ମହିଳାଙ୍କୁ ଆକ୍ରମଣ ଦମ୍ପତି ଗିରଫ, ଭୁଜାଲି ଜବତ

ଭୁବନେଶ୍ୱର: ମହିଳାଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଦମ୍ପତିଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ଭୁଜାଲି ଜବତ କରିଛି। ସେମାନେ ହେଲେ ସହିଦନଗର ତେଲୁଗୁବସ୍ତି ଅଞ୍ଚଳର ସୁବାସ ବେହେରା(୪୫) ଓ ପତ୍ନୀ ସବିତା ବେହେରା(୪୦)। ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ସଞ୍ଜୁଲତା ଦାସଙ୍କ ପରିବାର ଓ ସୁବାସଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ୧୪ ତାରିଖ ରାତି ପ୍ରାୟ ୧୦ଟା ସମୟରେ ସଞ୍ଜୁଲତା କାମସାରି ଘରକୁ ଫେରୁଥିବା ବେଳେ ସୁବାସ ନିଶାସକ୍ତ ଅବସ୍ଥାର ଆସି ତାଙ୍କୁ ଗାଳିଗୁଲଜ କରିଥିଲା। ସଞ୍ଜୁଲତାଙ୍କୁ ଗାଳିଗୁଲଜ କରୁଥିବା ଦେଖି ତାଙ୍କ ସ୍ୱାମୀ ପ୍ରତିବାଦ କରିଥିଲେ। ଫଳରେ ଉଭୟ ପରିବାର ମଧ୍ୟରେ କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ସୁବାସ ଉତ୍ତ୍ୟକ୍ତ ହୋଇ ଘରୁ ଏକ ଭୁଜାଲି ଆଣି ସଞ୍ଜୁଲତାଙ୍କୁ ଆକ୍ରମଣ କରିଥିଲା। ଏହାପରେ ସବିତା ଓ ତାଙ୍କର କେତେକ ସହଯୋଗୀ ମିଶି ସଞ୍ଜୁଲତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ସଞ୍ଜୁଲତା ଓ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିଲେ। ଏନେଇ ସଞ୍ଜୁଲତା ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟ ସୁବାସ ଓ ସବିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର