କୋଟିଏ ଟଙ୍କା ଠକେଇ, ଜଣେ ଗିରଫ

ଚନ୍ଦ୍ରଶେଖରପୁର: ରାତାରାତି କୋଟିପତି ହେବା ନିଶାରେ ଏକ ଶିକ୍ଷାନୁଷ୍ଠାନରୁ ପ୍ରାୟ କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଇନ୍‌ଫୋସିଟି ଥାନା ପୁଲିସ ଜଣେ ଠକକୁ ଗିରଫ କରିଛି। ତାଙ୍କ ନାମ ଅନନ୍ତ କୁମାର ସାମନ୍ତ। ସେ କିଟ୍‌ର ରୁରାଲ ଡେଭଲପ୍‌ମେଣ୍ଟର ଆକାଉଣ୍ଟାଣ୍ଟ ବିଭାଗରେ କାର୍ଯ୍ୟ କରୁଥିଲେ। ଅଭିଯୋଗ ଆଧାରରେ ମଙ୍ଗଳବାରଠାରୁ ପୁଲିସ ଅନନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ବିଷୟରେ ଅଧିକ ଖୋଳତାଡ଼ କରାଯିବ ବୋଲି ଇନ୍‌ଫୋସିଟି ଥାନା ଆଇଆଇସି ବିଜୟାନୀ ସିଂ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତ ଗତ ୪ ବର୍ଷ ହେଲା କିଟ୍‌ରେ ଚାକିରି କରୁଥିଲେ। ଆକାଉଣ୍ଟାଣ୍ଟ ସେକ୍ସନ୍‌ରେ ନିଯୁକ୍ତି ପାଇଥିବାରୁ ବିଭିନ୍ନ ବିଭାଗର ଉନ୍ନତି ପାଇଁ ଆସୁଥିବା ଟଙ୍କା  ତାଙ୍କ ନିକଟରେ ରହୁଥିଲା। ଏହାର ଫାଇଦା ଉଠାଇ ଅନନ୍ତ କୋଟିଏରୁ ଅଧିକ ଟଙ୍କା ଚଳୁ କରି ଦେଇଥିଲେ। ଶିକ୍ଷାନୁଷ୍ଠାନ ପକ୍ଷରୁ ଖୋଳତାଡ଼ ହେବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା। ଏନେଇ କିଟ୍‌ ପକ୍ଷରୁ ଇନ୍‌ଫୋସିଟି ଥାନାରେ ଏତଲା ଦିଆଯିବା ପରେ ଅନନ୍ତ ଫେରାର ହୋଇଯାଇଥିଲା। ପୁଲିସ ପଟିଆ ଅଞ୍ଚଳରେ ଚଢ଼ଉ କରି ଅନନ୍ତଙ୍କୁ ଧରିଥିଲା। ସେ ଚଲାଉଥିବା ଏକ ଦାମୀ କାରକୁ ମଧ୍ୟ ପୁଲିସ ଜବତ କରିଛି। ଏହି ଘଟଣାରେ ଆଉ କେତେଜଣ ସାମିଲ ଥିବା ପୁଲିସ ସନ୍ଦେହ କରିଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର