ନାଲ୍‌କୋ ୧୦ ବର୍ଷର ରେକର୍ଡ ଭାଙ୍ଗିଲା

ସର୍ବାଧିକ ଉତ୍ପାଦନ, ଆର୍ଥିକ ଲାଭ ଖଣିର ୧୦୦% କ୍ଷମତା ବ୍ୟବହାର

ଭୁବନେଶ୍ବର,: ନ୍ୟାସନାଲ୍ ଆଲୁମିନିୟମ କଂପାନି (ନାଲ୍‌କୋ) ୨୦୧୮-୧୯ ଆର୍ଥିକ ବର୍ଷରେ ଉତ୍ପାଦନ, ଉତ୍ପାଦକତା ଏବଂ ଲାଭ ଭଳି ତିନିଟି ମାନଦଣ୍ଡରେ ବିଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। କଂପାନିର ଆଲୁମିନା ରିଫାଇନାରିରେ ସର୍ବକାଳୀନ ୨୧.୫୩ ଲକ୍ଷ ଟନ୍‌ର ଆଲୁମିନା ହାଇଟ୍ରେଡ୍ ଉତ୍ପାଦନ କରାଯାଇଥିବା ବେଳେ ଏହାର ପଞ୍ଚପଟ୍ଟମାଳି ଖଣିରୁ ୭୪.୧୪ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ତୋଳନ କରାଯାଇଛି ଏବଂ ୭୨.୩୧ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନ କରାଯାଇଛି। ଏହି ଖଣି କାର୍ଯ୍ୟକ୍ଷମ ହେବା ଦିନଠାରୁ ପୂର୍ବରୁ କେବେବି ଏତେ ପରିମାଣର ବକ୍ସାଇଟ୍ ଉତ୍ପାଦନ ହୋଇନଥିଲା। କଂପାନିର ଆଲୁମିନିୟମ ସ୍ମେଲଟରରେ ୪.୪୦ ଲକ୍ଷ ଟନ୍‌ର କାଷ୍ଟ ମେଟାଲ୍ ଉତ୍ପାଦନ କରାଯାଇଛି ଯାହା ବିଗତ ୮ ବର୍ଷ ଭିତରେ ସର୍ବାଧିକ। କଂପାନି ସ୍ଥାପିତ ହେବା ଦିନ ଠାରୁ ଏପର୍ଯ୍ୟନ୍ତର ସର୍ବାଧିକ ପରିମାଣର ଓୟାର ରଡ୍, ବିଲେଟ୍‌, ଗ୍ରିନ୍ ଆନୋଡ୍‌, ରୋଡେଡ୍‌ ଆନୋଡ୍, ଟି-ଇନ୍‌ଗଟ୍‌ ଉତ୍ପାଦନ କରାଯାଇଛି। ନାଲ୍‌କୋର ସ୍ମେଲଟର୍‌ କାରଖାନାରେ ଟନ୍ ପିଛା କମ୍ ବିଦ୍ୟୁତ ଶକ୍ତି ବ୍ୟବହାର କରାଯାଇଥିବାରୁ ବର୍ଷକରେ ୫୪ କୋଟି ଟଙ୍କାର ସଞ୍ଚୟ ହୋଇଛି। ସେହିପରି ନିଜସ୍ବ ପାୱାର ପ୍ଲାଣ୍ଟ୍‌ରେ କୋଇଲା ବ୍ୟବହାର କମ୍ କରି କଂପାନି ୫୨ କୋଟି ଟଙ୍କା ସଞ୍ଚୟ କରିଛି।
୨୦୧୮-୧୯ରେ ନାଲ୍‌କୋ ୪.୪୧ ଲକ୍ଷ ଟନ୍ ଧାତୁ ବିକ୍ରି କରିଥିବା ବେଳେ ସେଥି ମଧ୍ୟରୁ ୪.୦୨ ଲକ୍ଷ ଟନ୍‌ ଧାତୁକୁ ସ୍ଥାନୀୟ ବଜାରରେ ବିକ୍ରି କରିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଭାଗର ସର୍ଭେ ଅନୁସାରେ ନାଲ୍‌କୋ ହେଉଛି ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୁଦ୍ରା ଉପାର୍ଜନ କରୁଥିବା‌ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। କଂପାନିର ପଞ୍ଜପଟ୍ଟମାଳି ବକ୍ସାଇଟ୍‌ ଖଣି କ୍ରମାଗତ ତୃତୀୟ ବର୍ଷରେ ୧୦୦% କ୍ଷମତା ଉପଯୋଗ କରିଛି। ସେହିପରି ୨୦୧୮-୧୯ରେ ମଧ୍ୟ ସାରା ଦୁନିଆରେ ସୁଲଭ ମୂଲ୍ୟରେ ଆଲୁମିନା ଏବଂ ବକ୍ସାଇଟ୍ ଉତ୍ପାଦନ କରିବାରେ ଏକ ନମ୍ବର ସ୍ଥାନରେ ରହିଛି। ଏହି ଆର୍ଥିକ ବର୍ଷରେ କଂପାନିର ନିଟ୍ ବିକ୍ରି ୧୧,୩୯୭ କୋଟି ଟଙ୍କା ହୋଇଥିବା ବେଳେ ରପ୍ତାନିରୁ ଏହା ୪୭୯୨ କୋଟି ଟଙ୍କା ଆୟ କରିଛି।

ସମ୍ବନ୍ଧିତ ଖବର