ଚତୁର୍ଥ ଥର ମା’ହେବାରୁ ଲୋକଲଜ୍ଜାକୁ ଡ଼ରି ନବଜାତ ଶିଶୁକୁ ଚର୍ଚ୍ଚ ବାହାରେ ଛାଡ଼ିଲେ ଦମ୍ପତି, ସିସିଟିଭିରେ କଏଦ ହେଲା ପୂରା ଘଟଣା

କୋଚି : କେରଳରେ ଜଣେ ଦମ୍ପତି ନିଜ ୫ଦିନର ଶିଶୁ ପୁତ୍ରକୁ ଚର୍ଚ୍ଚ ବାହାରେ ଛାଡ଼ିବା ଘଟଣା ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଏହା ସହ ଏପରି କରିବା ପଛର କାରଣ ଜାଣିବା ପରେ ଲୋକମାନେ ଅଭିଯୁକ୍ତ ମାତା-ପିତାଙ୍କୁ ନିନ୍ଦା କରିବା ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ ନବଜାତ ଶିଶୁକୁ ଚର୍ଚ୍ଚ ବାହାରେ ରଖିବାର ଦୃଶ୍ୟ ପାଖରେ ଥିବା ଏକ ସିସିଟିଭିରେ କଏଦ ହୋଇଥିବାରୁ ତାହାକୁ ଆଧାର କରି ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ତ୍ରିଚୁରରୁ ଗିରଫ କରିଥିବା ଜଣା ପଡ଼ିଛି । ଅଭିଯୁକ୍ତ ଦମ୍ପତି ବିଟୁ ଏବଂ ପ୍ରତିଭା ବୋଲି ଚିହ୍ନଟ କରାଯାଇଛି । ଗିରଫ ହେବା ପରେ ଦମ୍ପତି ଏପରି କରିବା ପଛର କାରଣ ପୁଲିସକୁ ଜଣାଇଥିଲେ । ଏହା ତାଙ୍କର ଚତୁର୍ଥ ସନ୍ତାନ ହୋଇଥିବାରୁ ଲୋକଲଜ୍ଜାକୁ ଡ଼ରି ସେମାନେ ଏପରି କରିଥିବା କହିଛନ୍ତି । ଚତୁର୍ଥ ଥର ପାଇଁ ମା’ ହେବାକୁ ଯାଉଥିବାରୁ ଆମ ପଡ଼ୋଶୀ ମୋ ସ୍ତ୍ରୀକୁ ଥଟ୍ଟା କରୁଥିଲେ ।

siliguritimes.com

ଯାହାକୁ ସହି ନ ପାରି ଆମେ ଦୁଇ ଜଣ ଏହି ନିଷ୍ପତ୍ତି ନେଇଥିଲୁ । ସୂଚନା ମୁତାବକ ,ଲୋକଲଜ୍ଜାକୁ ଡ଼ରି ବିଟୁ ନିଜ ନବଜାତ ଶିଶୁକୁ ନେଇ ସେଣ୍ଟ ଜର୍ଜ ଫୋରେନ ଚର୍ଚ୍ଚରେ ପହଞ୍ଚିଥିଲେ । ଆଖ ପାଖରେ କେହି ନଥିବାରୁ ବିଟୁ ଶିଶୁକୁ ଚର୍ଚ୍ଚ ବାହାରେ ତଳେ ଶୁଆଇ ଚାଲି ଆସିଥିଲେ । କିଛି ସମୟ ପରେ ଶିଶୁଟିକୁ ଚର୍ଚ୍ଚର ଜଗୁଆଳିମାନେ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ସହ ସିସିଟିଭି ଜାଞ୍ଚ କରି ଅଭିଯୁକ୍ତ ଦମ୍ପତିକୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର