ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଓ ପିଇଓ

ସାକ୍ଷୀଗୋପାଳ/ଢେଙ୍କାନାଳ/ଡୁବୁରି : ସାକ୍ଷୀଗୋପାଳସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ସାହୁ ଆଜି ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସମାଧାନ ସେବା ସମିତି ପକ୍ଷରୁ ସତ୍ୟବାଦୀ ବ୍ଲକ୍‌ର ବଳରାମପୁରଗଡ଼ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନାରେ ୧୨ଟି ପାଇଖାନା ନିର୍ମିତ ହୋଇଥିଲା। ଏହି ପାଇଖାନାର ବିଲ୍‌ କରିବା ପାଇଁ ଯନ୍ତ୍ରୀ ଶ୍ରୀ ସାହୁ ସମିତିର ସଂପାଦକ ସୁରେଶ କୁମାର ତ୍ରିପାଠୀଙ୍କୁ ୬୧୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀ ତ୍ରିପାଠୀ ପୁରୀ ଭିଜିଲାନ୍‌ସ ବିଭାଗକୁ ଏ ବିଷୟରେ ଅବଗତ କରାଇଥିଲେ। ଯୋଜନା ମୁତାବକ ସମିତି ସଂପାଦକ ଶ୍ରୀ ତ୍ରିପାଠୀ କାର୍ଯ୍ୟାଳୟ ପରିସରରେ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ଆଜି ରାସାୟନିକ ପ୍ରଲେପ ଦିଆଯାଇଥିବା ୬୧୦୦ ଟଙ୍କା ପ୍ରଦାନ କରିଥିଲେ। ପୂର୍ବରୁ ଜଗି ରହିଥିବା ଭୁବନେଶ୍ୱର ଓ ପୁରୀ କାର୍ଯ୍ୟାଳୟର ଭିଜିଲାନ୍‌ସ ବିଭାଗ ଅଧିକାରୀମାନେ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ କାବୁ କରିନେଇଥିଲେ। ପରେ ତାଙ୍କୁ ଗିରଫ କରି ଭୁବନେଶ୍ୱର ନିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଶ୍ରୀ ସାହୁଙ୍କ ଢେଙ୍କାନାଳ ହାଉସିଂ ବୋର୍ଡସ୍ଥିତ ପୈତୃକ ଘରେ ମଧ୍ୟ ଆଜି ଭିଜିଲାନ୍‌ସ ଚଢ଼ାଉ କରିଛି। ହିସାବକିତାବରୁ ସମୁଦାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ଜଣାପଡ଼ିଛି।

ସେହିପରି ଦାନଗଦି ବ୍ଲକ୍‌ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ବିଭୁପ୍ରସାଦ ଧୀର ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍‌ ହାତରେ ଧରାପଡ଼ିଛନ୍ତି। ଏକ ରାସ୍ତା ବିଲ୍‌ କରିବା ପାଇଁ ବିଭୁପ୍ରସାଦ ଲାଞ୍ଚ ନେଉଥିବା ଅଭିଯୋଗରୁ ଜଣାପଡ଼ିଛି। ଘଟଣା ଅନୁଯାୟୀ ଚାନ୍ଦିଆ ପଞ୍ଚାୟତ ଅଙ୍କୁରାପାଳ ଗ୍ରାମର ଠିକାଦାର ମାଧୁରୀ ଆଙ୍ଗରାଇଙ୍କର ଏକ ରାସ୍ତା କାମର ବିଲ୍‌ କରିବା ପାଇଁ ନିର୍ବାହୀ ଅଧିକାରୀ ଶ୍ରୀ ଧୀର ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଠିକାଦାର ଏ ନେଇ କଟକ ଭିଜିଲାନ୍‌ସ କାଯ୍ୟର୍ାଳୟରେ ଜଣାଇଥିଲେ। ଠିକାଦାର ଆଜି ଡୁବୁରି ଛକ ସ୍ଥିତ ଆଇଡିବିଆଇ ବ୍ୟାଙ୍କ୍‌ ସମ୍ମୁଖରେ ନିର୍ବାହୀ ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଦେଇଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍‌ସ ଅଧିକାରୀମାନେ ଲାଞ୍ଚ ଟଙ୍କା ସହ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର