ନ୍ୟୁପାଓ୍ଵାର କମ୍ପାନିରେ ଏମ୍‌ସିଏର ଖୋଳତାଡ଼: ଆଇସିଆଇସିଆଇ ବ୍ୟାଙ୍କ ଋଣ ବିବାଦ

ମୁମ୍ବାଇ,: ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ଏମ୍‌ଡି ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ଦ୍ୱାରା ସ୍ଥାପିତ ନ୍ୟୁପାଓ୍ଵାର ରିନେେଓ୍ଵବଲ୍ସ ଆର୍ଥିକ କାରବାରକୁ କମ୍ପାନି ବ୍ୟାପାର ମନ୍ତ୍ରାଳୟ (ଏମ୍‌ସିଏ) ଖୋଳତାଡ଼ ଆରମ୍ଭ କରିଛି। କମ୍ପାନି ଆଇନରେ କୌଣସି ଉଲ୍ଲଂଘନ କରାଯାଇଛି କି ନାହିଁ ତାହାର ଯାଞ୍ଚ କମ୍ପାନି ବ୍ୟାପାର ମନ୍ତ୍ରାଳୟ କରିବ। ୨୦୦୮ରେ କମ୍ପାନି ସ୍ଥାପନ ହେବା ଦିନଠାରୁ ଏହାର ତଦନ୍ତ ହେବ। ଏମ୍‌ସିଏର ମୁମ୍ବାଇ କାର୍ଯ୍ୟାଳୟ କମ୍ପାନିରେ ହୋଇଥିବା ନିବେଶ ସଂକ୍ରାନ୍ତ ବିସ୍ତତ ତଥ୍ୟ ମାଗିଛି। ଏଥିରେ ଭିଡିଓକନ୍‌ର ନିବେଶ ପ୍ରସଙ୍ଗ ମଧ୍ୟ ରହିଛି। ଏତଦ୍‌ବ୍ୟତୀତ ଯେଉଁ ମୂଲ୍ୟାୟନ ରିପୋର୍ଟ ଭିତ୍ତିରେ କମ୍ପାନି ବିଦେଶରୁ ନିବେଶ ହାସଲ କରିଛି ସେ ନେଇ ମଧ୍ୟ ରିପୋର୍ଟ ତଲବ କରିଛି। ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ୍‌କୁ ୨୦୧୨ରେ ପ୍ରାୟ ୩୨୦୦ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲା। ଏହାପରେ ଭିଡିଓକନ୍‌ କମ୍ପାନି ନ୍ୟୁପାଓ୍ଵାର ରିନେେଓ୍ଵବଲ୍‌ସକୁ ୬୪ କୋଟି ଟଙ୍କାର ଋଣ ଦେଇଥିବା ନେଇ ଅଭିଯୋଗ ରହିଛି। ସିବିଆଇ ଏହାର ପ୍ରାରମ୍ଭିକ ଅନୁସନ୍ଧାନ ଚଳାଇଛି। ସିବିଆଇର ଅନୁସନ୍ଧାନ ପରେ ଏବେ କମ୍ପାନି ବ୍ୟାପାର ମନ୍ତ୍ରାଳୟ ଏହାର ଖୋଳତାଡ଼ ଆରମ୍ଭ କରିଦେଇଛି।
ଏହି ତଦନ୍ତରେ ନ୍ୟୁପାଓ୍ଵାର ସମେତ ଏହାର ପ୍ରତିଷ୍ଠାତା, ପାସିଫିକ୍‌ କ୍ୟାପିଟାଲ ସର୍ଭିସେସ୍‌,ପିନାକଲ୍‌ ଟ୍ରଷ୍ଟ ଏବଂ ସୁପ୍ରିମ ଏନର୍ଜି ଆଦିକୁ ସାମିଲ କରାଯିବ। ସେହିଭଳି କାନୋଡିଆ ପରିବାରର ଡାଟାମେଟିକ୍ସ ମରିସସ୍‌ର ଏକ କମ୍ପାନି ମାଧ୍ୟମରେ ନ୍ୟୁ ପାଓ୍ଵାର ରିନେେଓ୍ଵବଲ୍‌ସରେ କରିଥିବା ନିବେଶ ମଧ୍ୟ ତଦନ୍ତ ପରିସରକୁ ଆସିବ। କାନୋଡିଆ ପରିବାର ନ୍ୟୁପାଓ୍ଵାର ରିନେେଓ୍ଵବଲ୍‌ସରେ ୨୦୧୧ ଏବଂ ୨୦୧୨ରେ ୩୨୫ କୋଟି ଟଙ୍କା ନିବଶେ କରିଥିଲେ। କିନ୍ତୁ ଦୁଇ ବର୍ଷ ପରେ ବିନା କ୍ଷତି କିମ୍ବା ଲାଭରେ ଏହି ବ୍ୟବସାୟରୁ ଓହରିଯାଇଥିଲେ। କାନୋଡିଆ ପରିବାର ମରିସସ୍‌ଭିତ୍ତିକ କମ୍ପାନି ଡିଏଚ୍‌ ରିନେେଓ୍ଵବଲ୍‌ସକୁ ସେମାନଙ୍କ ସେୟାର ବିକ୍ରି କରିଦେଇଥିଲେ।

ସମ୍ବନ୍ଧିତ ଖବର