ମାଲିକାଣୀଙ୍କ ଗାଧୁଆ ବେଳର ଭିଡିଓ ରେକର୍ଡିଂ କରି ଘରୋଇ ସହାୟକ ଗିରଫ

ମୁମ୍ବାଇ: ଘର ଢ଼ିଙ୍କି କୁମ୍ଭୀର। ଯାହାକୁ ବିଶ୍ୱାସ କରି ଘର ଭିତରକୁ ଅବାଧ ପ୍ରବେଶର ସୁଯୋଗ ଦିଆଯାଉଛି, ସିଏ ଘରର ଇଜ୍ଜତ ରଖିବ କଣ , ଏହାକୁ ବଜାରରେ ନିଲାମ କରିବା ପାଇଁ ଷଡଯନ୍ତ୍ର କରୁଛି। ମୁମ୍ବାଇର ଏହି ପରି ଏକ ଘଟଣା ଏବେ ପଦାକୁ ଆସିଛି। ଘରର ମାଲିକାଣୀଙ୍କ ଗାଧୁଆ ବେଳର ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ଘରର ୨୦ ବର୍ଷ ବୟସ୍କ ଘରୋଇ ସହାୟକଙ୍କୁ ପୁଲିସ ଗିରଫ କରିଛି। କେବଳ ସେତିକି ନୁହେଁ, ଏହି ଘଟଣାରେ ସମ୍ପୃକ୍ତ ଘରୋଇ ସହାୟକ ଜଣକ ଏହି ରେକର୍ଡିଂ ନିଜେ କରୁଥିଲେ, କିମ୍ବା ଏହା ପଛରେ କୌଣସି ର‍୍ୟାକେଟ୍‌ର ହାତ ଅଛି ତାହା ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ରହିଛି। ଏହି ଘଟଣା ପରେ ଘରୋଇ ସହାୟକମାନଙ୍କୁ ଘର ଭିତରେ ଅବାଧ ପ୍ରବେଶ ଦେବା ନେଇ ସତର୍କତା ଅବଲମ୍ବନ ଜରୁରି ବୋଲି ପୁଲିସ ସୂଚାଇ ଦେଇଛି।

ନିଜ ମାଲିକାଣୀଙ୍କ ଗାଧୋଉଥିବା ବେଳର ଫଟୋ ମୋବାଇଲ ଫୋନରେ ରେକର୍ଡିଂ କରିବାକୁ ଚେଷ୍ଟା କରି ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି ଜଣେ ବ୍ୟବସାୟୀଙ୍କ ଘରୋଇ ସହାୟକ। ପୁଲିସ ତାଙ୍କ ମୋବାଇଲଟିକୁ ଜବତ କରିବା ସହିତ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

ପୁଲିସରେ ହୋଇଥିିବା ଅଭିଯୋଗରୁ ପ୍ରକାଶ ଯେ, ମୁମ୍ବାଇର ଚିଞ୍ଚପୋକ୍ଲି ଟାଓ୍ଵାରରେ ରହନ୍ତି ଜଣେ ବ୍ୟବସାୟୀ। ତାଙ୍କ ୩୦ ବର୍ଷୀୟ ପତ୍ନୀ ଗତ ସୋମବାର ଦିନ ବାଥରୁମ୍‌ ଭିତରେ ଗାଧୋଉଥିବା ବେଳେ ସାବୁନ ରଖାଯାଉଥିବା ଥାକ ତଳେ ଥିବା କ୍ୟାବିନେଟ୍‌ ଭିତରୁ କୌଣସି ସାମଗ୍ରୀ ଝଲସୁଥିବା ଦେଖି ସଙ୍ଗେସଙ୍ଗେ ସତର୍କ ହୋଇ ଯାଇଥିଲେ। ସେ କ୍ୟାବିନେଟ୍‌ ଖୋଲି ଦେଖିବା ବେଳକୁ ତା ଭିତରେ ଏକ ମୋବାଇଲ ଫୋନ୍‌ କ୍ୟାମେରା ରେକର୍ଡିଂ ମୋଡ୍‌ରେ ରଖାଯାଇଛି। ଏବଂ ଯେଉଁ ସାମଗ୍ରୀଟି ମହିଳାଙ୍କ ଦୃଷ୍ଟି ଆକର୍ଷଣ କରିଥିଳା ତାହା ହଉଛି ଉକ୍ତ ମୋବାଇଲର କ୍ୟାମେରା ଲେନ୍‌ସ। ସଙ୍ଗେ ସଙ୍ଗେ ମହିଳା ଜଣକ ଏ ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ ଜଣାଇବାରୁ ସେ ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାରୁ ଜଣାପଡ଼ିଥିଲା ଯେ ଯେଉଁ ମୋବାଇଲରେ ମହିଳା ଜଣକ ଗାଧୋଉଥିବାର ଭିଡିଓ ରେକର୍ଡିଂ କରାଯାଉଥିଲା, ତାହା ହେଉଛି ସେହି ଘରେ କାର୍ଯ୍ୟ କରୁଥିବା ଘରୋଇ ସହାୟକ କୈଳାଶ ଯାଦବଙ୍କ ମୋବାଇଲ ଫୋନ। କୈଳାଶ ପ୍ରାୟ ଦେଢ଼ ବର୍ଷ ହେବ ଉକ୍ତ ବ୍ୟବସାୟୀଙ୍କ ଘରେ ଜଣେ ଘରୋଇ ସହାୟକଭାବେ କାର୍ଯ୍ୟ କରୁଥିବା ପୁଲିସ କହିଛି।

