ମନ୍ଦିରରୁ ସାଢ଼େ ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି

ଚନ୍ଦନେଶ୍ୱର: ଭୋଗରାଇ ବ୍ଲକ୍‌ କଖଡ଼ା ପଞ୍ଚାୟତ ପୁରୁଷୋତ୍ତମପୁର ଗାଁ’ର ସ୍ବର୍ଗତ ସୁବଳ ଚନ୍ଦ୍ର ଦେ’ଙ୍କ ଘର ପରିସରରେ ଥିବା ଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ଚୋରି ସୁନା ଅଳଙ୍କାରର ମୂଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବ। ଏନେଇ ଭୋଗରାଇ ଥାନାରେ ଅଭିଯୋଗ କରାଯାଇଛି। ଫଳରେ ପୁଲିସ ୧୮୮/୨୨ରେ ଏକ ମାମଲା ରୁଜୁ କରି ହୋଇଛି। ବାଲେଶ୍ବରରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଆସି ତଦନ୍ତ କରିଛନ୍ତି।

ତଦନ୍ତ ଭାର ସବ୍‌-ଇନ୍‌ସପେକ୍ଟର ଅର୍ପିତା ପ୍ରିୟଦର୍ଶିନୀ ଦାସ ନେଇଥିବା ବେଳେ ତଦନ୍ତ ସମୟରେ ଭୋଗରାଇ ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା, ଚନ୍ଦନେଶ୍ୱର ଫାଣ୍ଡି ଅଧିକାରୀ ବିଶ୍ବନାଥ କର, କଖଡ଼ା ସରପଞ୍ଚ ପୁଷ୍ପାଞ୍ଜଳି ମହାନ୍ତି, ସମିତି ସଦସ୍ୟ ଗୀତାରାଣୀ ପ୍ରହରାଜ, ପୂର୍ବତନ ସରପଞ୍ଚ ଆଶିଷ ଦାସ, ଗଣେଶ ଚନ୍ଦ୍ର ଘଡ଼ାଇ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଚୋର ଠାକୁରଙ୍କ ବିଗ୍ରହରେ ଲାଗିଥିବା ନକଲି ଅଳଙ୍କାର ଏବଂ କଂସା ତଥା ଅନ୍ୟ ବାସନକୁସନ ନନେଇ କେବଳ ସୁନା ଅଳଙ୍କାର ନେବା ଘଟଣାକୁ ନେଇ ସଂଦେହ ପ୍ରକାଶ ପାଇଛି। କେହି ଜଣାଶୁଣା ଲୋକ ଏହି ଚୋରି କରିଥିବା ଅନୁମାନ ହେଉଛି।

ସମ୍ବନ୍ଧିତ ଖବର