ନିର୍ଦ୍ଦେଶକଙ୍କ ଲମ୍ବା ଅନୁପସ୍ଥିତି, ଅନିଶ୍ଚିତତାରେ ଡାକ୍ତର ନିଯୁକ୍ତି : ଭିମ୍‌ସାର୍‌ରେ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ

ସମ୍ବଲପୁର : ତ୍ରିଶଙ୍କୁ ଅବସ୍ଥାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)। ଭିମ୍‌ସାରର ଅସ୍ଥାୟୀ ନିର୍ଦେଶକ ଭାବେ ପ୍ରଫେସର ଧୀରେନ୍ଦ୍ର ମହାରଣାଙ୍କୁ ନିଯୁକ୍ତି ଦିଆଯିବା ପରେ ବି ଖାଲି ପଡ଼ିଛି ଏହି ପଦ। ସେ କାର୍ଯ୍ୟରେ ଯୋଗଦେଇ ମଧ୍ୟ ଭିମସାରକୁ ଆସୁ ନଥିବାରୁ ସ୍ଥାୟୀ ଡାକ୍ତର ସମେତ ସମସ୍ତ ପ୍ରକାର ନିଯୁକ୍ତି ପ୍ରକ୍ରିୟା, ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

ବିବାଦୀୟ ପରିସ୍ଥିତିରେ ଭିମସାର ନିର୍ଦେଶକ ପଦରୁ ଡା. ଅଶ୍ବିନୀ ପୂଜାହାରୀ ଇସ୍ତଫା ଦେବା ପରେ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ନିର୍ଦେଶକ ମିଳି ପାରି ନାହିଁ। ତାଙ୍କ ପରେ ଅସ୍ଥାୟୀ ଭାବରେ ଏହି ପଦ ସମ୍ଭାଳିଥିବା ଡା. ପ୍ରକାଶ ମହାପାତ୍ର ମଧ୍ୟ ନିଜ ସଂକ୍ଷିପ୍ତ କାର୍ଯ୍ୟକାଳର ଅଧିକାଂଶ ସମୟ ଭିମସାର୍‌ରେ ଅନୁପସ୍ଥିତ ରହିଥିଲେ। ତାଙ୍କ ପରେ ପ୍ରଫେସର ଧିରେନ୍ଦ୍ର ମହାରଣା ଏହି ଦାୟିତ୍ବ ନେଇ ନିର୍ଦ୍ଦେଶକଙ୍କ ଅନୁପସ୍ଥିତିର ଧାରା ଜାରି ରଖିଛନ୍ତି। ଡ.ପ୍ରକାଶ ମହାପାତ୍ର ମେ ୩୧ ତାରିଖ ଅବସର ଗ୍ରହଣ ସହିତ ନୂଆ ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାର ଥିଲା। ମାତ୍ର ଏଥିପ୍ରତି ଧ୍ୟାନ ଦେଇ ନଥିଲେ ରାଜ୍ୟ ସରକାର। ଫଳରେ ଅସ୍ଥାୟୀ ନିର୍ଦେଶକ ଭାବରେ ପ୍ରଫେସର ବିଜୟ ଦତ୍ତ ସାମୟିକ ଦାୟିତ୍ବ ନେଲେ। ଅସ୍ଥାୟୀ ନିର୍ଦେଶକଙ୍କ ପ୍ରଶାସନିକ କିମ୍ବା ନିଯୁକ୍ତି କ୍ଷମତା ନଥିବାରୁ ପରିଚାଳନା ବୋର୍ଡ ବୈଠକ ଡାକିପାରୁ ନଥିଲେ। ଏଥିଯୋଗୁଁ ନୂଆ ନିଷ୍ପତ୍ତି ହୋଇ ନପାରି ପ୍ରଶାସନିକ ବ୍ୟବସ୍ଥା ଠପ୍‌ ହୋଇପଡ଼ିଥିଲା। ସରକାରଙ୍କ ପକ୍ଷରୁ ଗତ ଜୁନ ୨୨ ତାରିଖରେ କଟକର ମେଡିସିନ ବିଭାଗ ପ୍ରଫେସର ଧିରେନ୍ଦ୍ର ମହାରଣାଙ୍କୁ ଭିମ୍‌ସାରର ଅସ୍ଥାୟୀ ନିର୍ଦେଶକ ଭାବରେ ନିଯୁକ୍ତି ଦିଆଗଲା। ଏକ ତୃତୀୟାଂଶ ପରିଚାଳନା ବୋର୍ଡ ସଦସ୍ୟଙ୍କ ଅନୁରୋଧ କ୍ରମରେ ତରବରିଆ ଭାବରେ ସେହି ମାସ ୨୫ ତାରିଖରେ ବୈଠକ ଡକାଯାଇ ଥିଲା। ଏହାପରେ ନିର୍ଦେଶକ ଛୁଟିରେ ରହିଥିଲେ। ଶେଷ ଥର ପାଇଁ ଜୁଲାଇ ୧୦ ତାରିଖ ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ସଚିବଙ୍କ ଗସ୍ତ ଅବସରରେ ନିର୍ଦେଶକ ଭିମସାର ଆସି ଯେଉଁ ଯାଇଛନ୍ତି ସେବେଠାରୁ ଆଉ ଫେରି ନାହାନ୍ତି। ଏହି ଅବସରରେ ମନ୍ତ୍ରୀ ଚୁକ୍ତିଭିତ୍ତିକ ପରିବର୍ତ୍ତେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଡିପିସି ଜରିଆରେ ପଦୋନ୍ନତି ସମେତ ବହୁ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଥିଲେ। ନିର୍ଦେଶକଙ୍କ ଅନୁପସ୍ଥିତିରେ ଏସବୁ କାର୍ଯ୍ୟକାରୀ ହୋଇପାରୁ ନାହିଁ।

ଏଥିଯୋଗୁଁ ବର୍ତ୍ତମାନ ଭିମସାରର ସ୍ଥିତି ଅତି ଜଟିଳ ହୋଇ ପଡ଼ିଥିବା ଭିମସାର ଡିନ ପ୍ର. ବ୍ରଜ ମୋହନ ମିଶ୍ର ମଧ୍ୟ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର