ଚନ୍ଦକାରେ ଚାଞ୍ଚଲ୍ୟ: ଯୁବକଙ୍କୁ ଚାପଡ଼ ଚୋଟ

ଖଣ୍ଡଗିରି/ବାରଙ୍ଗ: ପୂର୍ବ ଶତୃତାକୁ କେନ୍ଦ୍ର କରି ଶୁକ୍ରବାର ଚନ୍ଦକା ଥାନା ଶିମିଳିପାଟଣା ଗାଁରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଗୁରୁତର ହୋଇଥିବା ଯୁବକ ହେଲେ କୁଶ ପାଇକରାୟଙ୍କ ପୁଅ ଭବାନୀ ଶଙ୍କର(୨୬)। ଆକ୍ରମଣକାରୀମାନେ ତାଙ୍କୁ ଚାପଡ଼ ଭଳି ମାରଣାସ୍ତ୍ରରେ ପ୍ରାୟ ୯ ଚୋଟ ମାରିଛନ୍ତି। ତାଙ୍କ ମୁଣ୍ଡ, ହାତ, ଗୋଡ଼ ଆଦି ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏବେ ବି ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସଂଜ୍ଞାହୀନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ବି ସେମାନଙ୍କ ପତ୍ତା ମିଳିନାହିଁ। ଚନ୍ଦକା ଥାନାରେ କରାଯାଇଥିବା ଅଭିଯୋଗ ଅନୁସାରେ ଭବାନୀ ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଗାଁ ନିକଟ ନାଳନ୍ଦା ଇଂଜିନିୟରିଂ କଲେଜ ଛକରେ ତାଙ୍କ ଟ୍ରକ୍‌କୁ ଅପେକ୍ଷା କରି ବସିଥିଲେ। ଏତିକିବେଳେ ସେହି ଗାଁର ଦୁଇ ଯୁବକ ନିରଂଜନ ଶ୍ରୀଚନ୍ଦନ ଓ ପବିତ୍ର ରଣସିଂହ ଏକ ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ଭବାନୀ କିଛି ବୁଝିବା ପୂର୍ବରୁ ସେମାନେ ବାଇକ୍‌ରୁ ଓହ୍ଲାଇ ହଠାତ୍‌ ତାଙ୍କୁ ଆକ୍ରମଣ କରିଥିଲେ। ଦୁଇ ଜଣଯାକ ଚାପଡ଼ ଭଳି ମାରଣାସ୍ତ୍ରରେ ସଜ୍ଜିତ ହୋଇଥିଲେ ଓ ଦୁଇଜଣଯାକ ଭବାନୀଙ୍କୁ ଚୋଟ ପରେ ଚୋଟ ପକାଇ ଚାଲିଥିଲେ। ଭବାନୀ ବହୁ ଚେଷ୍ଟା କରି ଚାପଡ଼କୁ ରୋକିବାକୁ ଉଦ୍ୟମ କରିଥିଲେ। ଫଳରେ ତାଙ୍କ ବାମ ହାତରେ ୨/୪ ଚୋଟ ବାଜିଥିଲା। ଦୁଇଟି ଚୋଟ ତାଙ୍କ ମୁଣ୍ଡରେ ବାଜିବା ପରେ ସେ ରାସ୍ତା କଡ଼ ବିଲ ଭିତରକୁ ଟଳି ପଡ଼ିଥିଲେ। ତଥାପି ନିରଂଜନ ଓ ପବିତ୍ରଙ୍କ ରାଗ ଥମି ନଥିଲା। ତଳେ ପଡ଼ିଥିବା ଅବସ୍ଥାରେ ସେମାନେ ଭବାନୀଙ୍କ ଗୋଡ଼କୁ ହାଣି ପକାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭବାନୀ ଛଟପଟ ହେଉଥିବାବେଳେ ସେ ମରିଯିବା ନିଶ୍ଚିତ ଭାବି ସେମାନେ ଘଟଣାସ୍ଥଳରୁ ପଳାଇଥିଲେ। କିଛି ଦୂରରେ ଲୋକେ ଏଭଳି ବୀଭତ୍ସ ଦୃଶ୍ୟ ଦେଖୁଥିଲେ ବି ରକ୍ତମୁଖା ହୋଇଥିବା ନିରଂଜନ ଓ ପବିତ୍ରଙ୍କ ପାଖକୁ ଆସିବାକୁ କେହି ସାହସ କରି ନଥିଲେ। ସେମାନେ ଫେରାର୍‌ ହୋଇଯିବା ପରେ ଗାଁ ଲୋକେ ଭବାନୀଙ୍କୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି। ତାଙ୍କ ମୁଣ୍ଡରେ ବାଜିଥିବା ଚୋଟ ଯୋଗୁଁ ଭିତରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିଛି। ଖବର ପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳ ଓ ହସ୍ପିଟାଲକୁ ଯାଇ ଛାନ୍‌ଭିନ୍‌ ଚଳାଇଥିଲା।

ପୂର୍ବ ଶତ୍ରୁତାରୁ ପ୍ରାଣାନ୍ତକ ଆକ୍ରମଣ

ଭବାନୀଙ୍କୁ ହୋଇଥିବା ଆକ୍ରମଣକୁ ନେଇ ନାନା କଥା ଚର୍ଚା ହେଉଛି। ପୂର୍ବରୁ ନିରଂଜନ ଓ ଭବାନୀ ସାଙ୍ଗ ଥିଲେ ବି ପରେ ବିଭିନ୍ନ କାରଣରୁ ସେମାନଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା। ଗାଁରେ ଥିବା ଗୋଷ୍ଠୀ ବିବାଦରେ ଭବାନୀ ଓ ନିରଂଜନ ଦୁଇ ବିପକ୍ଷ ଦଳରେ ଥିଲେ। ଠିକାଦାରୀ କାମରୁ ଗାଁ କମିଟିକୁ ଟଙ୍କା ମିଳିବା ବିବାଦ ଓ ଏକ ବରଯାତ୍ରୀରେ ପିଟାପିଟି ହେବା ଆଦି କାରଣରୁ ଭବାନୀ ଓ ନିରଂଜନ ମଧ୍ୟରେ ତିକ୍ତତା ବଢ଼ି ଯାଇଥିଲା। ଗାଁ ଲୋକଙ୍କ କହିବା କଥା ସେମାନଙ୍କ ଭିତରେ ଶତ୍ରୁତା ଥିଲେ ବି ଏଭଳି ଭୟାନକ ବିବାଦ ନଥିଲା। ତେଣୁ ଭବାନୀଙ୍କୁ ଜୀବନରେ ମାରିଦେବା ଭଳି ଆକ୍ରମଣ ହୋଇଥିବାରୁ ଗ୍ରାମବାସୀମାନେ ବିସ୍ମୟ ପ୍ରକାଶ କରିଛନ୍ତି। ସାମାନ୍ୟ କଥାରୁ ହତ୍ୟା ଉଦ୍ୟମ ହୋଇଥିବାରୁ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସମ୍ବନ୍ଧିତ ଖବର