ତୁଷାରକାନ୍ତ ମୃତ୍ୟୁ ମାମଲା: ଘରେ ଥିଲେ ପ୍ରେମିକାଙ୍କ ସମେତ ୫

ମୋବାଇଲ ଲୋକେସନ୍‌ରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

କଟକ : ତୁଷାରକାନ୍ତ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ହାତରେ ଲାଗିଛି। ୩ ତାରିଖ ରାତିରେ ତୁଷାରକାନ୍ତ ଘରୁ ମଧୁସୂଦନ ଓଭରବ୍ରିଜ୍‌ ଉପରକୁ ଯାଇଥିବା ବେଳେ ତାଙ୍କ ସହିତ ଆଉ କେହି ଥିବା ସିସି କ୍ୟାମେରାରୁ ବର୍ତ୍ତମାନ ସୁଦ୍ଧା ଠାବ ହୋଇପାରି ନାହିଁ। ଯେଉଁ ୫ ଜଣ ଯୁବକ ଓ ଯୁବତୀ ତାଙ୍କୁ ମଧୁସୂଦନ ସେତୁରୁ ଠେଲି ମାରି ଦେଇଥିବା ଅଭିଯୋଗ ଆସୁଛି ଉକ୍ତ ସମସ୍ତ ଅଭିଯୁକ୍ତ ସେହି ସମୟରେ ଘରେ ଥିବା ସେମାନଙ୍କ ମୋବାଇଲ୍ ଲୋକେସନ ଡିଟେଲରୁ ଜଣାପଡ଼ିଛି। ଏଭଳି ତଥ୍ୟ ପୁଲିସ ହାତରେ ଲାଗିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଏବେ କେବଳ ତୁଷାରକାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ରିପୋର୍ଟ ଆସିଲେ ପୁଲିସ ପୁରା ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କୁ ଗଲା ୩ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଇନ୍‌ଡୋର ଷ୍ଟାଡିୟମ ଭିତରେ ତାଙ୍କ ପ୍ରେମିକା ସମେତ ୫ ଜଣ ଡାକିଥିଲେ। ସେଠାରେ ତାଙ୍କୁ ମାଡ଼ ମାରିବା ପରେ ମଧୁସୂଦନ ସେତୁ ଉପରୁ ଠେଲି ହତ୍ୟା କରିଥିବା ତାଙ୍କ ବାପା ହୃଷିକେଷ କ୍ୟାଣ୍ଟନମେଣ୍ଟ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସତ୍ୟାସତ୍ୟ ଜାଣିବା ପାଇଁ ୭ ତାରିଖରେ ଉକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପ୍ରାୟ ୮ ଘଣ୍ଟା ପୁଲିସ ଜେରା କରିଥିଲା। ୩ ତାରିଖ ରାତି ୭ଟା ପରେ ସେମାନଙ୍କ ମୋବାଇଲ୍ ଲୋକେସନ ପୁଲିସର ହସ୍ତଗତ ହୋଇଛି। ତୁଷାରକାନ୍ତଙ୍କ ଘର ନିକଟରୁ ମଧୁସୂଦନ ସେତୁ ଯାଏ ମିଳିଥିବା ସମସ୍ତ ସିସି କ୍ୟାମେରା ଫୁଟେଜ ବି ପୁଲିସ ଜବତ କରିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ସିସି କ୍ୟାମେରା ଫୁଟେଜ ଅନୁଯାୟୀ ତୁଷାରକାନ୍ତ ୩ ତାରିଖ ରାତି ପ୍ରାୟ ୭ଟା ୪୦ ବେଳକୁ ଘରୁ ସ୍କୁଟି ଧରି ବାହାରି ଯାଇଥିଲେ। ଚଣ୍ଡିମନ୍ଦିର ନିକଟରେ ମୋବାଇଲ୍ ଫୋନ୍ ସୁଇଚ୍ ଅଫ ହେବା ପରେ ତୁଷାରକାନ୍ତ ମଧୁସୂଦନ ସେତୁ ଆଡ଼କୁ ଯାଇଥିଲେ। ତାଙ୍କ ସହିତ ଆଉ କେହି ଯାଇଥିବା ନେଇ ବର୍ତ୍ତମାନ ସୁଦ୍ଧା ସିସି କ୍ୟାମେରା ଫୁଟେଜରୁ ଠାବ କରି ନାହିଁ। ଏ ନେଇ ଅଧିକ ଅନୁସନ୍ଧାନ ଚାଲିଛି। ତୁଷାରକାନ୍ତ ଘରୁ ଯିବା ପରେ ସେହି ସମୟରେ ପ୍ରେମିକାଙ୍କ ସମେତ ୫ ଅଭିଯୁକ୍ତ ନିଜ ନିଜ ଘରେ ଥିବାରୁ ସମ୍ପୂର୍ଣ୍ଣ ଘଟଣା ଅଧିକ ଗୋଳମାଳିଆ ହେଲାଣି। ତୁଷାରକାନ୍ତଙ୍କ ପରିବାର ସଦସ୍ୟ ଯେଉଁ ଯୁବକ ଯୁବତୀଙ୍କୁ ହତ୍ୟାକାରୀ ବୋଲି ଦାବି କରୁଛନ୍ତି ସେମାନେ ଘଟଣା ସମୟରେ ନିଜ ଘରେ ଥିବା ମୋବାଇଲ୍ ଲୋକେସନରୁ ପୁଲିସକୁ ତଥ୍ୟ ହସ୍ତଗତ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏ ନେଇ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର