ବାଣୀବିହାର ବ୍ରିଜ୍‌ ଉପରେ ୨ ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଗାଡ଼ି

ଭୁବନେଶ୍ବର: ବାଣୀବିହାର ଓଭର ବ୍ରିଜ ଉପରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଦୁଇ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

ସୂଚନା ଅନୁସାରେ ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳକୁ ଆଚାର୍ଯ୍ୟ ବିହାର ପଟରୁ ରସୁଲଗଡ଼ ଅଭିମୁଖେ ୨ ଜଣ ଯୁବକ ବାଇକରେ ଯାଉଥିଲେ। ବାଣୀବିହାର ଓଭର ବ୍ରିଜ୍‌ ପାଖାପାଖି କୌଣସି ଏକ ଦ୍ରୁତଗାମୀ ଗାଡ଼ି ବାଇକ ଚାଳକ ଦ୍ବୟଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଜାତୀୟ ରାଜପଥ ଉପରେ ୨ଟି ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥି ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ମିଳିପାରି ନାହିଁ। ତେବେ ମୃତକଙ୍କ ନିକଟରୁ ଏକ ପଲିଥିନିରେ କିଛି ପାଉଡର ଭଳି ସାମଗ୍ରୀ ମିଳିଛି। ଉଭୟ ବ୍ରାଉନସୁଗାର ନେଇ ଯାଉଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର