ବଡ଼ଦାଣ୍ଡରେ ସିଝିଲେ ଭକ୍ତ; ଚେତା ହରାଇଲେ, ଦର୍ଶନ ନକରି ଫେରିଲେ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସି ହଟହଟା ହୋଇଛନ୍ତି ଭକ୍ତ। ଖରା ଦାଉରେ ଖାଲି ପାଦରେ ଲମ୍ବା ପଥ ଅତିକ୍ରମ କରିବା ‌ବେଳେ କଲବଲ ହୋଇଛନ୍ତି। ଏପରିକି କିଛି ଭକ୍ତ ଖରାରେ ଧାଡ଼ିରେ ଛିଡ଼ା ହୋଇ ଚେତା ହରାଇଥିବା ବେଳେ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶ୍ରୀମନ୍ଦିର ପରିସର ସାତ ପାହଚ ନିକଟରେ ମଧ୍ୟ ଠେଲା ପେଲାରେ ଜଣେ ଭକ୍ତ ପଡ଼ିଯାଇଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିଛି ଭକ୍ତ ଖରାରେ ବହୁ ସମୟ ଛିଡ଼ା ହେବା ପରେ ଦର୍ଶନ ନକରି ଫେରି ଯାଇଥିବା ଦେଖିବାକୁ ମିଳିଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଗତ ବର୍ଷ ଦୋଳପୂର୍ଣ୍ଣିମା ବେଳକୁ ପ୍ରଶାସନ ଅସ୍ଥାୟୀ ଛାମୁଡ଼ିଆ ବାନ୍ଧିସାରିଥିଲା। ଏହି ଛାମୁଡ଼ିଆ ମରିଚିକୋଟ ଛକ ପର୍ଯ୍ୟନ୍ତ ଲମ୍ବିଥିଲା। କିନ୍ତୁ ଚଳିତ ବର୍ଷ ପ୍ରଶାସନ କେବଳ ବୈଠକ କରି କାମ ସାରିଦେଇଛି। ନା ଛାମୁଡ଼ିଆ ବ୍ୟବସ୍ଥା କରିଛ ନା ଅସ୍ଥାୟୀ ବିଶ୍ରାମସ୍ଥଳୀ ନିର୍ମାଣ ହୋଇଛି। ଏଣେ ଆଜି ରବିବାର ଥିବାରୁ ଡୁଡୁୱାଲା ଧର୍ମଶାଳା ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଶ୍ରୀମନ୍ଦିର ମରିଚିକୋଟ ନିକଟରେ ପ୍ରଶାସନର ଜୋତା ଷ୍ଟାଣ୍ଡ୍‌ ଥିବାରୁ ସେଠାରେ ଜୋତା ରଖି ଖାଲିପାଦରେ ଧାଡ଼ିବାନ୍ଧି ଛିଡ଼ା ହେବା ବେଳେ ଯନ୍ତ୍ରଣା ଭୋଗିଛନ୍ତି ଶ୍ରଦ୍ଧାଳୁ।

ଖାଲି ସେତିକି ନୁହେଁ ବଡ଼ଦାଣ୍ଡଠୁ ନେଇ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ଆଜି କାର୍‌ ପାର୍କିଂ ଦେଖିବାକୁ ମିଳିଥିଲା। ବିଶେଷକରି ଜେଲ୍‌ ରୋଡ୍‌ ଓ ଭିଆଇପି ରୋଡ୍‌ର ଦୁଇ କଡ଼‌ରେ ଗାଡ଼ି ଧାଡ଼ି ହୋଇ ପାର୍କିଂ ହୋଇଥିଲା। ଏଣେ ସହରରେ ରାସ୍ତାଘାଟରେ ଗାଡ଼ି ପାର୍କିଂ ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ଟ୍ରାଫିକ୍‌ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର