ଜଣାଉଛି। ଆବଶ୍ୟକ ପଡ଼ିଲେ, ସେମାନଙ୍କ ସାଥିରେ ଛିଡ଼ା ହୋଇ ରାଜ୍ୟରେ ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ କରିବା ଓ ସମସ୍ତ ପ୍ରକାର ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ଅନ୍ୟାନ୍ୟ ରାଜ୍ୟ ଭଳି ୬୨ବର୍ଷ ଚାକିରି କାଳ ବୃଦ୍ଧି କରିବା ପାଇଁ ଏକ ଦୁର୍ବାର ଆନ୍ଦୋଳନ ସଙ୍ଗଠିତ କରିବ।

ଏଥିସହ ରାଜ୍ୟର ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ, ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜିଲ୍ଲା, ବ୍ଲକ୍‌ସ୍ତରର ବିଭିନ୍ନ ଦପ୍ତରରେ କାର୍ଯ୍ୟରତ ଉଚ୍ଚ ଯୋଗ୍ୟତାଧାରୀ କିରାଣୀଙ୍କର ଗ୍ରେଡ୍‌ ପେ’ ବୃଦ୍ଧି ଦାବି ଅତ୍ୟନ୍ତ ସମ୍ବେଦନଶୀଳ ଓ ଯଥାର୍ଥ। ଲୋକସଭା ଭବନ ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀଙ୍କଠାରୁ ଏମାନଙ୍କୁ ନ୍ୟୁନ ଭାବେ ବିଚାର କରିବା ଦୃଷ୍ଟିଭଙ୍ଗୀକୁ ଓଷ୍ଟା ସହଜରେ ହଜମ କରିପାରୁନାହିଁ। ରାଜ୍ୟ ସରକାର ତୁରନ୍ତ ଏହି ସମସ୍ତ ଦାବି ପୂରଣ କରନ୍ତୁ। କେବଳ ବିଦ୍ୟାଳୟର ଭିତ୍ତିଭୂମି ବିକାଶ କରି ଶିକ୍ଷକମାନଙ୍କୁ ବିଭିନ୍ନ ସମସ୍ୟାରେ ଉବୁଟୁବୁ କରି ଯଦି ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଚାହୁଥା’ନ୍ତି, ତାହା ଅବାସ୍ତବ ଓ ଅସମ୍ଭବ। ବିଭିନ୍ନ ବର୍ଗର ଶିକ୍ଷକଙ୍କ ମଧ୍ୟରେ ଥିବା ସମସ୍ୟାକୁ ଆନ୍ତରିକତା ଦେଇ ସମାଧାନ ନକଲେ ଏହା ବିରାଟ ବିସ୍ଫୋରଣକୁ ଜନ୍ମ ଦେବ ବୋଲି ଓଷ୍ଟା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର ସୁବୁଦ୍ଧି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର