ରାଜ୍ୟରେ ବଢ଼ୁଛି ମହିଳା ନିର୍ଯାତନା

୯ ବର୍ଷରେ ୨୭,୭୨୩ଟି ମାମଲା, ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି। ରାଜ୍ୟ ମହିଳା ଆୟୋଗଙ୍କ ତଥ୍ୟ ଅନୁଯାୟୀ ଗତ ୯ ବର୍ଷରେ ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ଅଭିଯୋଗରେ ୨୭ ହଜାର ୭୨୩ଟି ମାମଲା ଦରଜ ହୋଇଛି। ବିଧାନସଭାରେ ଏ ସଂକ୍ରାନ୍ତ ଏକ ଅଣତାରକା ପ୍ରଶ୍ନରେ ଏପରି ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ।

ସରକାରୀ ରେକର୍ଡ଼ କହୁଛି, ୨୦୧୦ରୁ ୨୦୧୮ ଭିତରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ମହିଳା ଓ ଶିଶୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଏହି ଜିଲ୍ଲାରେ ଗତ ୯ବର୍ଷ ଭିତରେ ୫ ହଜାର ୨୨୭ଟି ନିର୍ଯାତନା ମାମଲା ଦରଜ ହୋଇଛି। ୨୦୧୦ରେ ଏହି ଜିଲ୍ଲାରେ ୪୧୭ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୩ରେ ସର୍ବାଧିକ ୬୯୧, ୨୦୧୪ରେ ୬୪୩, ୨୦୧୫ରେ ୬୮୯, ୨୦୧୭ରେ ୬୩୫ ଓ ୨୦୧୮ରେ ୬୧୦ଟି ମହିଳା ଓ ଶିଶୁ ନିର୍ଯାତନା ଘଟଣା ଘଟିଛି। ଖୋର୍ଦ୍ଧା ଜିଲ୍ଲା ତଳକୁ ରହିଛି କଟକ । କଟକରେ ଏହି ବର୍ଷ ଭିତରେ ମୋଟ ୨ ହଜାର ୬୦୮ଟି ନିର୍ଯାତନା ଘଟଣା ଘଟିଛି। ମହିଳା ନିର୍ଯାତନା ଘଟଣାରେ ପୁରୀ ତୃତୀୟ ସ୍ଥାନରେ ରହିଛି। ଜିଲ୍ଲାରେ ମୋଟ ୨ ହଜାର ୧୫୭ଟି ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମରେ ୧୭୫୩, ଭଦ୍ରକରେ ୧୫୩୮, କେନ୍ଦ୍ରାପଡ଼ାରେ ୧୩୭୭ ଓ ବାଲେଶ୍ବର ଜିଲ୍ଲାରେ ୧୩୭୪ଟି ନିର୍ଯାତନା ମାମଲା ହୋଇଛି। ମାଲକାନଗିରି ଜିଲ୍ଲାରେ ସବୁଠୁ କମ ମହିଳା ଓ ଶିଶୁ ନିର୍ଯାତନା ଘଟଣା ରୁଜୁ ହୋଇଥିବା ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି। ଏହି ଜିଲ୍ଲାରେ ଗତ ୯ ବର୍ଷ ଭିତରେ ମାତ୍ର ୮୭ଟି ମାମଲା ହୋଇଥିବା ଶ୍ରୀ ସାମଲ କହିଛନ୍ତି।

ପାରିବାରିକ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ୨୦୦୫ ଘରୋଇ ହିଂସା ଆଇନ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ସୁରକ୍ଷା ଅଧିକାରୀ ସରକାରଙ୍କ ତରଫରୁ ନିଯୁକ୍ତି ପାଇଛନ୍ତି। ସେହିପରି କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ରୋକିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ଅଭିଯୋଗ କମିଟି ଗଠନ କରାଯାଇଛି। ହିଂସା ଦ୍ବାରା ପ୍ରଭାବିତ ବାଳିକା ଓ ମହିଳାମାନଙ୍କୁ ସହାୟତା ପ୍ରଦାନ ପାଇଁ ଖୋର୍ଦ୍ଧା, ସମ୍ବଲପୁର, ଗଞ୍ଜାମ, ସୁନ୍ଦରଗଡ଼, କୋରାପୁଟ ଜିଲ୍ଲାରେ ‘ସଖି’ କେନ୍ଦ୍ର ଖୋଲାଯାଇଛି।

ସମ୍ବନ୍ଧିତ ଖବର