କରୋନା ମୁକାବିଲା ଏମିତି! ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ

ବିହାରରୁ ଆସିଥିଲେ, ସ୍ବାବ୍‌ ନମୁନା ପରୀକ୍ଷା ହୋଇନଥିଲା
ପିପିଇ ପିନ୍ଧି ଅନ୍ତିମ ସଂସ୍କାର କଲେ ଡାକ୍ତରଖାନା କର୍ମଚାରୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ଠେଲକୁଲି ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ସନ୍ଦିଗ୍ଧ (୩୧ ବର୍ଷ)ଙ୍କ ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କର ସ୍ବାବ୍‌ ଟେଷ୍ଟ କରାଯାଇନଥିଲା। ହୃଦ୍‌ଘାତ କିମ୍ବା ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗର ସୂଚନା ଅନୁସାରେ ଏହି ଯୁବକଙ୍କ ଘର ବିହାରରେ। ସେ ରେଙ୍ଗାଲିରେ ପଲିଥିନ୍‌ ବ୍ୟବସାୟ କରୁଥିଲେ। ଗତ ୪ ତାରିଖରେ ନିଜ ରାଜ୍ୟରୁ ଆସି ସମ୍ବଲପୁରରେ ପହଞ୍ଚିବା ପରେ ଠେଲକୁଲି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ୫ ତାରିଖ ଅପରାହ୍ନ ୪.୩୦ ରେ ହଠାତ ବାନ୍ତି କରିବାରୁ ଡାକ୍ତର ତାଙ୍କୁ ଔଷଧ ଦେଇଥିଲେ। ରାତି ପ୍ରାୟ ୮ରୁ୯ଟା ମଧ୍ୟରେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭିମ୍‌ସାରର ଫୁସ୍‌ଫୁସ୍‌ ରୋଗ ବିଭାଗରେ ଭର୍ତ୍ତି କରାଯାଇ ଥିଲା। କିନ୍ତୁ କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ସକାଳେ ସମ୍ବଲପୁର ରାଜଘାଟରେ ବୈଦ୍ୟୁତିକ ଚୂଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଭିମସାର କର୍ମଚାରୀମାନେ ପିପିଇ ପରିଧାନ କରି ତାଙ୍କର ଅନ୍ତିମ ସଂସ୍କାର କରିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଯୁବକଙ୍କ କୌଣସି ସମ୍ପର୍କୀୟ ରାଜଘାଟରେ ଉପସ୍ଥିତ ନ ଥିଲେ। ସମ୍ବଲପୁର ପ୍ରଶାସନ ପକ୍ଷରୁ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରାଯାଇ ସେମାନଙ୍କ ସହମତିରେ ଅନ୍ତିମ ସଂସ୍କାର କରାଇଥବା ପ୍ରକାଶ। ତେବେ ଉକ୍ତ ଯୁବକଙ୍କ ମୃତ୍ୟୁ କରୋନ‌ା ଯୋଗୁଁ ହୋଇନାହିଁ ବୋଲି ସ୍ବାସ୍ଥ୍ୟ ପ୍ରଶାସନ ଓ ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର