ବିଷଧର ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ଜଗନ୍ନାଥଗୁଡ଼ାର ଜଣେ ଯୁବକଙ୍କୁ ଆଜି ସକାଳ ସାଢେ଼ ୫ଟାରେ ଏକ ବିଷଧର ସାପ କାମୁଡ଼ିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଧନୁର୍ଜୟ ଦାସ (୨୪)।  ଏ ନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ ଡାବୁଗାଁ ସଦର ଜଗନ୍ନାଥଗୁଡ଼ାର ଧନୁର୍ଜୟ ଦାସ ନିଜ ଘରେ ଶୋଇଥିବା ଅବସ୍ଥାରେ ଆଜି ସକାଳ ପ୍ରାୟ ସାଢେ଼ ୫ ଘଣ୍ଟ ସମୟରେ ଏକ ବିଷଧର ସାପ ପିଠିରେ କାମୁଡି ଥିଲା। ଧନୁର୍ଜୟ ସାପ କାମୁଡ଼ିବା ପରେ ଚିତ୍କାର କରିଥିଲା। ପାଖରେ ଶୋଇଥିବା ସ୍ତ୍ରୀ ଓ ପୁଅ ଦେଖିବା ବେଳକୁ ଏକ ବିଷଧର ସାପ ଥିବା ଦେଖିଥିଲେ। ତୁରନ୍ତ ଧନୁର୍ଜୟଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲେ ସୁଦ୍ଧା ଅବସ୍ଥା ଗୁରୁତର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ୨ ଘଣ୍ଟ ସମୟରେ ଧନୁର୍ଜୟ ଦାସଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ନବରଙ୍ଗପୁରରେ ଶବ ଜବତ କରିଥିଲେ। ଆସନ୍ତାକାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ମୃତ ଧନୁର୍ଜୟ ଦାସଙ୍କର ସ୍ତ୍ରୀ ସହ ପୁଅ ଓ ଗୋଟିଏ ଛୋଟ ଝିଅ ଥିବା ବେଳେ କୁଲି ମଜୁରୀ କରି ପରିବାର ପୋଷଣ କରୁଥିଲେ। ଧନୁର୍ଜୟଙ୍କର ମୃତ୍ୟୁ ପରେ ପରିବାର ବେସାହାରା ହୋଇ ପଡିଛନ୍ତି।

ସମ୍ବନ୍ଧିତ ଖବର