photo credit-wikihow

ମହିଳାଜଣକ ପୁଲିସକୁ କହିଛନ୍ତି ଯେ ସେ ଗାଧୋଇବା ପାଇଁ ସାବୁନଟିକୁ ଉଠାଇ ନେବା ପରେ କଣ ଗୋଟେ ଚକଚକ୍‌ କରୁଥିବା ଦେଖି ସନ୍ଦେହରେ ଖୋଲିଦେବାରୁ ଏହା ଏକ ମୋବାଇଲ ଓ ଏହା ରେକର୍ଡିଂ ମୋଡରେ ଥିବା ସେ ଦେଖିଥିଲେ। ମହିଳା ଜଣକ ଦିନ ପ୍ରାୟ ୧୧ଟା ବେଳେ ଗାଧୋଇବାକୁ ବାଥରୁମ୍‌କୁ ଯିବା ପୂର୍ବରୁ କୈଳାଶ ବାଥରୁମ୍‌କୁ ଯାଇ କ୍ୟାମେରାକୁ ଏପରି ଖଞ୍ଜିଥିବା ସେ ପୁଲିସ ଆଗରେ କହିଛନ୍ତି।ଏପରିକି ମହିଳା ଜଣକ କହିଛନ୍ତି ଯେ ସେ ଗାଧୋଉଥିବା ସମୟର ପ୍ରାୟ ୨/୩ ମିନିଟର ଭିଡିଓ ଫୁଟେଜ୍‌ ଏହି ମୋବାଇଲରେ ରେକର୍ଡିଂ ହୋଇଛି। ପୁଲିସ ମୋବାଇଲ ଫୋନ୍‌ଟିକୁ ଜବତ କରିବା ସହିତ କୈଲାଶକୁ ଅଟକ ରଖିଛି।
ଏ ନେଇ କଲାଚୌକ ଥାନାର ସିନିୟର ଇନ୍‌ସପେକ୍ଟର ଦିଲ୍ଲୀପ ଉଗାଲେ କହିଛନ୍ତି ଯେ ଯେ କୈଳାଶ ନିଜେ ଏପରି କରିଛି କିମ୍ବା କୌଣସି ବାହ୍ୟଲୋକର ପ୍ରଲୋଭନରେ ଏପରି କରିଛି ତାହା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ବ୍ୟବସାୟୀଙ୍କ ଘରେ କାର୍ଯ୍ୟ କରୁଥିବା କୈଳାଶର ଘର ବିହାରରେ ଓ ସେ ବ୍ୟବସାୟୀଙ୍କ ଘର ପାଖରେ ରହି ତାଙ୍କ ଘରେ କାର୍ଯ୍ୟ କରେ। କୈଳାଶ ନାମରେ ୩୫୪ ଦଫାରେ ଏକ ମାମଲା ରୁଜୁ କରାଯାଇଛି। ତାକୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

 

ସମ୍ବନ୍ଧିତ ଖବର