ସେନାରେ ଚାକିରି ପ‌ାଇଁ ବନ୍ତରୁ ଶ୍ରୀକ୍ଷେତ୍ରକୁ ଦୌଡ଼ିଲେ ସୌରଭ, ୨୪ ଘଣ୍ଟ‌ାରେ ଅତିକ୍ରମ କ‌ଲେ ୨୩୦ କିମି

ପୁରୀ : ଦୃଢ଼ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ସମ୍ଭବ ହୁଏ, ଦୁର୍ଗମ ବି ସୁଗମ ହୋଇଥ‌ାଏ। ଏ କଥା ଆଜି ପ୍ରମାଣ କରି ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ବନ୍ତର ଯୁବକ ସୌରଭ ସେଠୀ। ବୟସ ମ‌ାତ୍ର ୨୨। ସୌରଭ ଭଦ୍ରକର ବନ୍ତରୁ ଦୌଡ଼ି ଦୌଡ଼ି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ମାତ୍ର ୨୪ ଘଣ୍ଟା ଭିତରେ ସେ ଏହି ପଥ ଅତିକ୍ରମ କରିଛନ୍ତି। ଅର୍ଥାତ୍‌ ୨୪ ଘଣ୍ଟା ଭିତରେ ସେ ୨୩୦ କିମି ରାସ୍ତା ଅତିକ୍ରମ କରିଛନ୍ତି। ଏତେ ବାଟ ଦୌଡ଼ିଥିଲେ ବି ସୌରଭ କ୍ଲାନ୍ତ ଅନୁଭବ କରିନାହାନ୍ତି। ବରଂ ମନରେ ଉତ୍ସାହ ନେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏଥର ତାଙ୍କର ମାନସିକ ପୂରଣ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୌରଭଙ୍କ ଏ ଦୌଡ଼ ନିଶା କେବଳ ସେନା ବାହିନୀରେ ଚାକିରି ପାଇବ‌ା ପାଇଁ ବୋଲି କହିଛନ୍ତି। ମହାପ୍ରଭୁଙ୍କୁ ସେ ତାଙ୍କର ଦୁଃଖ ଜଣାଇଛନ୍ତି। ଏଭଳି ଉତ୍ସାହ ପାଇଁ ତାଙ୍କୁ ସିଂହଦ୍ବାରରେ ସ୍ବାଗତ କରାଯାଇଛି। ମାନସିକ ପୂରଣ ଆଳରେ ସୌରଭ ଯେ ଜଣେ ଭଲ ଧାବକ, ତାଙ୍କ ପାଖରେ ‌ଯେ ଅଲିମ୍ପିକ୍‌ ପ୍ରତିଭା ଲୁଚି ରହିଛି ତାହା ମଧ୍ୟ ସେ ପ୍ରମାଣ କରିଛନ୍ତି।

ସୌରଭ ତାଙ୍କ ବାପାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଉଦ୍ୟମ ଆବ୍ୟାହତ ରଖିଛନ୍ତି। ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହେବା ପରେ ସେନା ବାହିନୀରେ ଯୋଗଦେବା ପାଇଁ ସେ ଏକାଧିକ ଥର ଆବେଦନ କରି ବିଫଳ ହୋଇଥିଲେ ମଧ୍ୟ ପ୍ରଚେଷ୍ଟାରୁ ଓହରି ନାହାନ୍ତି। ବାପାଙ୍କ ନିର୍ଦ୍ଦେଶକ୍ରମେ ସେ ପ୍ରଥମେ ନିଜର ପ୍ରଥମ ମାନସିକ ପାଇଁ ବନ୍ତରୁ ପ୍ରାୟ ୭୦ କିମି ଦୌଡ଼ି ଦୌଡ଼ି ଯାଇ ‌‌ଘଟଗାଁରେ ମା’ ତାରିଣୀଙ୍କ ଦର୍ଶନ କରିଥିଲେ।

ବନ୍ତର ଉଦୟନାଥଙ୍କ ପ‌ାଞ୍ଚ ପୁଅ। ମାତ୍ର ସମସ୍ତେ ଖାକି ପିନ୍ଧନ୍ତୁ, ପୁଲିସରେ ଚାକିରି କରନ୍ତୁ ଏ କଥା ସେ ଚ‌ାହୁଁଥିଲେ। ପାଞ୍ଚ ଭାଇଙ୍କ ମଧ୍ୟରୁ ତିନି ଜଣ ଦ୍ବିତୀୟ ପୁଅ ସନ୍ତୋଷ ଓଡ଼ିଶା ପୁଲିସ, ଚତୁର୍ଥ ପୁଅ ଅରୁଣ ସିଆଇଏସ୍‌ଫ୍, ସାନପୁଅ ସିଆର୍‌ପିଏଫ୍‌ କୋବ୍ରା କମାଣ୍ଡୋରେ ଯୋଗ ଦେଇଛନ୍ତି। ସୌରଭ ଏବେ ସେନାରେ ଯୋଗଦେବା ପାଇଁ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର