୨୦ରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ୍‌ ରନ୍‌

ରାଉରକେଲା: ପୁରୀ-ରାଉରକେଲା ମଧ୍ୟରେ ସେପ୍ଟେମ୍ବର ଶେଷ ସୁଦ୍ଧା ଚାଲିବାକୁ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ଆସନ୍ତା ୨୦ରେ ପୁରୀ-ରାଉରକେଲା ମଧ୍ୟରେ ଟ୍ରାଏଲ ରନ୍‌। ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିବ। ଅପରାହ୍ନ ୨ଟା ୧୦ ମିନିଟ୍‌ରେ ରାଉରକେଲା‌ ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ। ପୁରୀ-ରାଉର‌କେଲା‌ ମଧ୍ୟରେ ମୋଟ ୧୦ଟି ଷ୍ଟେସନ ପୁରୀ, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଓ ଶେଷରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍‌ ସେଥି ପାଇଁ ୭ ଘଣ୍ଟା ୪୫ ମିନିଟ୍‌ ନେବ। ଟ୍ରାଏଲ ରନ୍‌ ବେଳେ ଟ୍ରେନ୍‌ଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି କୁହାଯାଇଛି।

ପରୀକ୍ଷାମୂଳକ ରନିଂ ପାଇଁ ପ୍ରକାଶିତ ସାରଣୀ ଅନୁଯାୟୀ ୨୦୮୩୬ (ପୁରୀ-ରାଉରକେଲା) ବନ୍ଦେ ଭାରତ ଏକ୍ସପ୍ରେସ୍‌ ସକାଳ ପ୍ରାୟ ୫ଟାରେ ପୁରୀ ଷ୍ଟେସନ ଛାଡ଼ିବ। ୫ଟା ୪୨ ମିନିଟ୍‌ରେ ଖୋର୍ଦ୍ଧାରୋଡ୍‌, ୬ଟା ୪ ମିନିଟ୍‌ରେ ଭୁବନେଶ୍ବର, ୬ଟା ୩୪ ମିନିଟ୍‌ରେ କଟକ ଷ୍ଟେସନରେ ପହଞ୍ଚିବ। ସେମିତି ସକାଳ ୭ଟା ୨୪ ମିନିଟ୍‌ରେ ​ଢେଙ୍କାନାଳ, ୮ଟା ୧୪ ମିନିଟ୍‌ରେ ଅନୁଗୁଳ, ୧୦ଟା ୧୮ ମିନିଟ୍‌ରେ ସମ୍ବଲପୁର ସିଟି, ୧୧ଟା ୨୩ ମିନିଟ୍‌ରେ ଝାରସୁଗୁଡା, ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ପୁଣି ରାଉରକେଲା ଷ୍ଟେସନରୁ ଅପରାହ୍ନ ୨ଟା ୧୦ ମିନିଟ୍‌ରେ ପୁରୀ ଅଭିମୁଖେ ବାହାରିବ। ଅପରାହ୍ନ ୩ଟା ୨୩ ମିନିଟ୍‌ରେ ଝାରସୁଗୁଡା, ୪ଟା ୩ ମିନିଟ୍‌ରେ ସମ୍ବଲପୁର ସିଟି, ସଂଧ୍ୟା ୬ଟା ୧୪ ମିନିଟ୍‌ରେ ଅନୁଗୁଳ ଷ୍ଟେସନରେ ପହଞ୍ଚିବ। ୬ଟା ୫୪ ମିନିଟ୍‌ରେ ଢେଙ୍କାନାଳ, ୭ଟା ୪୨ ମିନିଟ୍‌ରେ କଟକ, ରାତି ୮ଟା ୧୫ ମିନିଟ୍‌ରେ ଭୁବନେଶ୍ବର, ୮ଟା ୩୭ ମିନିଟ୍‌ରେ ଖୋର୍ଦ୍ଧାରୋଡ୍‌, ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ। ଶନିବାର ବ୍ୟତୀତ ସପ୍ତାହର ବାକି ୬ ଦିନ ଏହି ଟ୍ରେନ୍‌ ଚାଲିବ।

ଉଲ୍ଲେଖଯୋଗ୍ୟ, ଗତ ୧୨ ତାରିଖରେ ପୁରୀ-ତାଳଚେର ରୋଡ ମଧ୍ୟରେ ପ୍ରଥମ ଟ୍ରାଏଲ ରନ୍‌ ହୋଇଥିଲା। ପୂବାହ୍ନ ସାଢ଼େ ୯ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ତାଳଚେର ରୋଡରେ ପହଞ୍ଚିଥିଲା। ଅପରାହ୍ନ ୧ଟା ୫ ମିନିଟ୍‌ରେ ତାଳଚେର ଷ୍ଟେସନ ଛାଡି ସଂଧ୍ୟା ୫ଟା ୨୦ ମିନିଟ୍‌ରେ ପୁରୀରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର