ମନ୍ତ୍ରୀ ନ ଥାଇ ୨୭ ଜଣଙ୍କୁ ମନ୍ତ୍ରୀ ପା‌ହ୍ୟା : ୭ ଜଣଙ୍କୁ କ୍ୟାବିନେଟ୍‌ ଓ ୨୦ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା

ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ବାଦ୍‌ ୨୭ ଜଣଙ୍କୁ ସରକାର ମନ୍ତ୍ରୀ ପାହ୍ୟା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ଓ ୨୦ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ବିଧାନସଭାରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ କ୍ୟାବିନେଟ୍‌ ପାହ୍ୟା ପାଇଥିବା ବ୍ୟକ୍ତିମାନେ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ସରକାରଙ୍କ ସ୍ବାସ୍ଥ୍ୟ ଉପଦେଷ୍ଟା କେ ଶ୍ରୀନାଥ ରେଡ୍ଡି।

୧୨ଟି ଜିଲ୍ଲାର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିବା ବିଧାୟକମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଥିଲା। ମିସନ୍ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ସ୍ବାସ୍ଥ୍ୟ ଉପଦେଷ୍ଟା ପି କେ ପ୍ରଧାନ ଓ ସୁଧୀର ଦାସ, ଅ‌ାଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଡିଜିଟାଲ୍‌ ଓ ବିତ୍ତୀୟ ଜ୍ଞାନକୌଶଳ ଉପଦେଷ୍ଟା ସୋପ୍ନେନ୍ଦୁ ମହାନ୍ତି, କୃଷି ଉପଦେଷ୍ଟା କୃତ୍ତିବାସ ପାତ୍ର ଏବଂ ଓଏସ୍‌ଏଏମ୍‌ବି ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଇଛନ୍ତି। ସରକାରୀ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କୁ ଉପ ମନ୍ତ୍ରୀ ପାହ୍ୟା ମିଳିଛି।

ମନ୍ତ୍ରୀଙ୍କ ଏହି ତଥ୍ୟ ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଗଣମାଧ୍ୟମ ଉପଦେଷ୍ଟା, ମୋ ସ୍କୁଲ ଓ ମୋ କଲେଜ ଅଧ୍ୟକ୍ଷ, ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ପରି କିଛି ପଦବିରେ ନିଯୁକ୍ତି ସମୟରେ ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ ବୋଲି  ଘୋଷଣା ହୋଇଥିଲା। କିନ୍ତୁ ଆଜିର ତାଲିକାରେ ସେହି ସବୁ ନାମ ନ ଥିବା ଘଟଣା ବିଭିନ୍ନ ମହଲରେ ଆଲୋଚନାର ପ୍ରସଂଗ ପାଲଟିଛି।

ସମ୍ବନ୍ଧିତ ଖବର