ଭିମ୍‌ସାରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାରେ ଶନିବାର ଦିନ ଗୋଟାଏରେ ମେଡିସିନ୍‌ ବିଭାଗରେ କାର୍ଯ୍ୟରତ ଜଣେ ହାଉସ୍‌ ସର୍ଜନ ଡାକ୍ତରଙ୍କୁ ସ୍ଥାନୀୟ ଯୁବକ କିଶୋର ମିର୍ଧା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଅଭିଯୋଗ ହେବା ପରେ ବୁର୍ଲା ପୁଲିସ୍‌ ଏକ ମାମଲା ରୁଜୁ କରି କିଶୋରଙ୍କ ଚିକିତ୍ସା ପାଇଁ ମାନସିକ ରୋଗ ବିଭାଗକୁ ପଠାଇଛି। ସ୍ମରଣଯୋଗ୍ୟ, ୨ ମାସ ତଳେ କିଶୋର ଭିସୁଟରେ ପଶି କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ଆକ୍ରମଣ କରିବା ପରେ ଗିରଫ ହୋଇଥିଲା।

ଶନିବାର କିଶୋର ଭିମ୍‌ସାର ‌ମେଡିସିନ୍‌ ବିଭାଗରେ ଚିକିତ୍ସାଧୀନ ଥିବା ସମୟରେ ହଠାତ୍‌ ଜଣେ ରୋଗୀ ସମ୍ପର୍କୀୟଙ୍କୁ ମାଡ଼ ମାରିଥିଲା। ଏହାପରେ ସେ ୱାର୍ଡରେ ଥିବା ଜଣେ ହାଉସ୍‌ସର୍ଜନଙ୍କୁ ମଧ୍ୟ ମାଡ଼ ମାରି ତାଙ୍କ ଘଣ୍ଟା ଭାଙ୍ଗି ‌ଦେଇଥିଲା। ଏହି ଘଟଣାକୁ ବିରୋଧ କରି ହାଉସ୍‌ ସର୍ଜନମାନେ ଭିମ୍‌ସାର ଅଧୀକ୍ଷକ ଓ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସୂଚନା ପାଇ ବୁର୍ଲା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କିଶୋରକୁ କାବୁ କରିଥିଲା। ତେବେ କିଶୋରର ମାନସିକ ସ୍ଥିତି ଠିକ୍‌ ନଥିବାରୁ ସେ ଏଭଳି କାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର