ନ୍ୟାୟ ପାଇଁ ନବୀନ ନିବାସ ଆଗରେ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ଭୁବନେଶ୍ଵର: ନବୀନ ନିବାସ ଆଗରେ ଆଜି ଅପରାହ୍ଣରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିନ୍ତୁ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହାୟତ‌ାରେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ନାଁ ମନୋରମା ବୋଲି ଜଣାପଡ଼ିଛି।

ଆତ୍ମହତ୍ୟା କରିବାକୁ ଯାଇଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି ଯେ, ସେ ଦୀର୍ଘ ୨୩ ବର୍ଷ ଧରି ପୁଲିସଠାରୁ ନ୍ୟାୟ ପାଇପାରି ନାହାନ୍ତି। ମହିଳାଙ୍କ ଘର ଭଦ୍ରକ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ତେବେ ତାଙ୍କୁ ଉଦ୍ଧାର କରାଯିବା ସମୟରେ ପୁଲିସ ସହିତ ଟଣାଓଟରା ହୋଇଥିଲା। କିନ୍ତୁ ମହିଳାଙ୍କୁ ଗଛରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଗିରଫ ଭୟରେ ସେ ଦୌଡ଼ିଦୌଡ଼ି ପଳାୟନ କରୁଥିଲେ। ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି ଯେ, ନ୍ୟାୟ ନ ପାଇ ସେ ନିରାଶ ହୋଇଛନ୍ତି। ‌

ମହିଳା ଜଣକ କହିଛନ୍ତି ଯେ, ମୋତେ ନ୍ୟାୟ ମିଳୁନି। ବରଂ ପୁଲିସ ମୋତେ ଗିରଫ କରିବାକୁ ଚାହୁଁଛି। ତୁ ମରିଗଲେ ସରକାର କ’ଣ ଦାୟୀ ରହିବେ ବୋଲି ପୁଲିସ କହୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଯେତେବେଳେ ନବମ ଶ୍ରେଣୀରେ ପାଠ ପଢୁଥିଲି, ସେହି ସମୟରେ ମୋ ଭାଇଙ୍କୁ ହତ୍ୟା କରାଯାଇଥିଲା।  ମୋ ଦିଅର ଆର୍ମି ଅଫିସର ହୋଇଥିବାରୁ ମୋ ଉପରେ ଚାପ ପଡ଼ିଲା। ମୋ ସ୍ଵାମୀ ମୋତେ ଛାଡ଼ି ଚାଲିଗଲେ। ମୋତେ ଏ ଯାଏଁ ନ୍ୟାୟ ମିଳିନାହିଁ। ପୁଲିସ ଉପରେ ଭରସା ନାହିଁ। ଉପରୁ ଅର୍ଡର ଆସିଛି, ମୋତେ ନ୍ୟାୟ ଦିଅନ୍ତୁ। ମୋ ସ୍ଵାମୀ କୋର୍ଟ ଅର୍ଡର ମାନୁନାହାନ୍ତି। ମୁଁ ଭରଣପୋଷଣ ପାଇବାରୁ ବଞ୍ଚିତ ହୋଇଛି। ତେବେ ଏୟାରପୋର୍ଟ ଥାନା ପୁଲିସ ସଂପୃକ୍ତ ମହିଳାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର