ନକଲି କାଗଜରେ ଋଣ: ଆଉଜଣଙ୍କୁ ଧରିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ନିଜକୁ ଶିକ୍ଷକ ଦର୍ଶାଇ ନକଲି କାଗଜପତ୍ର ବଳରେ ଲକ୍ଷାଧିକ ଟଙ୍କା ଋଣ ନେଇଥିବା ଜଗତସିଂହପୁରର ସୌମ୍ୟରଞ୍ଜନ ନନ୍ଦଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ଗିରଫ କରିଛି। ୨୦୧୧ ମସିହାରୁ ଫେରାର ଥିବା ସୌମ୍ୟରଞ୍ଜନ ଚୌଦ୍ୱାର ଚାରବାଟିଆ ଏଲଟି କଲୋନି କ୍ୱାର୍ଟର୍ସରେ ଥିବା ଖବର ପାଇ ଅଧିକାରୀମାନେ ଚଢ଼ଉ କରି ଗିରଫ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ କଟକ ଏସ୍‌ଡିଜେଏମ୍‌ଙ୍କ ନିକଟରେ ହାଜର କରାଯାଇଛି।

ଗତ ୨୦୦୬ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ କଟକ ମାଲଗୋଦାମ୍‌ ଏସ୍‌ବିଆଇ ଶାଖାରୁ ୩୯ ଜଣ ୬୭ ଲକ୍ଷ ୮ ହଜାର ୪୫୬ଟଙ୍କା ଋଣ(ସୁବିଧା ଲୋନ୍‌) ନେଇଥିଲେ। ଏମାନେ କଟକ ନୂଆପଡ଼ାର ଏକ ବାଳାଶ୍ରମର ଶିକ୍ଷକ ବୋଲି ପରିଚୟ ଦେଇଥିଲେ। ଏ ବାବଦରେ ସେମାନେ କାଗଜପତ୍ର ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। କିନ୍ତୁ ପରବର୍ତୀ ସମୟରେ ଏମାନେ ଋଣ ଶୁଝି ନ ଥିଲେ। ଖୋଳତାଡ଼ ହେବା ପରେ ଏମାନେ ଦେଇଥିବା ଠିକଣାରେ ଏଭଳି କୌଣସି ସ୍କୁଲ ନ ଥିଲା କିମ୍ବା ଏମାନେ ଶିକ୍ଷକ ନଥିବା ଜଣାପଡ଼ିଥିଲା। ଏଣୁ ଶାଖା ପରିଚାଳକ ସୁରେଶ କୁମାର ପରିଜା ଏ ନେଇ କ୍ରାଇମ୍‌ବ୍ରାଞ୍ଚର ଅପରାଧିକ ଶାଖାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ତଦନ୍ତ ଚାଲିଥିଲା। ପୂର୍ବରୁ ଇଓଡବ୍ଲୁ ତିନିଜଣ ବ୍ୟାଙ୍କ କର୍ମଚାରୀ ମନୀନ୍ଦ୍ର ମୋହନ କର, ସୁରେନ୍ଦ୍ର ଧଳ ଓ ପୁରନ୍ଦର କବିଙ୍କ ସମେତ ୨୮ ଜଣଙ୍କୁ ଗିରଫ କରି ସାରିଛି। ଆଜି ୨୯ ନମ୍ବର ଅଭିଯୁକ୍ତ ଭାବରେ ସୌମ୍ୟ ଗିରଫ ହୋଇଥିବା ବେଳେ ଆଗକୁ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଗିରଫ ହେବେ ବୋଲି ଇଓଡବ୍ଲୁ କହିଛି।

ସମ୍ବନ୍ଧିତ ଖବର