ମାତ୍ର ୨ ଦିନରେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତି ୯୩୦୦ କୋଟି ବଢିଲା

ମୁମ୍ବାଇ : ଭାରତର ୧ନଂ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସଂପତ୍ତି ପରିମାଣ ଆହୁରି ବଢିଯାଇଛି । ମାତ୍ର ୨ ଦିନରେ ତାଙ୍କ ସଂପତ୍ତି ପରିମାଣରେ ୯୩୦୦ କୋଟି ଟଙ୍କା ଯୋଗ ହୋଇଛି । ଏହା ଫଳରେ ସେ ବିଶ୍ୱର ପ୍ରମୁଖ ଧନୀ ବ୍ୟକ୍ତିଙ୍କ ତାଲିକାର ୧୫ ତମ ସ୍ଥାନକୁ ଉଠିଯାଇଛନ୍ତି ବୋଲି ବ୍ଲୁମ୍ବର୍ଗ ବିଲିୟେନର ଇଣ୍ଡେକ୍ସରେ କୁହାଯାଇଛି । ଏ କ୍ଷେତ୍ରରେ ସେ ଓ୍ଵାଲମାର୍ଟର ଜିମ ଓ୍ଵାଲଟନ ଓ ବବ ଓ୍ଵାଲଟନଙ୍କୁ ପଛରେ ପକାଇଦେଇଛନ୍ତି । ତାଙ୍କ ଉପରେ ଅର୍ଥାତ ୧୪ ତମ ସ୍ଥାନରେ ରହିଛନ୍ତି ଆଲିବାବାର ମୁଖ୍ୟ ଜାକ୍‌ ମା । ଆମାଜନର ମୁଖ୍ୟ ଜେଫ ବେଜୋସ ବିଶ୍ୱର ୧ ନଂ ଧନୀ ହୋଇଥିବାବେଳେ ତାଙ୍କର ମୋଟ ସପତ୍ତିର ପରିମାଣ ୧୪୪.୮ ବିଲିୟନ ଡଲାର । ୨ ନମ୍ବର ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ।ତାଙ୍କର ମୋଟ ସପତ୍ତିର ପରିମାଣ ୯୨.୮ ବିଲିୟନ ଡଲାର । ବ୍ଲୁମ୍ବର୍ଗ ବିଲିୟେନର ଇଣ୍ଡେକ୍ସରେ କୁହାଯାଇଛି ଯେ ଜୁନ ୧୯ ସୁଦ୍ଧା ମୁକେଶଙ୍କ ସଂପତ୍ତିର ପରିମାଣ ମୋଟ ୨.୭୫ ଲକ୍ଷ କୋଟି ଥିଲା, ଯେବେକି ଜାକ୍‌-ମା ଙ୍କ ସଂପତ୍ତି ପରିମାଣ ଥିଲା ୩ ଲକ୍ଷ ୧୧ ହଜାର କୋଟି । ଗତ ଦୁଇଦିନ ଧରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବଢିଥିବାରୁ ମୁକେଶଙ୍କ ସଂପତ୍ତି ପରିମାଣ ବଢିଥିବା ଜଣାଯାଇଛି । ମୁକେଶର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକକ ସର୍ବାଧିକ ସେୟାରଧାରୀ । ତେବେ ମୁକେଶଙ୍କ ଏତେ ସଂପତ୍ତିକୁ ବ୍ୟବହାର କରି କଣ କରାଯାଇପାରିବ ? ମୁକେଶଙ୍କ ଏତେ ପରିମାଣ ସଂପତ୍ତିକୁ ବିନିଯୋଗ କରି ପ୍ରାୟ ୧ କୋଟି ଗ୍ରାମର ସୁନା କିଣିହେବ ଅଥବା ୫୬.୬ କୋଟି ବ୍ୟାରେଲ ତେଲ କିଣିହେବ ।

ସମ୍ବନ୍ଧିତ ଖବର