ଆଜି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ

ଆସିଲା ୧.୭୩ ଲକ୍ଷ ‘କୋଭାକ୍ସିନ୍‌’, ୧୫ରେ ଆସିବ ୩.୧୫ ଲକ୍ଷ ‘କୋଭିସିଲ୍‌ଡ’

ଭୁବନେଶ୍ବର : ଆଜି (ଶନିବାର) ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଟିକାର ଅଭାବ ପାଇଁ ବାଲେଶ୍ବର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼, ନୂଆପଡ଼ା ଓ ସୋନପୁରରେ ଟିକାକରଣ ହେବ ନାହିଁ। ବଳକା ଜିଲ୍ଲାକୁ ମିଶାଇ ଆସନ୍ତାକାଲି ୩୦୮ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିସିଲ୍‌ଡ ଟିକାର ଅଭାବ ପାଇଁ ରାଜ୍ୟରେ କ୍ରମାଗତ ଭାବେ ଦୈନିକ ଟିକାକରଣ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳୁଛି। ଆଜି ୫୪୫ ଅଧିବେଶନରେ ୯୩,୩୩୪ ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୪୧,୬୩୬ ପ୍ରଥମ ଓ ୩୪୨୧ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ସେହିପରି ୪୫ ବର୍ଷରୁ ଅଧିକ ୧୧,୬୭୩ ପ୍ରଥମ ଓ ୩୫,୮୪୨ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୩୨ଲକ୍ଷ ୭୨ହଜାର ୬୩୮ ଡୋଜ୍‌ ଟିକା ଦିଆଗଲାଣି। ରାଜ୍ୟରେ ଏବେ ୫୯,୯୨୦ ଡୋଜ୍ କୋଭିସିଲ୍‌ଡ ଓ ୩,୯୩,୦୧୦ ଡୋଜ୍‌ କୋଭାକ୍ସିନ୍‌ ଟିକା ମହଜୁଦ୍‌ ଅଛି।

ଅପରପକ୍ଷେ ଶୁକ୍ରବାର ସକାଳେ ୧.୭୩ଲକ୍ଷ କୋଭାକ୍ସିନ୍‌ ଟିକା ରାଜ୍ୟରେ ଆସି ପହଞ୍ଚିଛି। ଏହାକୁ ଗଞ୍ଜାମ ଜିଲ୍ଲାକୁ ପଠାଯିବ। ଭୁବନେଶ୍ବର ବାଦ୍‌ ରାଜ୍ୟରେ ଦ୍ବିତୀୟ ସ୍ଥାନ ଭାବେ ଗଞ୍ଜାମରେ କୋଭାକ୍ସିନ୍‌ ଟିକା ଦିଆଯାଉଛି। ଆସନ୍ତା ୧୫ ତାରିଖରେ ରାଜ୍ୟକୁ ଆହୁରି ୩ ଲକ୍ଷ ୧୫ହଜାର କୋଭିସିଲ୍‌ଡ ଟିକା ଆସିବ। ଚଳିତ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଯେତିକି ଟିକା ଅନୁମୋଦନ ହୋଇଥିଲା, ତାହାଠାରୁ ଅତିରିକ୍ତ ଦୁଇଲକ୍ଷ ଟିକା ମିଳିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର