ଇଞ୍ଜିନ୍‌ରେ ତ୍ରୁଟି ପରିଲକ୍ଷିତ ହେବା ପରେ ଇଣ୍ଡିଗୋ ବିମାନର ଉଡ଼ାଣକୁ ବାତିଲ୍‌ କଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ଏକ ଯାତ୍ରୀବାହୀ ଇଣ୍ଡିଗୋ ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ପରେ ଇଣ୍ଡିଗୋ କର୍ତ୍ତୃପକ୍ଷ ସଂପୃକ୍ତ ବିମାନର ଉଡ଼ାଣକୁ ବାତିଲ କରି ଦେଇଛନ୍ତି। ଏଥି ସହ ବିମାନଟିର ଇଞ୍ଜିନ୍‌କୁ ପରିବର୍ତ୍ତନ କରା ନ ଯିବା ପର୍ଯ୍ୟନ୍ତ ବିମାନଟି ଉଡ଼ାଣ ଭରିବ ନାହିଁ ବୋଲି ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।

ଘଟଣାରୁ ପ୍ରକାଶ ଯେ ଗତ ୩୧ ତାରିଖରେ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୪୪୭ର ଇଞ୍ଜିନ୍‌ରୁ ହଠାତ ମଝି ଆକାଶରେ କିଛି ଅସ୍ୱାଭାବିକ ଶବ୍ଦ ଶୁଣାଯିବା ସହ ବିମାନଟି ଅସ୍ୱାଭାବିକ ଭାବରେ ଥରି ଉଠିଥିଲା। ତେବେ, କୌଣସି ପ୍ରକାର ଅଘଟଣା ଘଟିବା ପୂର୍ବରୁ ବିମାନର ପାଇଲଟ୍‌ ଆଉ ଥରେ ବିମାନଟିକୁ ଲକ୍ଷ୍ନୌ ବିମାନବନ୍ଦରକୁ ଫେରାଇ ଆଣିଥିଲେ।

ଆଜି ଇଣ୍ଡିଗୋର ଏକ ବୈଷୟିକ ଦଳ ବିମାନଟିକୁ ଯାଞ୍ଚ୍‌ କଲା ପରେ ବିମାନର ଇଞ୍ଜିନ୍‌ରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ରହିଥିବା ଦେଖିବାକୁ ପାଇଥିଲେ ଏବଂ ସଂପୃକ୍ତ ବିମାନର ଇଞ୍ଜିନ୍‌କୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। ସେହି ଇଞ୍ଜିନ୍‌ରେ ଆଉ ଉଡ଼ାଣ ନ ଭରି ନୂଆ ଇଞ୍ଜିନ୍‌ ବିମାନରେ ଲଗାଯିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଜୟପୁରରୁ ଲକ୍ଷ୍ନୌ ଆସୁଥିବା ବିମାନରେ ତ୍ରୁଟି ପରିଲଖିତ ହେବାର ପରଦିନ ହିଁ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୪୪୭ର ଇଞ୍ଜିନ୍‌ରେ ତ୍ରୁଟି ପରିଲିଖିତ ହୋଇଥିଲା।

ସମ୍ବନ୍ଧିତ ଖବର