ବନବିଭାଗ ହାଜତରେ ଯୁବକର ମୃତ୍ୟୁ!

ପିଟିପିଟି ମାରିଦେଇଛନ୍ତି ବୋଲି ସ୍ତ୍ରୀଙ୍କ ଅଭିଯୋଗ, ଡାକ୍ତରଖାନା ଘେରାଉ କଲେ ଶତାଧିକ ଲୋକ

ବାଣପୁର: ଗତକାଲି ରାତିରେ ପାଟ୍ରୋଲିଂ କରୁଥିବାବେଳେ ବନବିଭାଗ ହାତରେ ଧରାପଡ଼ିଥିବା ନୟ‌ାଗଡ଼ ଜିଲ୍ଲା ଶରଣକୂଳ ଥାନା ବୋଲଗାଁ ଗ୍ରାମର ବଳଭଦ୍ର ବେହେରା(୩୨ ବର୍ଷ)ଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବନବିଭାଗ କହିଥିବାବେଳେ ବଳଭଦ୍ରଙ୍କ ପରିବାର ତାଙ୍କୁ ହାଜତରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଲୋକ ଡାକ୍ତରଖାନା ଘେରାଉ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଥାନା ଓ ଡାକ୍ତରଖାନାରେ ପୁଲିସ୍ ମୁତୟନ କରାଯାଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତିରେ ଧୂଆଁନଳୀ ଫ‌େରେଷ୍ଟ୍‌ ବିଟ୍‌ର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବାବେଳେ ଟମଣା ପାହାଡ଼ରେ କେତେକ ଲୋକ କାଠ କାଟୁଥିବା ସୂଚନା ପାଇଥିଲେ। ସୂଚନା ଅନୁସାରେ ସେମାନେ ସେଠାରେ ପହଞ୍ଚିବା କ୍ଷଣି କାଠ କାଟୁଥିବା ୪ ଜଣ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ୩ ଜଣ ଖସିଯିବାରେ ସକ୍ଷମ ହୋଇଥିବାବେଳେ ବଳଭଦ୍ର ଅନ୍ଧାରରେ ଦୌଡ଼ୁଥିବାବେଳେ ଏକ ଲତାରେ ଛନ୍ଦି ହୋଇ ତଳେ ପଡ଼ିଯିବାରୁ ବନକର୍ମଚାରୀମାନେ ତାଙ୍କୁ ଧରି ପାଇଥିଲେ ଓ ଧୂଆଁନଳୀ ବିଟ୍‌କୁ ଫେରିଥିଲେ। ରାତିରେ ଖାଇ ସାରିବା ପରେ ବଳଭଦ୍ର ପେଟ କାଟୁଛି ବୋଲି କହିଥିଲେ। ବନକର୍ମଚାରୀ ତାଙ୍କୁ ମୋଟର ସାଇକେଲରେ ବସାଇ ନୀଳାଦ୍ରିପ୍ରସାଦ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଥିବା ଫାର୍ମାସିଷ୍ଟ୍‌ ବଳଭଦ୍ରଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯିବାକୁ କହିବାରୁ ବନକର୍ମଚାରୀମାନେ ଏକ ଗାଡ଼ି ମଗାଇ ତାଙ୍କୁ ବାଣପୁର ଆଣିଥିଲେ। ମାତ୍ର ବିଳମ୍ବିତ ରାତିରେ ବଳଭଦ୍ର ବାଣପୁର ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବଳଭଦ୍ରଙ୍କ ମୃତ୍ୟୁ ସମ୍ପର୍କରେ ବନବିଭାଗ ପକ୍ଷରୁ ପୁଲିସ ଓ ମୃତ ବଳଭଦ୍ରଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପଞ୍ଚମାନା କରିଛି। ଅପରପକ୍ଷେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ବଳଭଦ୍ରଙ୍କ ପତ୍ନୀ ପ୍ରତିମା ବେହେରାଙ୍କ ସହ ବୋଲଗାଁର ପ୍ରାୟ ଶହେ ଲୋକ ବାଣପୁର ଡାକ୍ତରଖାନାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିମା ଅଭିଯୋଗ କରିଛନ୍ତି ଯେ ବନବିଭାଗ କର୍ମଚାରୀମାନେ ପିଟି ପିଟି ତାଙ୍କୁ ସ୍ବାମୀଙ୍କୁ ମାରି ଦେଇଛନ୍ତି। ଏହାର ଉପଯୁକ୍ତ ତଦନ୍ତ ସହିତ କ୍ଷତିପୂରଣ ଦେବାକୁ ସେ ଅଡ଼ି ବସିଛନ୍ତି। ପତ୍ନୀଙ୍କ ଅଭିଯୋଗ ପରେ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଘଟଣା ସମ୍ପର୍କରେ ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାଶ କହିଛନ୍ତି ଯେ, ବଳଭଦ୍ରଙ୍କ ମୃତଦେହର ପଞ୍ଚନାମା କରାଯାଇଛି। ପଞ୍ଚନାମା ସମୟରେ ମୃତ୍ୟୁ ଘଟିଲା ପରି ବାହ୍ୟ କ୍ଷତ କିଛି ଜଣାପଡ଼ି ନାହିଁ। କେବଳ ଆଣ୍ଠୁ ଓ ହାତରେ ସାମାନ୍ୟ କ୍ଷତ ଚିହ୍ନ ରହିଛି। ଅପରପକ୍ଷେ ଆଭ୍ୟନ୍ତରୀଣ କ୍ଷତ ସମ୍ପର୍କରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର