ବିକେଟି ଟାୟାର୍ସର ୬ ହଜାର କୋଟି ବ୍ୟବସାୟ ଲକ୍ଷ୍ୟ

ଭୁବନେଶ୍ବର: ବିକେଟି ବ୍ରାଣ୍ଡ୍‌ ଟାୟାର ନିର୍ମାତା ବାଲକ୍ରିଷ୍ଣା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଆସନ୍ତା ଆର୍ଥିକ ବର୍ଷ ୨୦୧୯-୨୦ରେ ପ୍ରାୟ ୬ ହଜାର କୋଟିର ବ୍ୟବସାୟ ଲକ୍ଷ୍ୟ ରଖିଛି। ୨୦୧୭-୧୮ରେ ୪୪୦୦ କୋଟି ଟଙ୍କାର ବ୍ୟବସାୟ କରିଥିବା ବିକେଟି ୨୦୧୮-୧୯ରେ ୫ ହଜାର କୋଟି ଏବଂ ୨୦୧୯-୨୦ରେ ପ୍ରାୟ ୬ ହଜାର କୋଟି ଟଙ୍କାର କାରବାର ଆଶା ରଖିଛି। ୧୫ରୁ ୨୦ ପ୍ରତିଶତ ହାରରେ ବିକେଟିର କାରବାର ଆଗକୁ ବଢ଼ୁଥିବାରୁ ଏହି ଆଶା ରହିଛି ବୋଲି କମ୍ପାନିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରାଜୀବ ପୋଦ୍ଦାର କହିଛନ୍ତି। ଅଫ୍ ରୋଡ୍ ଟାୟାର ଯଥା କୃଷି, ଖଣି ଏବଂ ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ଯାନ ପାଇଁ ଟାୟାର ନିର୍ମାଣରେ ବିକେଟି ସାରା ବିଶ୍ବରେ ଖ୍ୟାତି ହାସଲ କରିଛି। କମ୍ପାନି ଏବେ ବର୍ଷକୁ ୩ ଲକ୍ଷ ଟନ୍ ଟାୟାର ଉତ୍ପାଦନ କରୁଛି। ଏଥିରୁ ୮୫ ପ୍ରତିଶତ ବିଦେଶକୁ ରପ୍ତାନି କରୁଥିବା ବେଳେ ୧୫ ପ୍ରତିଶତ ଘରୋଇ ବଜାରରେ ବିକ୍ରି କରୁଛି। ଦେଶରେ କମ୍ପାନିର ଏବେ ୪ଟି କାରଖାନା ରହିଛି। ସେଗୁଡ଼ିକ ମଧ୍ୟରୁ ଦୁଇଟି ରାଜସ୍ଥାନର ଭିୱାଡି ଓ ଚୌପାଙ୍କିରେ ଅଛି। ଏଠାରେ କମ୍ପାନି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ବ୍ୟାପକ ବର୍ଗର ଟାୟାର ନିର୍ମାଣ କରୁଛି। ଦେଢ଼ କେଜିରୁ ଆରମ୍ଭ କରି ୨.୪ ଟନ୍ ପର୍ଯ୍ୟନ୍ତ ଟାୟାର ପ୍ରସ୍ତୁତ କରୁଛି। ବିଶ୍ବରେ କମ୍ପାନିର ବଜାର ଅଂଶ ୬ ପ୍ରତିଶତ ରହିଥିବାବେଳେ ଆସନ୍ତା ୨ ବର୍ଷ ମଧ୍ୟରେ ୧୦ ପ୍ରତିଶତ ବଜାର ଅଂଶ ହାସଲ ଲକ୍ଷ୍ୟ ରଖିଛି। ଭାରତରେ ସାମଗ୍ରୀ ନିର୍ମାଣ କରି ସାରା ବିଶ୍ବରେ ବିକ୍ରି କରିବା ଲକ୍ଷ୍ୟ କମ୍ପାନିର ରହିଥିଲେ ବି ଆଗାମୀ ଦିନରେ ଭାରତର ଟାୟାର ଆମଦାନିର ନିର୍ଭରଶୀଳତାକୁ ହ୍ରାସ କରିବାକୁ ଅଭିଳାଷ ରଖିଛି।

ସମ୍ବନ୍ଧିତ ଖବର