ଆଜି ବଲାଙ୍ଗୀର ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ

ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ
ରାଜେନ୍ଦ୍ର କଲେଜ ପ୍ଲାଟିନମ୍‌ ଜୁବୁଲି ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ
ପ୍ରସ୍ତୁତି ଚୂଡ଼ାନ୍ତ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ବଲାଙ୍ଗୀର : ଶୁକ୍ରବାର ବଲାଙ୍ଗୀର ଗସ୍ତରେ ଆସିବେ ମହାମହିମ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ। ଉପରାଷ୍ଟ୍ରପତି ପ୍ରଥମେ ବଲାଙ୍ଗୀର ଉପକଣ୍ଠ ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ତାପରେ ପଶ୍ଚିମ ଓଡ଼ିଶାର ସର୍ବପୁରାତନ ରାଜେନ୍ଦ୍ର କଲେଜ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ ଜୁବୁଲି ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ। ଏଥିପାଇଁ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଓ ବରକାନୀ ଉଭୟ ସ୍ଥାନରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ସବସ୍ଥଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ବଲାଙ୍ଗୀର ଏସ୍‌ପି ମଡ଼କର ସନ୍ଦୀପ ସମ୍ପତ ସୂଚନା ଦେଇଛନ୍ତି। ଗୁରୁବାର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି ମଡ଼କର ସନ୍ଦୀପ ସମ୍ପତ ଗାନ୍ଧୀ ଷ୍ଟାଡିୟମ ଓ ବରକାନୀ ବଟଲିଂ ପ୍ଲାଣ୍ଟ ବୁଲି ଦେଖିଛନ୍ତି।

ସୂଚନା ଅନୁଯାୟୀ ଉପରାଷ୍ଟ୍ରପତି ସକାଳ ୯ଟା ୧୫ରେ ବଲାଙ୍ଗୀର ହେଲିପେଡ଼ରେ ପହଞ୍ଚିବେ। ସେଠାରୁ ସଡ଼କପଥରେ ଯାଇ ବରକାନୀରେ ୯ଟା ୩୦ରେ ପହଞ୍ଚି ବଟଲିଂ ପ୍ଲାଣ୍ଟର ଲୋକର୍ପଣ କରିବେ। ସେଠାରୁ ୧୦ଟା ୧୫ରେ ସଡ଼କପଥରେ ବାହାରି ୧୦ଟା ୩୫ରେ ବଲାଙ୍ଗୀର ଗାନ୍ଧୀଷ୍ଟାଡିୟମରେ ପହଞ୍ଚି ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି ଉଦ୍‌ଘାଟନୀ ସମାରୋହରେ ଯୋଗ ଦେବେ।

ସୂଚନାଯୋଗ୍ୟ ଯେ, ଶିଳ୍ପବିହୀନ ବଲାଙ୍ଗୀର ଜିଲ୍ଲାରେ ଅର୍ଥନୀତିର ବିକାଶ ପାଇଁ ବଟଲିଂ ପ୍ଲାଣ୍ଟର ପରିକଳ୍ପନା ହୋଇଥିଲା। ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାରେ ଏଲ୍‌ପିଜିର ବଢୁଥିବା ଚାହିଦା ପୂରଣ କରିବାକୁ ପ୍ଲାଣ୍ଟ ପାଇଁ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୮ ମସିହା ମଇ ମାସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ଅବଧି ୨୪ ମାସ ଥିଲେ ହେଁ ରେକର୍ଡ ସମୟରେ ୧୯ ମାସ ଭିତରେ କାମ ସରି ଏହାର ଉଦ୍‌ଘାଟନ ହେବ। ସେହିପରି ୧୯୪୪ ମସିହାରେ ପ୍ରତିଷ୍ଠାଲାଭ କରିଥିବା ରାଜେନ୍ଦ୍ର କଲେଜ ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି। ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏକଜୁଟ ହୋଇ ଉତ୍ସବକୁ ମହାସମାରୋହରେ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ସାରା ସହର ପ୍ଲାଟିନମ ଜୁବୁଲିର ସାଂସ୍କୃତିକ ଶୋଭାଯାତ୍ରାରେ ଉତ୍ସବମୁଖର ହୋଇ ଉଠିଥିଲା। ସମସ୍ତେ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର