ନକଲି କାଗଜପତ୍ର ବଳରେ ଋଣ : ଆଉ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ନିଜକୁ ଶିକ୍ଷକ ଦର୍ଶାଇ ନକଲି କାଗଜପତ୍ର ବଳରେ ଲକ୍ଷାଧିକ ଟଙ୍କା ଋଣ ନେବା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) ଆଜି ଆଉ ଜଣକୁ ଗିରଫ କରିଛି। ସେ ହେଉଛନ୍ତି କଟକ ଜିଳ୍ଲା ବାରଙ୍ଗ ଥାନା ଅଧୀନ ନରାଜ ଗ୍ରାମର ସହଦେବ ସାହୁ। ଆଜି ସକାଳେ ସେ ଘରେ ଥିବା ଖବର ପାଇ କ୍ରାଇମ୍‌ବ୍ରାଞ୍ଚର ଅଧିକାରୀମାନେ ଘରେ ପହଞ୍ଚି ତାଙ୍କୁ ଗିରଫ କରିଛନ୍ତି। ୨୦୧୧ ମସିହାରୁ ସହଦେବଙ୍କ ନାମରେ ମାମଲା ଥିବା ବେଳେ ତଦନ୍ତ ଚାଲିଥିଲା। ଏହି ଅଭିଯୋଗ ସପକ୍ଷରେ ପ୍ରମାଣ ଯୋଗାଡ଼ କରାଯିବା ପରେ ତାଙ୍କୁ ଗିରଫ କରାଯାଇ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ଏସ୍‌ବିଆଇର ମାଲଗୋଦାମ ଶାଖା ପରିଚାଳକ ସୁରେଶ ପରିଜାଙ୍କ ଅଭିଯୋଗ କ୍ରମେକ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଚାଲିଛି। ଗତ ୨୦୦୬ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ କଟକ ମାଲଗୋଦାମ୍‌ ଏସ୍‌ବିଆଇ ଶାଖାରୁ ୩୯ ଜଣ ୬୭ ଲକ୍ଷ ୮ ହଜାର ୪୫୬ଟଙ୍କା ଋଣ(ସୁବିଧା ଲୋନ୍‌) ନେଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ଗିରଫ ହୋଇଥିବା ଅଭିଯୁକ୍ତ ସହଦେବ ୧ଲକ୍ଷ ୪୭ ହଜାର ୩୫୩ ଟଙ୍କା ଋଣ ନେଇଥିଲେ। ଏମାନେ କଟକ ନୂଆପଡ଼ାର ଏକ ସ୍ୱତନ୍ତ୍ର ସ୍କୁଲର ଶିକ୍ଷକ ବୋଲି ନିଜ ନିଜର ପରିଚୟ ଦେଇଥିଲେ। ଏ ବାବଦରେ ସେମାନେ କାଗଜପତ୍ର ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। କିନ୍ତୁ ପରବର୍ତୀ ସମୟରେ ଏମାନେ ଋଣ ଶୁଝି ନ ଥିଲେ। ଖୋଳତାଡ଼ ହେବା ପରେ ଏମାନେ ଦେଇଥିବା ଠିକଣାରେ ଏଭଳି କୌଣସି ସ୍କୁଲ ନ ଥିଲା କିମ୍ବା ଏମାନେ ଶିକ୍ଷକ ନଥିବା ଜଣାପଡ଼ିଥିଲା। ଯେଉଁ କାଗଜପତ୍ର ଦାଖଲ କରିଥିଲେ ସେଗୁଡ଼ିକ ମଧ୍ୟ ନକଲି ଥିଲା। ଏଣୁ ଶାଖା ପରିଚାଳକ ସୁରେଶ କୁମାର ପରିଜା ଏ ନେଇ କ୍ରାଇମ୍‌ବ୍ରାଞ୍ଚର ଅପରାଧିକ ଶାଖାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ତଦନ୍ତ ଚାଲିଥିଲା। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚର ତିନିଜଣ ବ୍ୟାଙ୍କ କର୍ମଚାରୀ ମନୀନ୍ଦ୍ର ମୋହନ କର, ସୁରେନ୍ଦ୍ର ଧଳ ଓ ପୁରନ୍ଦର କବିଙ୍କ ସମେତ ୩୦ ଜଣଙ୍କୁ ଗିରଫ କରି ସାରିଛି। ଆଜି ୩୧ ନମ୍ବର ଅଭିଯୁକ୍ତ ଭାବରେ ସହଦେବ ଗିରଫ ହୋଇଥିବା ବେଳେ ଆଗକୁ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଗିରଫ ହେବେ ବୋଲି କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି। ନିକଟ ଅତୀତରେ ଅର୍ଥାତ୍‌ ଚଳିତମାସ ୧୩ ତାରିଖରେ ସୌମ୍ୟରଞ୍ଜନ ନନ୍ଦ ଓ ୨୧ ତାରିଖରେ ସୂର୍ଯ୍ୟକାନ୍ତ ଦାଶ ଏହି ମାମଲାରେ ଗିରଫ ହୋଇଥିଲେ। ଦୀର୍ଘ ଦିନ ହେବ ଏହି ମାମଲାରେ ଶିଥିଳତା ଆସିଥିବା ବେଳେ ଗୋଟିଏ ମାସରେ ୩ ଜଣଙ୍କୁ ଗିରାଫ କରି କ୍ରାଇମ୍‌ବ୍ରାଞ୍ଚଏହି ମାମଲାକୁ ଚର୍ଚାକୁ ଆଣିଛି। ଏହି ମାମଲା ଆଉ ୮ ଜଣ ଅଭିଯୁକ୍ତ ରହିଛନ୍ତି। ଯେଉଁମାନେ ଏବେ ବି ଫେରାର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର