୬ କୁଖ୍ୟାତ ହାଇେଓ୍ଵ ଲୁଟେରା ଗିରଫ : ଖସିଗଲା କିଙ୍ଗ୍‌ପିନ୍‌ ସେରୁ, କାର୍‌, ବାଇକ୍‌, ପିକ୍‌-ଅପ୍‌ ଭ୍ୟାନ୍‌, ମାରଣାସ୍ତ୍ର ଜବତ

ଖଣ୍ଡଗିରି/ଜଟଣୀ : ଗୁରୁବାର ବିଳମ୍ବିତ ରାତିରେ ଜଟଣୀ ଥାନା ଓ ଯାଁଳା ଫାଣ୍ଡି ପୁଲିସ ୧୬ ନମ୍ବର ଜାତୀୟ ରାଜପଥରୁ ଏକ ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିଛି। ଗିରଫ ଡକାୟତମାନେ ହେଲେ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ନରସିଂହପୁରର ବୁଲୁ ଖାଁ(୨୦), ସେହି ଥାନା ଘୋରଡ଼ିଆ ସଉରିଆର ପ୍ରକାଶ ଚନ୍ଦ୍ର ସିଂହ(୨୪), ପିପିଲି ଥାନା ନରସିଂହପୁର କଂସେଇସାହିର ଅନ୍‌ସର ଖାଁ(୨୧), ପିପିଲିର ଗୁଲାମ୍‌ ଖାଁ(୨୩), ଜଟଣୀ ଥାନା ବେଣାପଞ୍ଜରୀର ସାବିତ୍‌ ଖାଁ ଓରଫ୍‌ ବଣ୍ଟି (୨୦) ଓ ଖୋର୍ଧା ମୁକୁନ୍ଦପ୍ରସାଦର ଅବଦୁଲ୍‌ ମନ୍‌ସୁର (୨୧)। ସେମାନଙ୍କଠାରୁ ଏକ ଇଣ୍ଡିଗୋ ଭିଷ୍ଟା କାର ୍‌(ଓଆର୍‌୦୨ବିଏଲ୍‌-୦୧୦୫), ଏକ ପିକ୍‌-ଅପ୍‌ ଭ୍ୟାନ୍‌ (ଓଆର୍‌୦୫ଏ-୬୪୩୬), ଏକ ଚୋରା ଗ୍ଲାମର ବାଇକ୍‌ (ଓଡି୩୩-୧୨୨୩) ଜବତ କରାଯାଇଛି। ସେହିଭଳି ସେମାନଙ୍କଠାରୁ ୨ଟି ଖଣ୍ଡା, ଲୁହା ରଡ୍‌, ଚାବି ଭଙ୍ଗା ଯନ୍ତ୍ର ଆଦି ଚୋରି ପାଇଁ ବ୍ୟବହୃତ ହେଉଥିବା ଉପରକଣ ଜବତ କରାଯାଇଛି। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତେବେ ପୁଲିସ ଚଢ଼ଉ ବେଳେ ଏହି ଗ୍ୟାଙ୍ଗ୍‌ର କିଙ୍ଗ୍‌ପିନ୍‌ ସେରୁ ଓରଫ୍‌ ସିରାଜ୍‌ଉଦ୍ଦିନ୍‌ ସହ ଆଉ ଦୁଇ ଡକାୟତ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି।

କେମିତି ଧରାପଡ଼ିଲେ

ଗତ ବିଳମ୍ବିତ ରାତିରେ ୧୬ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକସ୍ଥିତ ବିଡିଏର ପରିତ୍ୟକ୍ତ ଟ୍ରକ୍‌ ଟର୍ମିନାଲ୍‌ରେ ଏକ ଡକାୟତ ଦଳ ଡେରା ପକାଇଥିବା ଖବର ମିଳିଥିଲା। ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ଏହି ୯ ଜଣିଆ ଗ୍ୟାଙ୍ଗ୍‌ ଏକ ବଡ଼ଧରଣର ଅପରେସନ୍‌ କରିବାକୁ ଯୋଜନା କରି ସେଠାରେ ଏକାଠି ହୋଇଥିଲେ। ଖବର ପାଇ ଜଟଣୀ ଥାନା ଏସ୍‌ଆଇ ରବୀନ୍ଦ୍ର ପଣ୍ଡା ଓ ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ୍‌ ଦୁଇଟି ପିସିଆର୍‌ ଭ୍ୟାନ୍‌ ସହ ଉକ୍ତ ଟ୍ରକ୍‌ ଟର୍ମିନାଲ ନିକଟରେ ପହଞ୍ଚିଥିଲା। ପୁଲିସ କର୍ମଚାରୀମାନେ ବଡ଼ ସାବଧାନତା ସହ ଡକାୟତମାନଙ୍କୁ ଚାରିପଟୁ ଘେରିଯାଇ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ପୁଲିସ ଅତର୍କିତ ଚଢ଼ଉ କରିଥିଲେ ବି ସେମାନେ ଖସି ପଳାଇବାକୁ ଚେଷ୍ଟା କରିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହି ମଉକାରେ ଗ୍ୟାଙ୍ଗ୍‌ ଲିଡର୍‌ ସେରୁ ଓ ତା’ର ସୁଇ ସହଯୋଗୀ ଟର୍ମିନାଲ ପାଚେରି ଡେଇଁ କାଜୁ ଫାର୍ମ ଭିତରେ ଅନ୍ଧାରରେ ଖସି ପଳାଇଥିଲେ। କିନ୍ତୁ ଅନ୍ୟମାନଙ୍କୁ ପୁଲିସ କାବୁ କରି ନେଇଥିଲା।

ମୁଖ୍ୟ ଆଡ଼ା ହାଇେଓ୍ଵ

ପୁଲିସ ସୂଚନାନୁସାରେ ଏହା ଏକ ଅନ୍ତଃଜିଲ୍ଲା ଡକାୟତ ଦଳ। ପୁରୀ, ପିପିଲି, ଡେଲାଙ୍ଗ, ଖୋର୍ଧା ଆଦି ଥାନା ଅଞ୍ଚଳ ସହ ୧୬ ନମ୍ବର ଜାତୀୟ ରାଜପଥ ହେଉଛି ଏମାନଙ୍କ ଚରାଭୂଇଁ। ଏହି ଗ୍ୟାଙ୍ଗ୍‌ ଗାଈ, ବଳଦ ଚୋରି କରିବାଠାରୁ ଆରମ୍ଭ କରି ରାହାଜାନି, ଛିନ୍‌ତାଇ ଭଳି ଲୁଟ୍‌ପାଟ କରିବାରେ ପାରଙ୍ଗମ। ଜବତ ବାଇକ୍‌ଟି ଜଟଣୀ ଗଜପତି ନଗରରୁ ଚୋରି କରିଥିବା ବେଳେ ଗତ ଦୁଇ ଦିନ ତଳେ ବେଣାପଞ୍ଜରୀରୁ ଗାଈ ଚୋରି କରିଥିବା ସେମାନେ ସ୍ୱୀକାର କରିଛନ୍ତି। ସେହିଭଳି ଜଟଣୀ, ଖୋର୍ଧା, ଯାଁଳା ଆଦି ଅଞ୍ଚଳର ବିଭିନ୍ନ ବଜାରରେ ଦୋକାନ ଭାଙ୍ଗି ଲୁଟ୍‌ପାଟ୍‌ କରୁଥିବା ନେଇ ମଧ୍ୟ ସେମାନେ ମାନି ଯାଇଛନ୍ତି।

ସମ୍ବନ୍ଧିତ ଖବର