୨ ବାଇକ୍ ଲୁଟେରା ଗିରଫ, ୬ ବାଇକ୍ ଜବତ

ଖଣ୍ଡଗିରି: ଶନିବାର ଯାଁଳା ଫାଣ୍ଡି ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଜଣ କୁଖ୍ୟାତ ବାଇକ୍ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ଯାଁଳାର ଘନିଆ ସ୍ୱାଇଁ ଓ ମୁଣ୍ଡମୁହାଁଣର କାଳିଆ ପ୍ରଧାନ। ପୁଲିସ ସେମାନଙ୍କଠାରୁ ୬ଟି ଚୋରା ବାଇକ ଜବତ କରିଛି। ଏହି ଦୁଇ ଜଣ ଏକ ଲୁଟେରା ଗ୍ୟାଙ୍ଗ୍‌ର ସଦସ୍ୟ ଓ ଏମାନେ ୧୬ ନମ୍ବର ଜାତୀୟ ରାଜପଥରେ ଛିନ୍‌ତାଇ ଓ ରାହାଜାନୀ କରୁଥିବା ପୁଲିସ ସୂଚନା ଦେଇଛି। ଗତ କିଛି ଦିନ ଧରି ଗଙ୍ଗପଡ଼ାରୁ ତମାଣ୍ଡୋ ମଧ୍ୟରେ ଜାତୀୟ ରାଜପଥରେ ଘଟିଥିବା କେତୋଟି ଛିନ୍‌ତାଇ ଘଟଣାରେ ଏମାନଙ୍କ ସମ୍ପୃକ୍ତିି ଥିବା ବୋଲି ପୁଲିସ ସୂଚନା ଦେଇଛି। ଯାଁଳା ଗାଁରେ ହେଉଥିବା ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ମନୋଜ ପରିଡ଼ା ନାମକ ଜଣେ ସ୍ଥାନୀୟ ଯୁବକ ଯାଇଥିଲେ। ସେ ତାଙ୍କ ବାଇକ୍‌କୁ ଫାଟକ ନିକଟରେ ରଖି ଭିତରକୁ ଯାଇଥିଲେ। କିନ୍ତୁ ଭୋଜି ଖାଇ ବାହାରକୁ ଆସିବାବେଳେ ତାଙ୍କ ବାଇକ୍‌ଟି ନଥିବା ଦେଖିଥିଲେ। ବହୁ ଖୋଜାଖୋଜି ଓ ପଚରାଉଚରା ପରେ ଘନିଆ ଉପରେ ସନ୍ଦେହ ହୋଇଥିଲା। ତେଣୁ ଗାଁର ପ୍ରାୟ ୨୦ ଜଣ ଯୁବକ ଘନିଆକୁ ଖୋଜିଥିଲେ। ରାତି ୨ଟା ସମୟରେ ଘନିଆ ଆଉ ଗୋଟିଏ ବାଇକ୍ ଧରି ଘରକୁ ଫେରୁଥିବାବେଳେ ଗାଁ ଯୁବକମାନଙ୍କ ହାବୁଡ଼ରେ ପଡ଼ିଥିଲା। ଯୁବକମାନେ ତାକୁ ଘେରି ଯିବା ପରେ ମାଡ଼ ଭୟରେ ସେ ସତ ମାନି ଯାଇଥିଲା ଓ ବାଇକ୍‌କୁ ମୁଣ୍ଡମୁହାଁଣ ଗାଁର କାଳିଆ ପ୍ରଧାନ ଘରେ ରଖିଛି ବୋଲି କହିଥିଲା। ଯାଁଳା ଫାଣ୍ଡି ପୁଲିସ ରାତାରାତି କାଳିଆ ଘରେ ଚଢ଼ଉ କରିବାରୁ ସେଠାରୁ ୬ଟି ଚୋରା ବାଇକ୍ ମିଳିଥିଲା। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ବାଇକ୍ ଚୋରି ବଢ଼ିଯାଇଥିଲା। ଜବତ ବାଇକ୍ ମଧ୍ୟରେ ୩ଟି ବାଇକ୍ ସ୍ଥାନୀୟ ଅଞ୍ଚଳରୁ ଚୋରି ହୋଇଥିବା ଜଣାପଡ଼ିଛି। ସେହିପରି ବଢ଼ୁଥିବା ବ୍ରାଉନ୍ ସୁଗାର ବେପାର ସହ ଏହି ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରିଛି।

ସମ୍ବନ୍ଧିତ ଖବର