କଟକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ୨୦୨୪ରେ ବିଜେପି ଓଡ଼ିଶାରେ ଜିତିବ ୧୬ ଲୋକସଭା ଆସନ

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଓଡ଼ିଶାକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ହିତାଧିକାରୀଙ୍କ ସଂଖ୍ୟା ହେଉଛି ୩୯ ଲକ୍ଷ ୭୩ ହଜାର। ଏହି ଯୋଜନାରେ ଓଡ଼ିଶାର ହିତାଧିକାରୀଙ୍କୁ ମୋଟ ୭୧୧୮ କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନାରେ ଓଡ଼ିଶ‌ାରେ ୪୭ ଲକ୍ଷ ୪୦ ହଜାର ପରିବାରକୁ ଗ୍ୟାସ୍ ସଂଯୋଗ ଦିଆଯାଇଛି। ସେଥିରୁ ୨୦ ଲକ୍ଷ ୬୦ ହଜାର ଅନୁସୂଚିତ ଜାତି-ଜନଜାତି ପରିବାର ଏହି ସୁବିଧ‌ା ପାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମୋଟ ୧୬ଲକ୍ଷ ୯୫ ହଜାର ଘର ଦିଆଯାଇଛି।

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଶନିବାର ଦିନ କଟକ ସର୍କିଟ୍ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ତଥ୍ୟ ରଖିଛନ୍ତି। ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶା‌ରେ ୯୩ଲକ୍ଷ ୧୩ ହଜାର ପରିବାରକୁ ରାସନ ଦିଆଯାଉଛି। ଅର୍ଥାତ ୩ କୋଟି ୨୫ଲକ୍ଷ ଲୋକ ଏ ସୁବିଧା ପାଉଛନ୍ତି। ସୁକନ୍ୟା ସମୃଦ୍ଧି ଯୋଜନା ୧୨ଲକ୍ଷ ୮୦ ହଜାର ହିତାଧିକାରୀଙ୍କୁ ୫ ହଜାର ୭୬ କୋଟି ଟଙ୍କାର ସୁବିଧା ମିଳିବ। ସ୍ବଚ୍ଛ ଭାରତ ‌ଯୋଜନାରେ ଓଡ଼ିଶାରେ ୭୧ଲକ୍ଷ ୭ ହଜାର ଶୌଚାଳୟ ନିର୍ମାଣ କରାଯାଇଛି। ଜଳ ଜୀବନ ମିସନରେ ୪୩ ଲକ୍ଷ ୩୪ ହଜାର ଘରକୁ ପାଇପ ଯୋଗେ ‌ଜଳ ଯୋଗାଣ କରାଯାଇଛି। ମନରେଗାରେ ରାଜ୍ୟର ୧୯ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ କାମ ମିଳିଛି। ସେଥିରୁ ୯ଲକ୍ଷ ୩୮ଟି ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଏଥିରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାକୁ ୫୧୫୦ କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଓଡ଼ିଶାରେ ୧ କୋଟି ୮୫ଲକ୍ଷ ଖାତା ଖୋଲା ଯାଇଛି। ପ୍ରଧାନମନ୍ତ୍ରୀ ମୁ୍ଦ୍ରା ଯୋଜନାରେ ୩୧ଲକ୍ଷ ୧ ହଜାର ବ୍ୟବସାୟୀଙ୍କୁ ମୁଦ୍ରା ଲୋନ ଦିଆଯାଇଛି। ଏହି ଯୋଜନାରେ ମୋଟ ୧୩ ହଜାର ୩୧୪ କୋଟି ଟଙ୍କା ଋଣ ଦିଆଯାଇଛି।

କେନ୍ଦ୍ର ଯୋଜନାରେ ଓଡ଼ିଶାକୁ ମିଳୁଛି ଅଧିକ ଫାଇଦା
ଆବାସ ଯୋଜନାରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ନୈରାଶ୍ୟଜନକ

କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଓଡ଼ିଶାକୁ ପ୍ରାଧାନ୍ୟ ଦେଉଛନ୍ତି କିନ୍ତୁ ପ୍ରଧାନ ମନ୍ତ୍ରୀ ଆବାସ ଭଳି ଯୋଜନାରେ ରାଜ୍ୟ ସରକାର ଠିକ୍ ଭାବେ କାମ କରୁ ନଥିବା ମନ୍ତ୍ରୀ ଅଭି‌ଯୋଗ କରିଛନ୍ତି। ଓଡ଼ିଶାରେ ବିଜେପିର ସ୍ଥିତିକୁ ନେଇ ମନ୍ତ୍ରୀ ଶ୍ରୀ ରାୟ କହିଛନ୍ତି ଯେ ଦଳ ରାଜ୍ୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। ଅଧିକ ଲୋକସଭା ସିଟ୍ ଜିତି ପାରିଛି। ଆଗକୁ ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ରାୟ କହିଛନ୍ତି। ଶ୍ରୀ ରାୟ କହିଛନ୍ତି ଯେ ୨୦୧୯ ପୂର୍ବରୁ ଓଡ଼ିଶାରେ ବିଜେପିର ଗୋଟିଏ ଆସନ ଥିବା ବେଳେ ତାହା ୮କୁ ବୃଦ୍ଧି ପାଇଛି। ଏବଂ ଆଗାମୀ ନିର୍ବାଚନରେ ଏହା ୧୬କୁ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଥିଲେ।

କଟକ ଜିଲ୍ଲାକୁ ଗସ୍ତ କାର୍ଯ୍ୟକ୍ରମର ଶନିବାର ଦ୍ବିତୀୟ ଦିନରେ ମନ୍ତ୍ରୀ ଶ୍ରୀ ରାୟ ପ୍ରଥମେ ଚଣ୍ଡୀ ମନ୍ଦିର ଯାଇ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିଥିଲେ। କଟକ ସଦର ସଂଗଠନର ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ରାୟ ୨୦୨୪ ନିର୍ବାଚନ ପାଇଁ କର୍ମୀଙ୍କ ମନୋବଳ ବଢାଇ ଥିଲେ। ବୁଥ୍ କମିଟି ଓ ଶକ୍ତିକେନ୍ଦ୍ରକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସ‌ାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ରା‌ଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ, ‌ଲୋକସଭା ପ୍ରଭାରୀ ପ୍ରତାପ ମିଶ୍ର, ସଂଯୋଜକ ସୁକାନ୍ତ ବିଶ୍ବାଳ, ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁପ୍ରସାଦ ତରାଇ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ଓ ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର